-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
17-Aug-2026
ସମ୍ବଲପୁର :(ସଂଜୀବ ପାଣିଗ୍ରାହୀ )-
ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ୧୫ ଅଗଷ୍ଟ ୨୦୨୫ ଦିନ ସମ୍ବଲପୁରଠାରେ ଜାତୀୟ ପତାକା ଉତ୍ତୋଳନ କରି ଏକ ପ୍ରେସମିଟ୍ ଜରିଆରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସମ୍ବଲପୁର ଜିଲ୍ଲାର ବିକାଶ ଧାରା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି। ସମ୍ବଲପୁର ଜିଲ୍ଲାରେ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦିଆଯାଇ ୪୦ ହଜାରରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ 'ଲକ୍ଷପତି ଦିଦି' ଭାବେ ପରିଚିତ କରାଯାଇଥିବା ବେଳେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆନୁଷ୍ଠାନିକ ପ୍ରସବ ହାର ଶତପ୍ରତିଶତରେ ପହଞ୍ଚିଛି ଏବଂ ମ୍ୟାଲେରିଆ ଜନିତ ମୃତ୍ୟୁକୁ ଶୂନ କରାଯାଇଛି। ଏହାସହ ହେପାଟାଇଟିସ୍ ଚିହ୍ନଟ ଓ ଚିକିତ୍ସା ଏବଂ ପରିସଂଖ୍ୟାନ କାର୍ଯ୍ୟକଳାପ ପାଇଁ ସମ୍ବଲପୁର ଜିଲ୍ଲାକୁ ପ୍ରଥମ ପୁରସ୍କାର ମିଳିଛି। ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ମାଛ ଚାଷ ନିମନ୍ତେ ନୂତନ ପୋଖରୀ ଖନନ ଯୋଜନା ମାଧ୍ୟମରେ ମାଛ ଉତ୍ପାଦନ ୫୩ ହଜାର ମେଟ୍ରିକ ଟନକୁ ବୃଦ୍ଧି ପାଇଥିବାବେଳେ ଖରିଫ ଋତୁରେ ୬୩ ହଜାରରୁ ଅଧିକ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଇ ପ୍ରାୟ ଏକ ହଜାର କୋଟି ଟଙ୍କା ଏମଏସପି ବାବଦରେ ପ୍ରଦାନ କରାଯାଇଛି।
ସମ୍ବଲପୁରର ଐତିହ୍ୟ, ଆଧ୍ୟାତ୍ମିକତା ଓ ପର୍ଯ୍ୟଟନର ବିକାଶ ନିମନ୍ତେ ଖିଣ୍ଡାରେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠର ବିକାଶ, ସଂଗ୍ରହାଳୟ ନିର୍ମାଣ, ୧୦୦ କୋଟି ଟଙ୍କା ବ୍ୟୟରେ ହୀରାକୁଦ ଜଳଭଣ୍ଡାରର ପାରିପାର୍ଶ୍ୱିକ ବିକାଶ ଏବଂ କର୍ଡୋଲାରେ ୧୫.୭୦ କୋଟି ଟଙ୍କାର ବୟନ ଗ୍ରାମ ଓ କ୍ରାଫ୍ଟ ସେଣ୍ଟର ପ୍ରତିଷ୍ଠା କରାଯାଉଛି। ରାଜ୍ୟ ସ୍ତରରେ ଖାଦ୍ୟ ସୁରକ୍ଷାକୁ ବ୍ୟାପକ କରିବା ପାଇଁ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ଜରିଆରେ ହିତାଧିକାରୀଙ୍କୁ ଅତିରିକ୍ତ ଚାଉଳ ଦିଆଯାଉଥିବା ବେଳେ ଶିଳ୍ପ ଓ ପୁଞ୍ଜିନିବେଶ କ୍ଷେତ୍ରରେ ୫୦୦ଟି ବୃହତ୍ ପ୍ରକଳ୍ପ ଅନୁମୋଦିତ ହୋଇ ଲକ୍ଷାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉଛି। ଏହାବ୍ୟତୀତ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ସୁଭଦ୍ରା ସୁରକ୍ଷା ଯୋଜନା, ମହାନଦୀ ରିଭରଫ୍ରଣ୍ଟ ବିକାଶ ଏବଂ ଜଳସେଚନ ଓ ବନ୍ୟା ପରିଚାଳନା ପାଇଁ କୋଟିକୋଟି ଟଙ୍କାର ବିଭିନ୍ନ ନୂତନ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଉଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ଦିଗରେ ରାଜ୍ୟ ସରକାର ଅଗ୍ରସର ହେଉଛନ୍ତି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି