-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
02-Oct-2026
ସିନାପାଲି ( ଚିନ୍ତାମଣି ନେତାମ )
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର ଗ୍ରାମସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ବିଶ୍ୱ ଜଳାତଙ୍କ ଦିବସ ଅବସରରେ ଏକ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଆୟୋଜିତ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଶିବୁ କୁମାର ବିଶ୍ୱାଳ ସଭାପତିତ୍ୱ କରିଥିଲେ। ସିନାପାଲି ବ୍ଲକର ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ କୃଷ୍ଣ ଚନ୍ଦ୍ର ମଲ୍ଲିକ ମୁଖ୍ୟ ଅତିଥି ଏବଂ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସତ୍ୟବ୍ରତ ଗହୀର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ବରିଷ୍ଠ ଶିକ୍ଷକ ଶ୍ରୀ ନରେନ୍ଦ୍ର କୁମାର ନାଏକ ଅତିଥିମାନଙ୍କୁ ସମ୍ମାନର ସହ ମଞ୍ଚକୁ ଆମନ୍ତ୍ରଣ କରିବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ।
ସଭାରେ ଅତିଥିମାନେ ଭାରତ ସମେତ ସାରା ବିଶ୍ୱରେ ଜଳାତଙ୍କ ରୋଗର ସ୍ଥିତି, ଭୟାବହତା, ମୃତ୍ୟୁହାର, ରୋଗର କାରଣ, ଲକ୍ଷଣ, ପ୍ରତିକାର, ପ୍ରତିଷେଧକ ବ୍ୟବସ୍ଥା ଏବଂ ବ୍ୟାପକ ଜନସଚେତନତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
କୁକୁର, ବିରାଡ଼ି, ମାଙ୍କଡ଼, ମୂଷା, ନେଉଳ ଓ ବାଦୁଡ଼ି ଭଳି ପ୍ରାଣୀ କାମୁଡ଼ିଲେ କିମ୍ବା ରାମ୍ପୁଡ଼ିଲେ ଏହାକୁ ହେୟଜ୍ଞାନ ନକରି ଭୟ କିମ୍ବା ଲଜ୍ଜାରେ ଚୁପ୍ ନରହି ତୁରନ୍ତ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବାକୁ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।
ପ୍ରାଣୀ କାମୁଡ଼ିଥିବା କିମ୍ବା ରାମ୍ପୁଡ଼ିଥିବା ସ୍ଥାନକୁ ତୁରନ୍ତ ସାବୁନ ଓ ପ୍ରବାହିତ ପାଣିରେ ଭଲ ଭାବେ ଧୋଇବା ସହ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଣ୍ଟି-ରେବିଜ୍ ଟିକା ନେବା ଆବଶ୍ୟକ ବୋଲି ସଚେତନ କରାଯାଇଥିଲା। କାମୁଡ଼ିବା ପରେ ପ୍ରଥମ ଦିନ,ତୃତୀୟ ଦିନ, ସପ୍ତମ ଦିନ, ଚତୁର୍ଦ୍ଦଶ ଦିନ, ୨୮ତମ ଦିନ ଏବଂ ୯୦ତମ ଦିନରେ ସରକାରୀ ଚିକିତ୍ସା କେନ୍ଦ୍ରରୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଣ୍ଟି-ରେବିଜ୍ ଟିକା ନେବା ପାଇଁ ମାର୍ଗଦର୍ଶନ ଦିଆଯାଇଥିଲା।
ଜଳାତଙ୍କ ରୋଗ ପ୍ରତିରୋଧ ପାଇଁ ସମୟୋପଯୋଗୀ ଚିକିତ୍ସା, ପ୍ରତିଷେଧକ ବ୍ୟବସ୍ଥା ଏବଂ ବ୍ୟାପକ ଜନସଚେତନତା ହିଁ ମୁଖ୍ୟ ଅସ୍ତ୍ର ବୋଲି ଅତିଥିମାନେ କହିଥିଲେ। ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତକୁ ଜଳାତଙ୍କମୁକ୍ତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ହାସଲ ପାଇଁ ସମସ୍ତଙ୍କ ସହଯୋଗ ଓ ସଚେତନତା ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା।
ପରିଶେଷରେ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ହୋଇଥିଲା। ସେହିପରି ନୀଳଜି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋଡାଲ ଉଚ୍ଚ ବିଦ୍ୟାଳୟ, ମହ ଗାଁ ଉଚ୍ଚ ବିଦ୍ୟାଳୟ, ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ସିନାପାଲି ଓ ବେଲାରାଣୀ ଉଚ୍ଚ ବିଦ୍ୟାଳୟ ଚଟିଆଗୁଡା ଠାରେ ମଧ୍ୟ ବିଶ୍ୱ ଜଳାତଙ୍କ ଦିବସ ଅବସରରେ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି।