-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
30-Dec-2020
ସମ୍ବଲପୁର (ପ୍ରେରଣା ଖବର): ଏସ୍ପିଙ୍କ ଚେତାବନୀକୁ ଖୋଲା ଚ୍ୟାଲେଞ୍ଜ। ଦାଦାବଟି ମାଗିବା ଘଟଣାକୁ କେନ୍ଦ୍ର କରି ପେଟ୍ରୋଲ ପମ୍ପ ଜାଳିବାକୁ ଉଦ୍ୟମ କରାଯିବା ଘଟଣା ପରେ ସମ୍ବଲପୁର ଏସ୍ପି ବି.ଗଙ୍ଗାଧର ଅପରାଧୀଙ୍କୁ ଚରମବାଣୀ ଶୁଣାଇଥିଲେ। ଏଭଳି କରି ଲୋକଙ୍କୁ ଭୟଭୀତ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ। କିନ୍ତୁ ଏସ୍ପିଙ୍କ ଏହି ଚେତାବନୀକୁ ଖୋଲା ଚ୍ୟାଲେଞ୍ଜ କରି କେଇ ଘଣ୍ଟା ନହେଉଣୁ ପୁଣିଥରେ ସହରରେ ଅପରାଧୀ ଦାଦାବଟିକୁ କେନ୍ଦ୍ର କରି ଦୋକାନ ଜାଳିଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ବଟି ନଦେବାରୁ ସ୍ଥାନୀୟ ସରଲାକାନି ଛକଠାରେ ଥିବା ତିନିଟି ଦୋକାନକୁ ସୋମବାର ରାତିରେ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ମଙ୍ଗଳବାର ସମ୍ବଲପୁର ଏସ୍ପିଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ କରିଥିବା ବାସନ୍ତୀ ମଲିକଙ୍କ କହିବା ଅନୁଯାୟୀ ତାଙ୍କ ପୁଅ ଓ ଅନ୍ୟ ଜଣଙ୍କ ମଧ୍ୟରେ କିଛି ଦିନ ପୂର୍ବରୁ ଝଗଡ଼ା ହୋଇଥିଲା। ତାପେର ଉକ୍ତ ଯୁବକ ଓ ତାର ୫ ଜଣ ସହଯୋଗୀ ମିଶି ଦୋକାନକୁ ଆସି ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଛକରେ ଦୋକାନ କରିବାକୁ ହେଲେ ଦୈନିକ ୫ ଶହ ଟଙ୍କା ବଟି ଦେବାକୁ ପଡିବ, ନହେଲେ କେହି ଏଠି ଦୋକାନ ଦେଇପାରିବ ନାହିଁ ବୋଲି ଧମକ ଦେଇଥିଲା। ଗତ ଗୁରୁବାର ଅଭିଯୋଗକାରୀଙ୍କ ସ୍ବାମୀ ଦୋକାନରେ ବସିଥିବା ବେଳେ ପୁଣିଥରେ ଉକ୍ତ ଯୁବକ ଜଣକ ଆସି ଗାଳି ଗୁଲଜ କରିବା ସହ ବଟି ମାଗିଥିଲା। ବଟି ନଦେବାରୁ ରାଗ ରଖି ସୋମବାର ରାତିରେ ଉକ୍ତ ଯୁବକ ତାଙ୍କ ଫଳ ଦୋକାନ ସହ ପାଖରେ ଥିବା ମୋବାଇଲ୍ ଓ ଟିଫିନ୍ ଦୋକାନକୁ ନିଆଁ ଲଗାଇ ଦେଇଥିବା ବାସନ୍ତି ମଲିକ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ପାଖାପାଖି ୨୦ ରୁ ୨୫ ହଜାର ଟଙ୍କାର ଫଳ ଥିଲା, ଯାହା ନଷ୍ଟ ହୋଇଯାଇଛି। ଅନ୍ୟପଟେ ଟିଫିନ୍ ଓ ମୋବାଇଲ ଦୋକାନ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଜଳି ନଷ୍ଟ ହୋଇଯାଇଛି।