-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
09-Jan-2021
ବାଲିଗୁଡ଼ା (ପ୍ରେରଣା ଖବର): ସରୁନି ଦାଦନ ଦୁଃଖ। ଗାଁରେ କାମଧନ୍ଦା ନପାଇ ଦାଦନ ଖଟିବାକୁ କନ୍ଧମାଳ ବାଲିଗୁଡ଼ା ଅଞ୍ଚଳରୁ କେରଳ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ପୁଅର ଶବ କେରଳରୁ ବାଲିଗୁଡ଼ା ଘରକୁ ଫେରାଇ ଆଣିବାକୁ ପରିବାର ଲୋକ ପ୍ରଶାସନ ପାଖରେ ଗୁହାରି କରିଛନ୍ତି। ମିଳିଥିବା ସୂଚନା ପ୍ରକାରେ, ବାଲିଗୁଡ଼ା ସୁନାପାଙ୍ଗା ସାହିର ଅନିଲ ବିଷୋୟୀଙ୍କ ପୁଅ ଶ୍ରୀଧର ବିଷୋୟୀ(୨୧)ଙ୍କ ଗତ ତିନିଦିନ ତଳେ କେରଳରେ ମୃତ୍ୟୁ ହୋଇଯାଇଛି। ପୁଅର ମୃତ୍ୟୁ ଖବର ପାଇ ଦୁଃଖରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ତିନିଦିନ ହେବ ପୁଅର ଶବ ଗାଁକୁ ଆସିପାରୁ ନଥିବା ହେତୁ ପରିବାର ଲୋକେ ପ୍ରଶାସନ ପାଖରେ ନିବେଦନ କରିଛନ୍ତି। ଗତ ଦୁଇବର୍ଷ ହେଲା ଶ୍ରୀଧର କେରଳରେ ଏର୍ଣ୍ଣାକୁଲମ ଜିଲ୍ଲା ଜର୍ଜକାର୍ଟୁନ କମ୍ପାନିରେ ଶ୍ରମିକ ଭାବେ କାମ କରୁଥିଲେ। ସେ ଘରର ଏକମାତ୍ର ରୋଜଗାରିଆ ପୁଅ। ବୁଧବାର ସକାଳୁ କେରଳ ପୁଲିସ ଶ୍ରୀଧରଙ୍କ କ୍ଷତବିକ୍ଷତ ଶବ ଉଦ୍ଧାର କରି ବାଲିଗୁଡ଼ା ଥାନାକୁ ଖବର ଦେଇଥିଲେ। ବାଲିଗୁଡ଼ା ପୁଲିସ ଖବର ପାଇବା ପରେ ଶ୍ରୀଧରଙ୍କ ପରିବାର ଲୋକଙ୍କୁ ଏହି ଦୁଃଖଦ ଖବର ଦେଇଥିଲେ। କେହି ଦୁର୍ବୃତ୍ତ ଶ୍ରୀଧରକୁ ହତ୍ୟା କରି ଟ୍ରେନ୍ ଲାଇନ୍ରେ ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଶ୍ରୀଧରଙ୍କ ବାପା ଅତ୍ୟନ୍ତ ଗରିବ ଓ କେରଳରୁ ଶବ ଆଣିବାକୁ ସମର୍ଥ ନୁହନ୍ତି। ତେଣୁ ସେ ପୁଅର ଶବ ଗାଁକୁ ଆଣିବାକୁ ଉପଜିଲ୍ଲାପାଳଙ୍କୁ ଲିଖତ ଭାବେ ନିବେଦନ କରିଛନ୍ତି।