-+91-9937148622 |
prerana_bgr@rediffmail.com |
Friday 14th August 2026 |
R.N.I. Regd No. ODIODI/2010/46693
Breaking News
11-Jan-2021
ବରଗଡ଼ (ପ୍ରେରଣା ଖବର): ମଣିଷର ମୃତ୍ୟୁ ହେବା ପରେ ଆଉ ସେ ଜୀବନ୍ତ ହୁଏ ନାହିଁ ଏହା ସମସ୍ତଙ୍କୁ ଜଣା। ବହୁ ପୁରାତନ କାଳରେ ମୃତ ଶବକୁ ଯତ୍ନ ସହକାରେ ରଖୁଥିଲେ। ମୃତକର ଜୀବନ ଫେରି ପାଇବା ଆଶାରେ ଯାହା ଏକ ଅନ୍ଧବିଶ୍ଵାସ ରହିଥିଲା। ମାତ୍ର ବର୍ତ୍ତମାନର ଆଧୁନିକ ଯୁଗରେ ଯଦି ମୃତ ଶବକୁ ଦଶ ଦିନ ଧରି ଘରେ ରଖାଯାଏ, ତାହାବି ପୁଣି ମୃତକଙ୍କ ଜୀବନ ଫେରିବା ଆଶାରେ। ବୋଧ ହୁଏ ଏହାକୁ କେହି ବିଶ୍ୱାସ କରିପାରିବେ ନାହିଁ। ମୃତ ଶବର ଜୀବନ ଫେରିବା ଆଶାରେ ଶବ ପରିତ୍ୟକ୍ତ ଅବସ୍ଥାକୁ ଆସି ପଚିସଢି ଦୁର୍ଗନ୍ଧରେ ଏରିଆ ଫାଟିପଡୁଛି। ପୋକ ଶାଳବଳ ହୋଇ ଘରେ ବୁଲୁଛନ୍ତି ତଥାପି ଶବର ଜୀବନ ଫେରିବା ଆଶାରେ ପରିବାର ଲୋକେ ଶବକୁ ଘରେ ରଖିଛନ୍ତି। ଏଭଳି ଅଜବ ଘଟଣା ଦେଖିବାକୁ ମିଳିଛି ବରଗଡ ସହରରେ।
ଆଜିର ଯୁଗରେ ପୁଣି ବରଗଡ ସହରରେ ଏପରି ଅନ୍ଧବିଶ୍ୱାସ ଦେଖିବାକୁ ମିଳିଛି। ଏପରି ଘଟଣାର ଖବର ପାଇବା ପରେ ଘଟଣା ସ୍ଥଳକୁ ବରଗଡ଼ର ଏକ ସାମାଜିକ ଅନୁଷ୍ଠାନ ”ସଂକଳ୍ପ ପରିବାର” ପହଞ୍ଚିଥିଲା ଏବଂ ପୋଲିସ ପ୍ରଶାସନର ସହାୟତାରେ ଶବକୁ ସତ୍କାର କରିଥିଲା।
କଣ ଥିଲା ପ୍ରକୃତ ଘଟଣା ? ବରଗଡ ବରଡୋଲ ପଞ୍ଚାଯତ ଡାଙ୍ଗ ଛକ ଠାରେ ମହେନ୍ଦ୍ର ବାଗ ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ ପରିବାରରେ ଦୁଇ ଝିଅ, ସ୍ତ୍ରୀ ଓ ଶାଶୁ ଥିବା ବେଳେ ଘର ଚଲାଉଥିବା ଏକମାତ୍ର ପୁରୁଷଙ୍କ ମୃତ୍ୟୁ ପରେ ପରିବାର ଲୋକେ ଶବକୁ ସତ୍କାର ନକରି ଜୀବନ ଫେରିପାଇବା ଆଶାରେ ଦୀର୍ଘ ୧୦ ଦିନ ଧରି ଘରେ ରଖିଥିଲେ।
ଆଶ୍ଚର୍ଯ୍ୟର ବିଷୟ ଯେ ଦୁର୍ଗନ୍ଧରେ ନାକ ଫାଟି ପଡ଼ିଲା। ଘର ପାଖ ମାଡିହେଲା ନାହିଁ। ମାତ୍ର ଗୋଟିଏ କୋଠରୀ ଭିତରେ ଏତେ ଦିନଧରି ପରିବାରର ୪ ଜଣ ରହିଯାଉଥିଲେ, ଯାହା ସମସ୍ତଙ୍କୁ ଚକିତ କରିବ। ଏହା ପରିବାର ଲୋକଙ୍କ ଅନ୍ଧବିଶ୍ଵାସ ହୋଇପାରେ କିମ୍ବା ଅଧିକ ଭଲପାଇବା ଓ ପାଗଳାମି ମଧ୍ୟ ହୋଇପାରେ। ତେବେ ବରଗଡର ସଂକଳ୍ପ ପରିବାର ବରଗଡ ଟାଉନ ପୋଲିସର ସହାୟତାରେ ପରିତ୍ୟକ୍ତ ଶବକୁ ଉଦ୍ଧାର କରି ଶବ ସତ୍କାର କରିଥିଲେ।