-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
28-Sep-2026
ବଲାଙ୍ଗୀର(ପ୍ରେରଣା ଖବର):ଜଣେ ଆଦର୍ଶ ଶିକ୍ଷୟିତ୍ରୀଙ୍କ ଅବଦାନ କେବଳ ଶ୍ରେଣୀଗୃହର ଚାରିକାନ୍ଥ ମଧ୍ୟରେ ସୀମିତ ରହେ ନାହିଁ।ତାଙ୍କ ଜ୍ଞାନ,ଆଦର୍ଶ ଓ ମାନବିକ ମୂଲ୍ୟବୋଧ ପିଢ଼ି ପରେ ପିଢ଼ି ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଚାଲେ।ଏହି ମହତ୍ ଚିନ୍ତାଧାରାକୁ ଆଧାର କରି ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଥମ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱର୍ଗତ ଅଳକା ଜେନାଙ୍କ ପବିତ୍ର ସ୍ମୃତିକୁ ଚିରସ୍ମରଣୀୟ କରିବା ଉଦ୍ଦେଶ୍ୟରେ ‘ଅଳକା ଜେନା ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଛି।ବିଦ୍ୟାଳୟରେ ଆୟୋଜିତ ଏହି ସମ୍ମାନ ସମାରୋହରେ ଗତ ୨୦୨୪-୨୫ ଓ ୨୦୨୫-୨୬ ଶିକ୍ଷାବର୍ଷର ମ୍ୟାଟ୍ରିକ୍ ପରୀକ୍ଷାରେ ବିଦ୍ୟାଳୟର ସମସ୍ତ ଛାତ୍ରୀଙ୍କ ମଧ୍ୟରୁ ସର୍ବାଧିକ ମାର୍କ ରଖିଥିବା ମେଧାବୀ ଛାତ୍ରୀମାନଙ୍କୁ ଅର୍ଥରାଶି ସହ ମୋମେଣ୍ଟୋ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଜ୍ୟୋତିର୍ମୟୀ ପଣ୍ଡାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ରିୟାଂଶୀ ସାଏ ଓ ଶ୍ରଦ୍ଧାଞ୍ଜଳି ସାହୁଙ୍କୁ ‘ଅଳକା ଜେନା ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।ସମାରୋହରେ ମୁଖ୍ୟ ଅତିଥି ଭାବେ ଚନ୍ଦନଭାଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅବସରପ୍ରାପ୍ତ ଅଧ୍ୟକ୍ଷ ଇତିଶ୍ରଦ୍ଧା ତ୍ରିପାଠୀ ଯୋଗଦେଇ ସ୍ୱର୍ଗତ ଅଳକା ଜେନାଙ୍କ ଶିକ୍ଷାଦାନ,ଶୃଙ୍ଖଳା ଓ ଛାତ୍ରୀମାନଙ୍କ ପ୍ରତି ତାଙ୍କର ସ୍ନେହପୂର୍ଣ୍ଣ ମନୋଭାବକୁ ସ୍ମରଣ କରିଥିଲେ।ଜଣେ ଶିକ୍ଷୟିତ୍ରୀ ଭାବେ ସେ ଛାତ୍ରୀମାନଙ୍କ ଜୀବନରେ ଯେଉଁ ମୂଲ୍ୟବୋଧର ମଞ୍ଜି ବୁଣିଥିଲେ,ତାହା ଆଜି ମଧ୍ୟ ଏହି ବିଦ୍ୟାଳୟର ପରିବେଶରେ ଜୀବନ୍ତ ବୋଲି ଉଲ୍ଲେଖ କରିଥିଲେ।ଜୀବନରେ ଲକ୍ଷ୍ୟ ନିର୍ଦ୍ଧାରଣ କରି କଠିନ ପରିଶ୍ରମ,ଶୃଙ୍ଖଳା ଓ ନୈତିକତାକୁ ସାଥୀ କରି ଆଗକୁ ବଢ଼ିବାକୁ ସେ ପରାମର୍ଶ ଦେଇଥିଲେ।ଶିକ୍ଷା କେବଳ ଭଲ ନମ୍ବର ହାସଲ କରିବାର ମାଧ୍ୟମ ନୁହେଁ,ବରଂ ଜଣେ ଭଲ ମଣିଷ ହେବାର ମାର୍ଗ ବୋଲି ଶ୍ରୀମତୀ ତ୍ରିପାଠୀ ଛାତ୍ରୀମାନଙ୍କୁ ବୁଝାଇଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରାଙ୍କ ସମେତ ବରିଷ୍ଠ ଶିକ୍ଷୟିତ୍ରୀ ନୂତନ ନାୟକ,ଯାଜ୍ଞସିନୀ ମହାପାତ୍ର ଓ ପ୍ରିୟମ୍ବଦା ଦେବ ଏବଂ ଅନ୍ୟ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ମଞ୍ଚାସୀନ ଥିଲେ।କାର୍ଯ୍ୟକ୍ରମକୁ ସୁରେଶ ବାରିକ ସଂଯୋଜନା କରିଥିବା ବେଳେ ସବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଶିକ୍ଷା କର୍ମଚାରୀ ସତ୍ୟବାନ ସାଏ,ରୁବିତା ବିଶ୍ୱାଳ,କୁନୀ ନନ୍ଦ,ମନରଞ୍ଜନ ତାଣ୍ଡି ସହଯୋଗ କରିଥିଲେ।