-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
28-Sep-2026
ତୁଷୁରା(ପଞ୍ଚାନନ ନାଏକ): ଓଡ଼ିଆ ଭାଷା, ସାହିତ୍ୟ, ଲୋକକଳା ଓ ପାରମ୍ପରିକ ସଂସ୍କୃତିର ସୁରକ୍ଷା ସହ ଯୁବପିଢ଼ିଙ୍କୁ ନିଜ ମାଟି ଓ ପରମ୍ପରା ସହ ଯୋଡ଼ିବା ଉଦ୍ଦେଶ୍ୟରେ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ଜାମୁଟ ହାଇସ୍କୁଲ ଖେଳପଡ଼ିଆରେ ‘ନୂଆଁଖାଇ ଭେଟଘାଟ୍–୨୦୨୬’ ଉତ୍ସାହ ଓ ଜନସମାଗମ ମଧ୍ୟରେ ଆୟୋଜିତ ହୋଇଯାଇଛି ।
କ୍ଳବ ସଭାପତି ରାମଦାସ ରଣାଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ସଭାରେ ଗୁଡଭେଲା ବ୍ଲକ ଉପାଧ୍ୟକ୍ଷ ଟୁକୁରାମ ପାଣିଗ୍ରାହୀ ଯୋଗଦେଇ
ଯୁବଗୋଷ୍ଠୀଙ୍କ ଏଭଳି ପ୍ରୟାସକୁ ସ୍ୱାଗତ କରିଥିଲେ। ଯୁବପିଢ଼ି ଆଗେଇ ଆସିଲେ ଲୋକକଳା, ଲୋକସଙ୍ଗୀତ ଓ ଆଞ୍ଚଳିକ ସଂସ୍କୃତିର ସୁରକ୍ଷା ସହ ଏହାର ବିକାଶ ସମ୍ଭବ ବୋଲି ସେ ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଉପେନ୍ଦ୍ର ବେହେରା ନୂଆଁଖାଇ ପର୍ବର ସାମାଜିକ ଓ ସାଂସ୍କୃତିକ ମହତ୍ତ୍ୱ ଉପରେ ଅଭିଭାଷଣ ରଖିଥିଲେ।
ସମ୍ମାନିତ ଅତିଥି ଭାବେ ଜାମୁଟ ସରପଞ୍ଚ ଭାବସିଂ ମାଝୀ, ସମାଜସେବୀ ଅଭିରାମ ରଣା, ବିଶ୍ୱାମିତ୍ର ପଧାନ, କାଳାରାମ ରଣା ଓ ଅନିରୁଦ୍ଧ ବେହେରା ପ୍ରମୁଖ ଯୋଗଦେଇଥିଲେ। ବିଦ୍ୟାଳୟସ୍ତରରେ ଅନୁଷ୍ଠିତ ବକ୍ତୃତା, ଗୀତ, ସାଧାରଣ ଜ୍ଞାନ ଆଦି ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ସଭାକୁ ଲମ୍ବୋଦର ମନହିରା ପରିଚାଳନା କରିଥିବା ବେଳେ ମହେନ୍ଦ୍ର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।
ସେହିପରି ସନ୍ଧ୍ୟାରେ ଆୟୋଜିତ ଉଦ୍ଯାପନୀ କାର୍ଯ୍ୟକ୍ରମରେ ରାମ ନିବାସ ଅଗ୍ରୱାଲ ମୁଖ୍ୟ ଅତିଥି ଏବଂ ହାସ୍ୟକବି ଦେବେନ୍ଦ୍ର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ତୁଷୁରା ଏନଏସି ଅଧ୍ୟକ୍ଷ ଅଜୟ ଜୟଶ୍ବାଳ, ଗୁଡଭେଲା ବ୍ଲକ ସାଂସଦ ପ୍ରତିନିଧି ଦିନବନ୍ଧୁ ବେହେରା, କଣ୍ଟାମାଳ ବ୍ଲକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା ଓ ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ ସାହୁ ପ୍ରମୁଖ ଯୋଗଦେଇଥିଲେ।
ଏହାଛଡ଼ା ଗମ୍ଭାରିଗୁଡ଼ା ସରପଞ୍ଚ ଇନ୍ଦ୍ର ଭୋଇ, ସମାଜସେବୀ ତଥା ଶିକ୍ଷାବିତ୍ ନିଳାଞ୍ଚଳ ଭୋଇ, ସତ୍ୟନାରାୟଣ ମାଝୀ, ଅନୁକୁଳ ରଣା, ହାସ୍ୟକବି ଶିଶିର ପୁରୋହିତ, କରୁଣାକର ସାହୁଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ସହଯୋଗରେ ନୂତନ କଳା ସଂସଦ, କନ୍ଧମାଳ; ପ୍ରତିଭା ଅନୁଷ୍ଠାନ, ଭବାନୀପାଟଣା; ସାତକୁଆଁରୀ ଅନୁଷ୍ଠାନ, ପାଟଣାଗଡ଼; ବଜାଶାଳ, ମଳମୁଣ୍ଡା; ଶିକେରପାଟ୍ ଢାକା ନାଚ, ରାଜକେଲ; ଶିକେରପାଟ୍ କଳାପରିଷଦ ଓ ରହେଳମାଳ ସମେତ ବିଭିନ୍ନ ଅଞ୍ଚଳରୁ ୩୦ରୁ ଊର୍ଦ୍ଧ୍ୱ କଳାକାର ଯୋଗଦେଇ ଲୋକନୃତ୍ୟ, ଲୋକସଙ୍ଗୀତ ଓ ପାରମ୍ପରିକ କଳା ପରିବେଷଣ କରିଥିଲେ। ଏହି ପରିବେଷଣ ଦର୍ଶକଙ୍କୁ ଆଞ୍ଚଳିକ ଲୋକକଳା ଓ ସଂସ୍କୃତିର ବିଭିନ୍ନ ରୂପ ସହ ପରିଚିତ କରାଇଥିଲା।
ଏହି ଅବସରରେ ସୈନିକ, କୃଷି, କ୍ରୀଡ଼ା, କଳା ଓ ସାମାଜିକ ସେବା ସମେତ ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭା ଓ ଅବଦାନ ପାଇଁ ପରିଚିତି ହାସଲ କରିଥିବା ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ କ୍ଷେତ୍ରର ସଫଳ ବ୍ୟକ୍ତିଙ୍କୁ ସମ୍ମାନିତ କରିବା ମାଧ୍ୟମରେ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ସମଗ୍ର କାର୍ଯ୍ୟକ୍ରମକୁ କ୍ଳବର ସଦସ୍ୟ ଲମ୍ବୋଦର ମନହିରା ସଂଯୋଜନା କରିଥିବା ବେଳେ ନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଶିକେରପାଟ୍ ୟୁଥ୍ କ୍ଳବର ସଦସ୍ୟ, ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଯୁବକମାନଙ୍କ ସକ୍ରିୟ ସହଯୋଗରେ ‘ନୂଆଁଖାଇ ଭେଟଘାଟ୍–୨୦୨୬’ ସଫଳତାର ସହ ସମ୍ପନ୍ନ ହୋଇଥିଲା।