-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
05-Mar-2021
କନ୍ଧମାଳ,(ପ୍ରେରଣା ଖବର ବ୍ୟୁରୋ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସବ୍ଜେଲ୍ର ଜଣେ ବିଚରାଧିନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଥାର୍ଡ଼୍ ଡିଗ୍ରି ପ୍ରୟୋଗ କରି ତାଙ୍କୁ ମାରିଦେଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାର କ୍ରାଇମ୍ବ୍ରାଞ୍ଚ ତଦନ୍ତ କରାଯିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଗ୍ରାମବାସୀ ମାନେ ଦାବି କରିଛନ୍ତି। ଘଟଣାରୁ ପ୍ରକାଶ, ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ସାରଙ୍ଗଗଡ଼ର ଜଣେ ଯୁବକ ସୁଶୀଳ ନାଏକଙ୍କୁ ଏକ ପୁରୁଣା ୱାରେଣ୍ଟ୍ ବଳରେ ପୁଲିସ ଗତ ମାସ ୨୮ ତାରିଖରେ ଗିରଫ କରିଥିଲା। ମାର୍ଚ୍ଚ ୧ ତାରିଖରେ ସାରଙ୍ଗଗଡ଼ ପୁଲିସ ସୁଶୀଳଙ୍କୁ କୋର୍ଟ ଚାଲାଣ କରିଥିଲା। ତେବେ ଜେଲ୍ରେ ସୁଶୀଳ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ୨ ତାରିଖ ଦିନ ପ୍ରଥମେ ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନା ଏବଂ ପରେ ଫୁଲବାଣୀ ଜିଲ୍ଲା ହସ୍ପିଟାଲକୁ ଅଣା ଯାଇଥିଲା। ମାତ୍ର ୩ ତାରିଖ ରାତିରେ ଫୁଲବାଣୀ ଡାକ୍ତରଖାନାରେ ସୁଶୀଳଙ୍କ ମୃତ୍ୟୁ ହୋଇଯାଇଛି। ଏଭଳି ସନ୍ଦେହଜନକ ମୃତ୍ୟୁକୁ ସୁଶୀଳଙ୍କ ପରିବାର ସଦସ୍ୟମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସୁଶୀଳଙ୍କ ବାପା ରଙ୍କ ନାଏକଙ୍କ ପରଲୋକ ହୋଇସାରିଛି। ତାଙ୍କ ମା’ ସୁବାସିନୀ ନାଏକ ଜଣେ ମାନସିକ ଦିବ୍ୟାଙ୍ଗ ମହିଳା ଏବଂ ସେ କୌଣସି କଥା କହିପାରନ୍ତି ନାହିଁ। ତେବେ ମୃତ ସୁଶୀଳଙ୍କ ଦାଦା କନ୍ଦର୍ପ ନାଏକ ଏବଂ ଖୁଡ଼ୀ ଅରୂପା ନାଏକଙ୍କ ସମେତ ଗ୍ରାମର କେତେଜଣ ବ୍ୟକ୍ତି ଆଜି ଫୁଲବାଣୀ ଡାକ୍ତରଖାନା ପରିସରରେ ପହଞ୍ଚି ସୁଶୀଳଙ୍କୁ ପୁଲିସ ପିଟି ପିଟି ହତ୍ୟା କରିଛି ବୋଲି ଅଭିଯୋଗ କରିଛନ୍ତି। ସୁଶୀଳଙ୍କ ଦାଦା କନ୍ଦର୍ପ ନାଏକଙ୍କ ଅଭିଯୋଗ ଅନୁସାରେ, ତାଙ୍କ ପୁତୁରା ସୁଶୀଳଙ୍କ କୌଣସି ରୋଗ ନଥିଲା ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ୨୮ ତାରିଖ ଭୋର୍ ସମୟରେ ହଠାତ୍ ପୁଲିସ ତାଙ୍କ ଘରେ ପଶି ସୁଶୀଳଙ୍କୁ ଉଠାଇ ନେଇ ଯାଇଥିଲା। ଥାନାରେ ରଖି ପୁଲିସ ସୁଶୀଲଙ୍କୁ ପ୍ରବଳ ମାଡ଼ ମାରିଥିଲା ଏବଂ ଅତ୍ୟଧିକ ମାଡ଼ କାରଣରୁ ତାଙ୍କ ପୁତୁରା ସୁଶୀଳଙ୍କ ମୃତ୍ୟୁ ହୋଇଛି ବୋଲି ମୃତ ସୁଶୀଳଙ୍କ ଦାଦା କନ୍ଦର୍ପ ଅଭିଯୋଗ କରିଛନ୍ତି। ସୁଶୀଳଙ୍କ ମୃତ୍ୟୁ ପରେ ବିଧବା ପତ୍ନୀ ଏବଂ ଦୁଇଟି ଛୋଟ ଛୋଟ ପୁଅ ଏବଂ ଝିଅ ଅନାଥ ହୋଇ ଯାଇଛନ୍ତି। ସୁଶୀଳଙ୍କ ମା’ ପୁତ୍ର ବିୟୋଗରେ ଗଭୀର ଭାବେ ଭାଙ୍ଗି ପଡ଼ିଛନ୍ତି। ସୁଶୀଳଙ୍କ ବିନା ତାଙ୍କ ପରିବାର କିପରି ଚଳିବ ତାହା ଏବେ ବଡ଼ ଚିନ୍ତାର କାରଣ ବୋଲି ମୃତ ସୁଶୀଳଙ୍କ ଦାଦା କନ୍ଦର୍ପ ନାଏକ ପ୍ରଶ୍ନ କରିଛନ୍ତି। ଅପରପକ୍ଷେ, ସୁଶୀଳଙ୍କ ପରିବାର ଲୋକେ ଆଣିଥିବା ଅଭିଯୋଗ ସମ୍ପର୍କରେ ସାରଙ୍ଗଗଡ଼ ଥାନାଧିକାରୀ ଅନିତା କିଡୋଙ୍କ ସହ ଯୋଗାଯୋଗ କରା ଯାଇଥିଲା। ଏଭଳି ଅଭିଯୋଗର କୌଣସି ସତ୍ୟତା ନାହିଁ ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିବ ବୋଲି ଥାନାଧିକାରୀ ଶ୍ରୀମତୀ କିଡୋ କହିଛନ୍ତି। ତେବେ ଏହି ଘଟଣାରେ କନ୍ଧମାଳ ଏସ୍ପି ନିରପେକ୍ଷ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ଆଜି ଫୁଲବାଣୀ ମେଡ଼ିକାଲ ପରିସରରେ ଦୀର୍ଘ ସମୟ ଧରି ଉତ୍ତେଜନା ପରିସ୍ଥିତି ଲାଗି ରହିଥିଲା।