-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
29-Dec-2020
ଭୁବନେଶ୍ୱର(ପ୍ରେରଣା ଖବର): ଗତକାଲି କଂଗ୍ରେସ ରାଲି ବେଳେ ଅସୁସ୍ଥ ହୋଇପଡିଥିବା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଆଜି ସୁସ୍ଥ ହୋଇଛନ୍ତି । ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ଆଜି ନରସିଂହ ମିଶ୍ର ନିଜ ସ୍ୱାସ୍ଥ୍ୟାବସ୍ଥା ନେଇ ନିଜେ ଟ୍ୱିଟ କରି କହିଛନ୍ତି, ମୁଁ ଭଲ ଅଛି। ମୋତେ ଭଲ ମଧ୍ୟ ଲାଗୁଛି। ତଥାପି ଆସନ୍ତାକାଲି ଯାଏଁ ଡାକ୍ତରଙ୍କ ଦେଖାରେଖାରେ ରହିବାକୁ ପଡିବ ବୋଲି ସେ କହିଛନ୍ତି। ଏଥିସହ ଶୁଭେଚ୍ଛୁମାନଙ୍କୁ କୃତଜ୍ଞତା ଜଣାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା। ଗତକାଲି ଭୁବନେଶ୍ୱରରେ ସିବିଆଇ ଅଫିସ ସାମ୍ନାରେ ଏକ ଖୋଲା ଜିପ୍ରେ ଭାଷଣ ଦେବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହଠାତ୍ ସେ ତଳେ ବସିପଡ଼ିଥିଲେ । ସେଠାରୁ ତୁରନ୍ତ ତାଙ୍କୁ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଗତକାଲି କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ ହେଉଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସକାଳ ୯ଟାରେ କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନ ସମ୍ମୁଖରେ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା। ସେଠାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଯାଇ ନଥିଲେ। କିନ୍ତୁ ଏହାପରେ ପୂର୍ବାହ୍ନ ୧୧ଟାରେ ଆୟୋଜିତ ତ୍ରିରଙ୍ଗା ରାଲିରେ ସାମିଲ ହୋଇଥିଲେ। ଏହି ରାଲି ଡିଏଭି ସ୍କୁଲରୁ ବାହାରି ସିବିଆଇ ଅଫିସ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ସିବିଆଇ ଅଫିସ ଘେରାଉ କାର୍ଯ୍ୟକ୍ରମ ରହିଥିଲା। ଏହାପୂର୍ବରୁ ସିବିଆଇ ଅଫିସ ସମ୍ମୁଖରେ ଏକ ଖୋଲା ଜିପ୍ରେ ପ୍ରଥମେ ପିସିସି ସଭାପତି ନିରଞ୍ଜନ ମିଶ୍ର ଉଦ୍ବୋଧନ ଦେଇ ସିବିଆଇର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହାପରେ ନରସିଂହ ମିଶ୍ର ସିବିଆଇ ସହିତ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ମାତ୍ର ଭାଷଣ ଶେଷ କରୁ କରୁ ହଠାତ୍ ଉକ୍ତ ଜିପ୍ ଉପରେ ହିଁ ଅସୁସ୍ଥ ହୋଇପଡ଼ିଲେ ନରସିଂହ।