-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
30-Dec-2020
ସମ୍ବଲପୁର (ପ୍ରେରଣା ଖବର): ଚେଇଁ ଶୋଇଛି ସାଇବର ପୁଲିସ୍। ଆଜିକା ଦିନରେ ସବୁଠୁ ମହଙ୍ଗା ତଥା ଗୁରୁତ୍ବପୂର୍ଣ୍ଣ ଜିନିଷ ହେଉଛି ତଥ୍ୟ। କିନ୍ତୁ ପୁଲିସ୍ ନାକ ତଳୁ ଖୋଲାଖୋଲି ଭାବେ ତଥ୍ୟ ଚୋରି ହେଉଛି। କିନ୍ତୁ ପୁଲିସ୍ ପାଖରେ ଏହାର ଖବର ବି ରହୁନି। ଗତ କିଛି ଦିନ ହେବ କିଛି ଲୋକ ଆସି ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ୩୦ ଟଙ୍କାରେ ମିଳୁଥିବା ଗୋଟିଏ ଗୋଟିଏ କୁକୁଡ଼ା ଚିଆଁ ଦେଇ ତା’ ବଦଳରେ ପୁରୁଣା ମୋବାଇଲ୍ ନେଇ ଯାଉଥିବା ଘଟଣା ସାମ୍ନାକୁ ଆସିଛି। ପୁରୁଣା ମୋବାଇଲ୍ରୁ ଲୋକଙ୍କ ତଥ୍ୟ ନେଇ ବାହାରେ ବିକ୍ରି କରାଯାଉଥିବା ଜଣାପଡ଼ିଛି। ନୂଆ କରି ଉତ୍ତରାଞ୍ଚଳ ଆଇଜି ଭାବେ ଯୋଗ ଦେଇଥିବା ନରସିଂହ ଭୋଳ ସାଇବର କ୍ରାଇମ୍ ନିୟନ୍ତ୍ରଣ ଉପରେ ଗୁରୁତ୍ବାରୋପ କରୁଥିବା ସମୟରେ ଖୋଲାଖୋଲି ଭାବେ ତଥ୍ୟ ଚୋରି ଘଟଣା ସମ୍ପର୍କରେ ଜିଲ୍ଲା ପୁଲିସ୍ କିଭଳି ବେଖବର ରହୁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାୟ ଦେଢ଼ ମାସ ହେବ ପଶ୍ଚିମବଙ୍ଗର ମାଲଦାରୁ କିଛି ଲୋକ ଆସି ସମ୍ବଲପୁରରେ ରହୁଛନ୍ତି। ସାଇକଲ ପଛପଟେ ଝୁଡ଼ିରେ କୁକୁଡ଼ା ଚିଆଁ ନେଇ ସେମାନେ ଗାଁ ଗାଁ ବୁଲୁଛନ୍ତି। ମୋବାଇଲ୍ ଅଚଳ ହୋଇଥାଉ କିମ୍ବା ଭାଙ୍ଗି ଯାଇଥାଉ ତାକୁ ନେଇ ବଦଳରେ ଗୋଟିଏ ଲେଖାଏ କଡ଼କନାଥ କୁକୁଡ଼ା ଚିଆଁ ଦେଉଛନ୍ତି। ଲୋକେ ମଧ୍ୟ ଅଚଳ ମୋବାଇଲ୍ ଘରେ ପକାଇ ରଖିବା ଅପେକ୍ଷା ତା’ ବଦଳରେ କିଛି ମିଳିଯିବାକୁ ଶ୍ରେୟସ୍କର ମନେକରୁଛନ୍ତି। କିନ୍ତୁ ସେମାନଙ୍କ ଅଜାଣତରେ ତାଙ୍କ ମୋବାଇଲ୍ରେ ଥିବା ତଥ୍ୟକୁ ଲକ୍ଷ ଲକ୍ଷ ଟଙ୍କାରେ ବିଦେଶରେ ବିକ୍ରି କରାଯାଉଛି। ବର୍ଷକ ତଳେ ଚୀନ୍ ପକ୍ଷରୁ ସାରା ବିଶ୍ବର ବିଭିନ୍ନ ସ୍ଥାନରୁ ତଥ୍ୟ ଚୋରି ପାଇଁ ଏଭଳି ଏକ ଉଦ୍ୟମ ଆରମ୍ଭ ହୋଇଥିଲା। କେତେବେଳେ ଆପ୍ ମାଧ୍ୟମରେ ତ ଆଉ କେତେବେଳେ ବିଭିନ୍ନ ୱେବ୍ସାଇଟ୍ ମାଧ୍ୟମରେ ଲୋକଙ୍କଠାରୁ ତଥ୍ୟ ଚୋରି କରାଯାଉଥିଲା। ତେବେ ବର୍ତ୍ତମାନ ସମୟରେ ସିଧାସଳଖ ମୋବାଇଲ୍ ନେଇ ସେଥିରୁ ମୋବାଇଲ୍ ନମ୍ବର, ଆକାଉଣ୍ଟ ଡିଟେଲ୍ସ ଆଦି ଚୋରି କରିନିଆଯାଉଥିବା ଜଣାପଡ଼ିଛି। କେବଳ ଏହି ଗୋଟିଏ ଉଦ୍ଦେଶ୍ୟ ନୁହେଁ ବରଂ ସାଇବର ଲୁଟେରାମାନେ ମଧ୍ୟ ଏଭଳି ମୋବାଇଲ୍କୁ ବ୍ୟବହାର କରି ଲୋକଙ୍କଠାରୁ କୋଟି କୋଟି ଟଙ୍କା ଲୁଟ୍ କରିନେଉଥିବା ଘଟଣା ଦେଖିବାକୁ ମିଳୁଛି।