-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
30-Nov-2020
ବ୍ରହ୍ମପୁର(ପ୍ରେରଣା ଖବର) ପୁଲିସ ଆଖିରେ ଧୂଳି ଦେଇ ଫେରାର୍ ଥିବା ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗଂଜେଇ ଚାଲାଣ ବେଳେ ପୁଲିସ ହାତରେ ଧରାପଡ଼ିଛି। ଅଭିଯୁକ୍ତ ଜଣକ ବଡ଼ବଜାର ଥାନା ପୁରୁଣା ବ୍ରହ୍ମପୁର ପ୍ରହଲ୍ଲାଦନଗରର ପ୍ରଦୀପ ସାହୁ ବୋଲି ଏଏସ୍ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି। ପ୍ରଦୀପଙ୍କ ନିକଟରୁ ୩୧କେଜି ଗଂଜେଇ ଜବତ ହୋଇଛି। ସେହିପରି ଚାଲାଣରେ ବ୍ୟବହୃତ ଏକ ସ୍କୁଟି ଜବତ କରାଯାଇଥିବା ପୁଲିସ କହିଛି!ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କୋଭିଡ୍ ନିୟମ ପାଳନ ପାଇଁ ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ବରେ ଏକ ଟିମ୍ ସହରର ବିଭିନ୍ନ ମନ୍ଦିର ଯାଞ୍ଚ କରୁଥିଲା। ଲାଠି ରୋଡ଼ ମା’ କୁରେଇଶୁଣି ମନ୍ଦିର ରାସ୍ତାରେ ପୁଲିସ ବ୍ଲକିଂ କରିଥିଲା। ଏହି ସମୟରେ ଏକ ନମ୍ବର ବିହୀନ ସ୍କୁଟିରେ ଜଣେ ଯୁବକ ଆସୁଥିବା ବେଳେ ପୁଲିସ ତାକୁ ସନ୍ଦେହରେ ଅଟକାଇଥିଲା। ଯାଞ୍ଚ ପରେ ଦୁଇଟି ବ୍ୟାଗ୍ରୁ ୩୧କେଜି ଗଂଜେଇ ଜବତ ହୋଇଥିଲା। ଯୁବକ ଜଣକ ପ୍ରଦୀପ ବୋଲି ପୁଲିସ ଚିହ୍ନଟ କରିଥିଲା। ବିଭିନ୍ନ ଅପରାଧ ମାମଲାରେ ପ୍ରଦୀପ ଜଡ଼ିତ ରହି ଫେରାର୍ ରହିଥିଲା!ସେ ମୋହନା ଅଞ୍ଚଳରୁ ବ୍ରହ୍ମପୁରକୁ ଗଂଜେଇ ଆଣୁଥିଲା। ଏହି ଗଂଜେଇ ଅନ୍ୟ ଅଞ୍ଚଳକୁ ଚାଲାଣ ହୋଇଥାନ୍ତା ବୋଲି ପୁଲିସ ତଦନ୍ତରେ ଜାଣିବାକୁ ପାଇଛି। କେସ୍ ନମ୍ବର ୨୪୫/୨୦ରେ ପ୍ରଦୀପକୁ ଗିରଫ କରାଯାଇଛି। ଗତ ଅକ୍ଟୋବର ମାସରେ ଦାଦାବଟି ଦାବି କରି ଲକ୍ଷ୍ମୀନୃସିଂହ ସାହିରେ ଜଣେ ବ୍ୟବସାୟୀ ଓ ତାଙ୍କ ଭଉଣୀଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିଲା। ଏହି ଘଟଣା ସହିତ ବଡ଼ ବଜାର ଥାନାର ଅନ୍ୟ ୩ଟି ମାମଲାରେ ପ୍ରଦୀପ ଜଡ଼ିତ ଥିବା ନେଇ ବଡ଼ ବଜାର ଥାନା ଅଧିକାରୀ ଭୂପତି ସୂଚନା ଦେଇଛନ୍ତି!!