-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
09-Feb-2021
ନୂଆଦିଲ୍ଲୀ (ପ୍ରେରଣା ଖବର): ଜୁନ୍ ୨୦୨୦ରୁ ଭାରତ-ଚୀନ ମଧ୍ୟରେ ଲାଇନ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲ(ଏଲଏସି)ରେ ଲାଗିରହିଥିବା ବିବାଦର ଏ ପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ। ଲାଗିରହିଥିବା ବିବାଦର ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ୯ଥର କମାଣ୍ଡରସ୍ତରୀୟ ବୈଠକ ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନାହିଁ। ଦୁଇ ଦେଶ ଏଲଏସିରୁ ସୈନ୍ୟ ପ୍ରତ୍ୟାହାର ପାଇଁ ରାଜି ନଥିବା ବେଳେ ଏବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି। ଚୀନର ନୂଆ ବର୍ଷ ଥିବା ବେଳେ ଜିନପିଙ୍ଗ ପିଏଲଏ ବାୟୁସେନା ୟୁନିଟ୍ ଗସ୍ତ କରିଥିଲେ। ଏହି ସମୟରେ ଅଭିଭାଷଣ ଦେଇ ସମଗ୍ର ସୈନ୍ୟବାହିନୀକୁ ଜାତୀୟ ସୁରକ୍ଷା ତଥା ଲୋକଙ୍କ ସୁଖ ଏବଂ ଶାନ୍ତି ରକ୍ଷା କରିବା ପାଇଁ ଯୁଦ୍ଧ ପ୍ରସ୍ତୁତିକୁ ଦୃଢ଼ କରିବାକୁ କହିଥିଲେ। ରାଷ୍ଟ୍ରପତିଙ୍କ ଏଭଳି ବିବୃତି ଆଗକୁ ପରିସ୍ଥିତି ଗମ୍ଭୀର ହୋଇପାରେ ବୋଲି ଦର୍ଶାଉଛି। ତେବେ ଏହା ପ୍ରଥମ ନୁହେଁ, ଗତବର୍ଷ ଅକ୍ଟୋବର ୧୪ରେ ମଧ୍ୟ ରାଷ୍ଟ୍ରପତି ଜିନପିଙ୍ଗ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)କୁ ନିର୍ଦ୍ଦେଶ ଦେଇଥିଲେ ।ଉଲ୍ଲେଖଯୋଗ୍ୟ, ଜୁନ ୨୦୨୦ରେ ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହେବା ଫଳରେ ଅତି କମରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ସେହିପରି ଚୀନ ପକ୍ଷରୁ ୪୩ ଜଣ ମୃତାହତ ହୋଇଥିବା ଜାତୀୟ ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଥିଲା। ନିଜର ୨୦ଜଣ ଯବାନଙ୍କୁ ହରାଇବା ପରେ ଚୀନକୁ କଡ଼ା ଜବାବ ଦେବା ପାଇଁ ଗୋଟେ ପରେ ଗୋଟେ ପଦକ୍ଷେପ ନେଇଥିଲେ ଭାରତ ସରକାର। ଚାଇନିଜ ଆପ ଉପରେ ପ୍ରତିବନ୍ଧକ ଲଗାଇବା ସହ ଚାଇନିଜ କମ୍ପାନିକୁ ଭାରତ ସରକାର ଦେଇଥିବା ବଡ଼ ବଡ଼ ପ୍ରକଳ୍ପର ଠିକାକୁ ବାତିଲ କରିଥିଲେ।