-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
10-Jan-2021
ଖଣ୍ଡପଡା,(ପ୍ରଦୀପ କୁମାର ପଣ୍ଡା)- ଖଣ୍ଡପଡା ବ୍ଳକ ଅଧିନ ଖଳିସାହି ଓ ମର୍ଦ୍ଦରାଜପୁର ଚୋରା ଗଞ୍ଜେଇ ଓ ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଥିବା ନେଇ ସ୍ଥାନୀୟ ବାସିନ୍ଦା ବହୁବାର ଖଣ୍ଡପଡା ଓ ନୟାଗଡ ଜିଲ୍ଲା ଅବକାରୀ ବିଭାଗ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ବିଭାଗୀୟ ଅଧିକାରୀମାନେ ବିଭିନ୍ନ ସମୟରେ ଲୋକଦେଖାଣିଆ ଭାବେ ଚଢାଉ କରି ପରୋକ୍ଷରେ ନିଶାଦ୍ରବ୍ୟର ଅବାଧ କାରବାରରେ ସଂପୃକ୍ତ ମାଫିଆମାନଙ୍କୁ ନିଶାଦ୍ରବ୍ୟର କାରବାର ନିମନ୍ତେ ପ୍ରୋତ୍ସାହନ ଯୋଗାଇ ଆସୁଥିଲେ । ଫଳସ୍ୱରୁପ ସମୟାନୁକ୍ରମେ ନିଶା ମାଫିଆମାନେ ନିର୍ବିଘ୍ନରେ ସେମାନଙ୍କର କାୟା ବିସ୍ତାର କରିଚାଲିଥିଲେ । ତେବେ କୈାଣସି ବିଶେଷ ସୁତ୍ରରୁ ସୂଚନା ପାଇ କେନ୍ଦ୍ରାଚଂଳ ଅବକାରୀ ଗୁଇନ୍ଦା ବିଭାଗ କଟକ ଟିମ ଶୁକ୍ରବାର ପୂର୍ବାହ୍ନରେ ଖଳିସାହି ଗ୍ରାମରେ ଅଚାନକ ଚଢାଉକରି ଶେଖ୍ ନିଜାମଉଦ୍ଦିନଙ୍କ ପତ୍ନୀ ଲକି ସ୍ୱାଇଁ(୨୩)ଙ୍କ ଠାରୁ ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିବା ଘଟଣା ଖଳିସାହି ଓ ଏହାର ଆଖପାଖ ଗ୍ରାମର ବାସିନ୍ଦାଙ୍କୁ ଚକିତ କରିଦେଇଛି । ଖଣ୍ଡପଡା ଅଂଚଳର ଜଣେ କମ ବୟସ୍କ ମହିଳାଙ୍କ ଠାରୁ ଏତେ ପରିମାଣର ବ୍ରାଉନସୁଗାର ଜବତ ହୋଇଥିବା ବେଳେ ମହିଳାଙ୍କ ପଛରେ ଏକ ବଡଧରଣର ର୍ୟାକେଟ କାର୍ଯ୍ୟ କରୁଥିବା ନେଇ ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଛି । ଅବକାରୀ କର୍ମଚାରୀଙ୍କ ଦ୍ୱାରା ଗିରଫ ମହିଳାଙ୍କ ସ୍ୱାମୀ ଶେଖ ନିଜାମଉଦ୍ଦିନ ଜଣେ ପେଶାଦାର ଅପରାଧୀ ବୋଲି ପୋଲିସ ସୁତ୍ରରୁ ଜଣାପଡିଛି । ଉକ୍ତ ଯୁବକର ଘର ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅଧିନ ଅରଖପଲ୍ଲୀ ଗ୍ରାମରେ ବୋଲି ଜଣାପଡିଛି । ଗତ ୨୦୦୦ ମସିହାରୁ ଶେଖ ନିଜାମଉଦ୍ଦିନ ଖଳିସାହି ବଜାରରେ ଏକ ଚିକେନ କାଉଂଟରରେ କାମ କରୁଥିବା ବେଳେ ପରବର୍ତୀ ସମୟରେ ନିଶା କାରବାରରେ ସାମିଲ ହୋଇଥିବା ସୂଚନା ମିଳିଛି । ଚୋରୀ, ଲୁଟତରାଜ, ରାହାଜାନୀ ପରି ଅନେକ ଘଟଣାରେ ଲିପ୍ତଥିବା ଉକ୍ତ ଯୁବକଙ୍କ ନାମରେ ବୋଲଗଡ, ଇଟାମାଟି, ଖଣ୍ଡପଡା, ଫତେଗଡ, ବେଗୁନିଆ ଥାନାରେ ଏବେବି ଏକାଧିକ ମାମଲା ଗଡୁଥିବା ଜଣାପଡିଛି । ଦୀର୍ଘ ୨୦ ବର୍ଷ ଧରି ଖଳିସାହି ବଜାରରେ ନିଶା କାରବାର ଚଳାଇଥିବା ଉକ୍ତ ଯୁବକ ଜଣଙ୍କ ନିଜର ପତ୍ନୀଙ୍କୁ ମଧ୍ୟ ଏହି କାରବାରରେ ନିୟୋଜିତ କରିବା ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଅବକାରୀ ବିଭାଗର ଚଢାଉ ସମୟରେ ଶେଖ ନିଜାମଉଦ୍ଦିନ କୈାଶଳକ୍ରମେ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଥିବା ସୂଚନା ମିଳିଛି । ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଏହା ପଛରେ କାର୍ଯ୍ୟ କରୁଥିବା ର୍ୟାକେଟକୁ ଧରପଗଡ ନିମନ୍ତେ ଅବକାରୀ ବିଭାଗ ଉଚ୍ଚ କର୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଓ ନୟାଗଡ ଏସପି ଦୃଷ୍ଟିଦେବାକୁ ଅଂଚଳବାସୀ ଦାବି କରିଛନ୍ତି ।