-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
28-Aug-2026
ଭୁବନେଶ୍ୱର (ମୁରଲୀଧର ମିଶ୍ର): ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭାଇ ଟିଏ ନିଜ ଭଉଣୀକୁ କିଛି ଉପହାର ଦେଇଥାଏ। ଓଡ଼ିଶାର ଶାସନ ମୁଖ୍ୟ ଭାବେ ରକ୍ଷା ବନ୍ଧନରେ ସୁଭଦ୍ରା ସହାୟତା ପ୍ରଦାନ କରି ମତେ ଏକ ଭାଇର କର୍ତ୍ତବ୍ୟ ସମ୍ପାଦନ କରିବା ଭଳି ଅନୁଭବ ହେଉଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ଅବସରରେ କହିଛନ୍ତି ।ସୂଚନାଯୋଗ୍ୟ ଯେ ଆଜି ନୟାଗଡ଼ ଜିଲ୍ଲା ଲାଠିପଡ଼ାଠାରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ଉପମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ଗହଣରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯାଇଛି । ରାଜ୍ୟର ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ହିତାଧିକାରୀଙ୍କୁ ୫,୧୬୩ କୋଟି ର ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି । ଏଥିରେ ନୟାଗଡ଼ ଜିଲ୍ଲାର ୨ ଲକ୍ଷ ୩୩ ହଜାର ୫୮୫ ହିତାଧିକାରୀ ଅନ୍ତର୍ଭୁକ୍ତ ଅଛନ୍ତି । ଉପସ୍ଥିତ ସୁଭଦ୍ରା ମା ଓ ଭଉଣୀ ମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ସୁଭଦ୍ରା ଯୋଜନା କେବଳ ଟଙ୍କା ଆବଣ୍ଟନର ଅବସର ନୁହେଁ, ଏହା ହେଉଛି ନାରୀ ସଶକ୍ତିକରଣର ପ୍ରତୀକ ଏବଂ ରାଜ୍ୟର ଅଧା ଜନସଂଖ୍ୟା ପ୍ରତି ଆମ ସରକାରଙ୍କ ପ୍ରତିବଦ୍ଧତା ।ନାରୀ ସଶକ୍ତିକରଣର ପ୍ରକୃତ ଅର୍ଥ ବ୍ୟାଖ୍ୟା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେବଳ ସହାୟତା ପ୍ରଦାନ କରିବା ସଶକ୍ତିକରଣ ନୁହେଁ, ବରଂ ମହିଳାମାନଙ୍କୁ ସାମାଜିକ, ରାଜନୈତିକ ତଥା ଆର୍ଥିକ ସ୍ତରରେ ଆତ୍ମନିର୍ଭର କରି ନିଜ ପାଇଁ ନିଜେ ନିଷ୍ପତ୍ତି ନେବାର ଅଧିକାର ଦେବା ହିଁ ଅସଲ ସଶକ୍ତିକରଣ। ମୁଖ୍ୟମନ୍ତ୍ରୀ କନ୍ୟାବିବାହ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଏବଂ ରାଜ୍ୟ ବଜେଟ୍ରେ ମହିଳାଙ୍କ ପାଇଁ ୧ ଲକ୍ଷ ୨୨ ହଜାର ୭୬୪ କୋଟି ଟଙ୍କାର ଐତିହାସିକ ବ୍ୟୟବରାଦ ବିଷୟରେ ସେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଡ଼ଃ ମୃଣାଳିନୀ ଦର୍ସ୍ୱାଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଖଣ୍ଡପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀ ଏବଂ ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।