-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
31-Aug-2026
ସଇଁତଳା ତା ୩୧/୮(ପ୍ରେରଣା ଖବର) : ଭାରତୀୟ ପ୍ରଜ୍ଞା, ଶାଶ୍ୱତ ଚେତନା ତଥା ଐତିହ୍ୟର ମୂଳାଧାର ଦେବଭାଷା ସଂସ୍କୃତର ବହୁଳ ପ୍ରଚାର ଓ ପ୍ରସାର ଲକ୍ଷ୍ୟରେ ସ୍ଥାନୀୟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଡେଙ୍ଗ ପରିସରରେ ‘ବିଦ୍ଯାଳୟସ୍ଥରୀୟ ସଂସ୍କୃତ ସପ୍ତାହ’ ଭବ୍ୟତାର ସହ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଗଲ କିଶୋର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦ୍ଯାପନୀ ସମାରୋହରେ ବରିଷ୍ଠ ଶିକ୍ଷକ ରାମ ନାରାୟଣ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଥିଲେ ଯେ, ସଂସ୍କୃତ କେବଳ ଏକ ଭାଷା ନୁହେଁ, ବରଂ ଏହା ମାନବୀୟ ସଂସ୍କାର, ବୈଜ୍ଞାନିକ ଦୃଷ୍ଟିକୋଣ ଓ ଜ୍ଞାନ ବିଜ୍ଞାନର ଅକ୍ଷୟ ଭଣ୍ଡାର। ସଂସ୍କୃତ ଶିକ୍ଷକ ସୁଦର୍ଶନ ଦାଶ ସମଗ୍ର କାର୍ଯ୍ୟକ୍ରମର ସଂଯୋଜନା ତଥା ମଞ୍ଚ ପରିଚାଳନା କରିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୁଦ୍ଧ ଭାଷା ପ୍ରୟୋଗ, ବ୍ୟାକରଣ ନୈପୁଣ୍ୟ ଓ ପ୍ରାଚୀନ ସାହିତ୍ୟ ପ୍ରତି ଅନୁରକ୍ତି ଜାଗ୍ରତ କରିବା ନିମନ୍ତେ ପ୍ରେରଣାଦାୟୀ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି ସପ୍ତାହବ୍ୟାପୀ ମହୋତ୍ସବରେ ବିଦ୍ୟାର୍ଥୀଙ୍କ ବୌଦ୍ଧିକ ବିକାଶ ଉଦ୍ଦେଶ୍ୟରେ ଶ୍ଳୋକାବୃତ୍ତି, ବେଦପାଠ, ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଭାମାନଙ୍କୁ ମଞ୍ଚାସୀନ ଅତିଥିବୃନ୍ଦ ପୁରସ୍କୃତ କରି ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମର ସଫଳ ପରିଚାଳନା ଓ ଶୃଙ୍ଖଳା ରକ୍ଷାରେ ଶିକ୍ଷକ କୃପାସିନ୍ଧୁ ମିଶ୍ର, ସମୀର ସେଠି, ଦୀପକ ସେନ ଧରୁଆ, ବୃନ୍ଦାବନ ଭୂଏ, ଅବିନାଶ ଭୋଇ ଏବଂ ଶିକ୍ଷୟିତ୍ରୀ ଗାୟତ୍ରୀ ବାରିକ ଓ ତପସ୍ଵିନୀ ପଟେଲ ପ୍ରମୁଖ ସକ୍ରିୟ ଯୋଗଦାନ କରିଥିଲେ। ଅନ୍ତେ ବୈଦିକ ଶାନ୍ତିପାଠ ସହ ସମାରୋହର ସାଙ୍ଗ ହୋଇଥିଲା।