-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
20-Jan-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁରର ରୟାଲ ପଡିଆ ମୁକ୍ତମଞ୍ଚରେ ସୋନପୁର ର ବିଶିଷ୍ଟ ବାଦ୍ୟକାର ତଥା କଳାକାର ପୁରନ୍ଦର ବାରିକଙ୍କ ସ୍ମୃତିରେ ପ୍ରଥମ ପୁରନ୍ଦର ନାଟ ମହୋତ୍ସବ ଆଜି ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଦିବସ ରେ ୨ଟି ମନ ଛୁଆଁ କୋଶଲି - ସମ୍ବଲପୁରୀ ନାଟକ ମଞ୍ଚସ୍ଥ ହୋଇଛି । କାରୁଣ୍ଡ କଳାମଞ୍ଚ ଭବାନୀପାଟଣା ର "ଝରକା" ଏବଂ ପଦମପୁର ର ଲୁ ପକ୍ଷରୁ ପରିବେଷିତ "ରଙ୍ଗଭୂମି" ନାଟକ ଭିନ୍ନ ଭିନ୍ନ ସାମାଜିକ ବାର୍ତ୍ତାକୁ ନେଇ ପରିପୃଷ୍ଟ ହୋଇ ଉଭୟ ନାଟକ ଗତିଶୀଳ ହୋଇଛି । ନିର୍ଦ୍ଦେଶକ ପ୍ରଦୀପ ଡି. ମାଝୀଙ୍କ ନିର୍ଦ୍ଦେଶନାରେ ପରିବେଷିତ ନାଟକ ଝରକାରେ ମଣିଷ ପ୍ରଥମେ ନିଜେ ନିଜକୁ ଓ ନିଜ ହୃଦୟ କୁ ଦେଖିବା ଜରୁରୀ ବୋଲି ନାଟକ ଜରିଆରେ ପ୍ରଦର୍ଶିତ ହୋଇଚି l ମଣିଷ ଅନ୍ୟକୁ ଦେଖିବା ପୂର୍ବରୁ ନିଜର ବିବେକରୂପୀ ଝରକାକୁ ଦେଖିବା ଜରୁରୀ ବୋଲି ଏହି ନାଟକରେ ବାର୍ତ୍ତା ରହିଛି । ଠିକ ସେହିପରି, ପଦମପୁରର ମୂର୍ଦ୍ଧନ୍ୟ ନାଟ୍ୟସଂସ୍ଥା ଲୁ' ର କଳାକାରଙ୍କ ଦ୍ବାରା ମଞ୍ଚସ୍ଥ ଏବଂ ନିର୍ଦ୍ଦେଶକ ଜଗନ୍ନାଥ ସେଠଙ୍କ ନିର୍ଦ୍ଦେଶିତ ରଙ୍ଗଭୂମି ନାଟକରେ ମଣିଷର ମଣିଷପଣିଆ ଏବଂ ମଣିଷ ଭିତରେ ଥିବା ଦେବଗୁଣକୁ ଉଜ୍ଜୀବିତ ରଖି ସମାଜ ପ୍ରେରିତ କରିବାକୁ ନାଟକର ମୁଖ୍ୟ ନାୟକ ସୁରେ ଚରିତ୍ର ମାଧ୍ୟମରେ ବାର୍ତ୍ତା ଦିଆଯାଇଛି । ଏହି ନାଟ ମହୋତ୍ସବକୁ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଓ ଅଞ୍ଜଳିନା ପ୍ରଧାନ ଓ ଅବକାରୀ ଅଧିକ୍ଷିକl ସୁମତି ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବାବେଳେ ବର୍ଷିୟାନ କଳାକାର ପୁରନ୍ଦର ବାରିକଙ୍କ ସ୍ମୃତିଚାରଣ ପୂର୍ବକ ସୁବର୍ଣ୍ଣପୁରର ନାଟ୍ୟ ପରମ୍ପରା ଖୁବ ପୁରୁଣା ଓ ବଳିଷ୍ଠ ବୋଲି କହିଥିଲେ । ଉଦଘାଟନୀ ପର୍ବରେ ନାଟକ ମହୋତ୍ସବର ମୁଖ୍ୟ ସଂଯୋଜକ ନାଟ୍ୟଶ୍ରୀ ଗଦାଧର ବାରିକ,ସମ୍ପାଦକ ଦିଲୀପ ପାତ୍ର, କୋଷାଧ୍ୟକ୍ଷ ନିଶାନ୍ତ ମହାନ୍ତି,ସ୍ବର୍ଗତ ପୁରନ୍ଦର ବାରିକଙ୍କ ତିନି ପୁଅ ଆନନ୍ଦ ବାରିକ,ସାନନ୍ଦ ବାରିକ ଓ ଅରବିନ୍ଦ ବାରିକ ପ୍ରମୁଖ କାର୍ଯ୍ୟକର୍ତ୍ତା ସାମିଲ ହୋଇ ସ୍ୱର୍ଗତ ପୁରନ୍ଦର ବାରିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପୁରନ୍ଦର ବାରିକ ସ୍ମୃତି କମିଟି ପକ୍ଷରୁ ଆଜି ଠାରୁ ଆରମ୍ଭ ହୋଇଥିବା ନାଟକ ମହୋତ୍ସବ ୩ଦିନ ଧରି ହେବାକୁ ଥିବାବେଳେ ପଶ୍ଚିମ ଓଡିଶାର ପ୍ରମୁଖ ୮ଟି ନାଟ୍ୟ ସଂସ୍ଥା ପକ୍ଷରୁ ନାଟକ ପରିବେଷିତ ହେବ । ଶେଷରେ ନିଶାନ୍ତ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ।