-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
09-Feb-2021
ରାୟଗଡ଼ା (ପ୍ରେରଣା ଖବର): ଗୁରୁତର ରୋଗୀଙ୍କୁ ନେଇ ବିଶାଖାପାଟଣା ଅଭିମୁଖେ ଯାଉଥିବା ସରକାରୀ ଆମ୍ବୁଲାନସ୍ ଅଚଳ ଯୋଗୁ ରୋଗୀ ଓ ସଂପର୍କୀୟଙ୍କୁ ହଟହଟା ହେବାକୁ ପଡ଼ିଛି। ଦେଢ଼ ଘଣ୍ଟା ପରେ ଅନ୍ୟ ଏକ ଆମ୍ବୁଲାନସ୍ ଯୋଗେ ରୋଗୀଙ୍କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ପ୍ରତିବାଦରେ ଅଚଳ ଆମ୍ବୁଲାନସ୍ ଡ୍ରାଇଭରକୁ ରୋଗୀ ସଂପର୍କୀୟ ଓ ସ୍ଥାନୀୟ ଲୋକ ଘେରିବା ସହ ମୋବାଇଲ୍ ଛଡ଼ାଇ ନେଇଥିଲେ। ଶେଷଖାଲ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନସ୍ ଡ୍ରାଇଭରକୁ ଉଦ୍ଧାର କରିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ମିଳିଥିବା ସୂଚନାନୁଯାୟୀ, ଜେକେପୁର ନିକଟସ୍ଥ ନାଇଡୁପେଟାର ଜି. ଭାର୍ଗବ ପିତାମହଲସ୍ଥିତ ଏଲ୍. ଭି. ପ୍ରସାସ ଚକ୍ଷୁ ଚିକିତ୍ସାଳୟରେ କାମ କରନ୍ତି। ଶୁକ୍ରବାର ଦିନ ଭାର୍ଗବ କରୋନା ଟିକା ନେଇଥିଲେ। ଟିକା ନେବା ପରେ ଭାର୍ଗବ ସୁସ୍ଥ ଅନୁଭବ କରିଥିବା ବେଳେ ରବିବାର ରାତିରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ଭୋର୍ ୩ଟାରେ ପରିବାର ଲୋକ ଭାର୍ଗବଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଆଜି ସକାଳ ୮ଟାରେ ଭାର୍ଗବଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଦେଖା ଦେବା ସହ କାନ ଓ ପାଟିରୁ ରକ୍ତସ୍ରାବ ହୋଇଥିଲେ। ଅଧିକ ଚିକିତ୍ସା ପାଇଁ ଡାକ୍ତର ସୁରେଶ ଦେବ ଭାର୍ଗବଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ୍ କଲେଜକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ଭାର୍ଗବଙ୍କ ସଂପର୍କୀୟ ଭଲ ଚିକିତ୍ସା ଆଶାରେ କୋରାପୁଟ ବଦଳରେ ଆମ୍ବୁଲାନସ୍ ନେଇ ବିଶାଖାପାଟଣା ଅଭିମୁଖେ ଯାଉଥିଲେ। ରାୟଗଡ଼ାରୁ ୧୦ କିମି ଦୂର ବିଷ୍ଣୁଗୁଡ଼ା ନିକଟରେ ସକାଳ ପ୍ରାୟ ୯ଟାରେ ଆମ୍ବୁଲାନସ୍ ଅଚଳ ହୋଇ ପଡିଥିଲା। ଭାର୍ଗବଙ୍କ ସ୍ଥିତି ବିଗିଡ଼ିବାରେ ଲାଗିଥିବା ବେଳେ ଆମ୍ବୁଲାନସ୍ ଖରାପ ହେବା ସଂପର୍କରେ ଡ୍ରାଇଭର ସୂଚନା ଦେବା ପରେ ସଂପର୍କୀୟ ଡ୍ରାଇଭରଙ୍କୁ ଘେରିଥିଲେ। ରୋଗୀ ସଂପର୍କୀୟଙ୍କ ହୋ ହାଲ୍ଲା ଶୁଣି ସ୍ଥାନୀୟ ଲୋକ ଆମ୍ବୁଲାନସ୍ ନିକଟକୁ ଆସି ତୁରନ୍ତ ଅନ୍ୟ ଏକ ଆମ୍ବୁଲାନସ୍ ଆଣିବାକୁ ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷଙ୍କ ସୂଚନା ଦେବାକୁ ଡ୍ରାଇଭରକୁ କହିଥିଲେ। କିନ୍ତୁ ଆମ୍ବୁଲାନସ୍ ପହଞ୍ଚିବାରେ ବିଳମ୍ବ ହେବା ପରେ ଡ୍ରାଇଭରକୁ ଲୋକ ଅଟକ ରଖିବା ସହ ମୋବାଇଲ୍ ଛଡ଼ାଇ ନେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଏକ ଆମ୍ବୁଲାନସ୍ ଯୋଗେ ରୋଗୀଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରିଥିଲା। ଦେଢ଼ ଘଣ୍ଟା ଧରି ଗୁରୁତର ଭାର୍ଗବ ଅଚଳ ଆମ୍ବୁଲାନସରେ ଫସି ରହିବା କାରଣରୁ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡ଼ି ଯାଇଥିଲା। ରାସ୍ତାରେ ତାଙ୍କୁ ପାର୍ବତୀପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଭାର୍ଗବଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣା ପଡିଛି। କୋଭିଡ଼୍ ଟିକା ନେବା ପରେ ଏପରି ହୋଇଥିବା ଭାର୍ଗବଙ୍କ ସଂପର୍କୀୟ ସନ୍ଦେହ କରୁଥିବା ବେଳେ ଚିକିତ୍ସା କରୁଥିବା ଡା. ସୁରେଶ ଦେବ ଏହାକୁ ଖଣ୍ଡନ କରିଛନ୍ତି। ଟିକାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ ବୋଲି ଡାକ୍ତର ପ୍ରକାଶ କରିଛନ୍ତି।