-+91-9937148622 |
prerana_bgr@rediffmail.com |
Friday 14th August 2026 |
R.N.I. Regd No. ODIODI/2010/46693
Breaking News
14-Aug-2026
ସୁନ୍ଦରଗଡ(କାଞ୍ଚନପ୍ରଭା ନନ୍ଦ) : ଦେଶ ବିଭାଜନ ସମୟରେ ପ୍ରାଣ ହରାଇଥିବା ଏବଂ ଅକଥନୀୟ ଯନ୍ତ୍ରଣା ଭୋଗିଥିବା ଲକ୍ଷ ଲକ୍ଷ ନିରୀହ ନାଗରିକଙ୍କ ସ୍ମୃତିଚାରଣ ତଥା ଦେଶର ଅଖଣ୍ଡତା ବଜାୟ ରଖିବା ଓ ଶାନ୍ତି , ଅହିଂସା ଓ ଭାତୃତ୍ୱ ଭାବନା ର ପ୍ରସାର ଉଦ୍ଦେଶ୍ୟରେ ଆଜି ସ୍ଥାନୀୟ ସଂସ୍କୃତି ଭବନଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଭୀର ଶ୍ରଦ୍ଧା ଓ ଗାମ୍ଭୀର୍ଯ୍ୟପୂର୍ଣ୍ଣ ପରିବେଶରେ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳିତ ହୋଇଯାଇଛି।
କାର୍ଯ୍ୟକ୍ରମର ପ୍ରାରମ୍ଭରୁ ବିଭାଜନ ସମୟରେ ପ୍ରାଣ ହରେଇଥିବା କରୁଣ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ବିଭାଜନ ସମୟରେ ପ୍ରାଣ ହରାଇଥିବା ସମସ୍ତ ଅମର ଆତ୍ମାଙ୍କ ସଦ୍ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ମାନ୍ୟବର ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶ ବିଭାଜନର କରୁଣ ଇତିହାସ ଏବଂ ଏହାର ପ୍ରଭାବ ଉପରେ ଆଲୋକପାତ କରିଥିଲେ। ମାନ୍ୟବର ଉପବାଚସ୍ପତି ନିଜ ବକ୍ତବ୍ୟରେ କହିଥିଲେ ଯେ, ୧୯୪୭ ମସିହା ଅଗଷ୍ଟ ମାସର ଦେଶ ବିଭାଜନ କେବଳ ଭୂଗୋଳର ସୀମାରେଖା ନଥିଲା, ବରଂ ଏହା ଥିଲା ଲକ୍ଷ ଲକ୍ଷ ପରିବାରଙ୍କ ବିସ୍ଥାପନ, ନିର୍ଯାତନା ଏବଂ ଅଶ୍ରୁଳ ଇତିହାସର ଏକ କଳା ଅଧ୍ୟାୟ। ସେହି ଐତିହାସିକ ବଳିଦାନକୁ ମନେ ପକାଇ ଦେଶର ଏକତା, ଅଖଣ୍ଡତା ଏବଂ ସାମାଜିକ ସଦ୍ଭାବନାକୁ ସର୍ବଦା ବଜାୟ ରଖିବାକୁ ସେ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମରେ ଯୋଗୀମାଲ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଶ୍ରୀ ରତ୍ନାକର ବେହେରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଦେଶର ଏକତା,ଅଖଣ୍ଡତା,ଶାନ୍ତି , ମୈତ୍ରୀ ବଜାୟ ରଖିବା ତଥା ଦେଶ ତଥା ଜାତି ନିମନ୍ତେ ନିଜକୁ ଉତ୍ସର୍ଗ କରିବା ନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ।
ସେହିଭଳି ଆଜିର ଯୁବପିଢ଼ି ଦେଶର ଇତିହାସର ଏହି ଯନ୍ତ୍ରଣାଦାୟକ ଅଧ୍ୟାୟରୁ ଶିକ୍ଷା ଗ୍ରହଣ କରି ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଯୋଗଦାନ ଦେବା ଉଚିତ ବୋଲି ସଭାରେ ଉପସ୍ଥିତ ସମସ୍ତ ଅତିଥି ମାନେ ମତପ୍ରକାଶ କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦେଶ ବିଭାଜନ ସମୟର ବିସ୍ଥାପନ, ଯାତନା ଓ ସଂଘର୍ଷକୁ ଦର୍ଶାଉଥିବା ଏକ ସ୍ୱତନ୍ତ୍ର ଚଳଚ୍ଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ପିଲାମାନେ ହେଉଛନ୍ତି ଦେଶର ଭବିଷ୍ୟତ। ଏହି ଚଳଚ୍ଚିତ୍ରର ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପିଲାମାନଙ୍କ ମନରେ ଦେଶଭକ୍ତି ମନୋଭାବ କୁ ଉତ୍ପନ୍ନ କରିବା ।
ଏହି ସ୍ମୃତିସଭାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ
ସନ୍ତୋଷ ଅମାତ, ସୁନ୍ଦରଗଡ଼ ପୌରପାଳିକା ର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ , ସଦର ଉପ ଜିଲ୍ଲାପାଳ ଶ୍ରୀମତୀ ତେଜସ୍ୱିନୀ ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ନୂତନ ସାମଦ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସାରଙ୍ଗଧର ବରିହା, ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ସମାଜସେବୀ ଶ୍ରୀ ଗିରିଶ ଚନ୍ଦ୍ର ସାହୁ, ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବୀ, ସାମାଜିକ କର୍ମୀ ତଥା ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।