-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
17-Aug-2026
ସମ୍ବଲପୁର:(ସଂଜୀବ ପାଣିଗ୍ରାହୀ )-
ଆଜି ସମ୍ବଲପୁର ଜିଲ୍ଲା ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଜାତୀୟ ଉତ୍ସବରେ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ଯାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ, ଓଡ଼ିଶା ସରକାର, ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଗୌରବମୟ କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ (SP) ଏବଂ ସମ୍ବଲପୁର ମହାନଗର ନିଗମ (SMC) କମିଶନରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ନିଜ ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ପାତ୍ର ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏ, ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ସନ୍ଥକବି ଭୀମ ଭୋଇଙ୍କ ସମେତ ସମ୍ବଲପୁର ମାଟିର ଅଗଣିତ ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ୱାଧୀନତା ସଂଗ୍ରାମରେ ଏହି ଅଞ୍ଚଳର ଅବଦାନକୁ ଚିରସ୍ମରଣୀୟ ବୋଲି ବର୍ଣ୍ଣନା କରିଥିଲେ।
ମହିଳା ସଶକ୍ତୀକରଣ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସମ୍ବଲପୁରର ସଫଳତାକୁ ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ଯେ ଜିଲ୍ଲାର ୪୦ ହଜାରରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଆଜି 'ଲକ୍ଷପତି ଦିଦି' ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେହିପରି ଚଳିତ ବର୍ଷ ଏପ୍ରିଲରୁ ଜୁନ୍ ମଧ୍ୟରେ ୩,୮୦୫ଟି ଆନୁଷ୍ଠାନିକ ପ୍ରସବ ସହ ଶତପ୍ରତିଶତ ଲକ୍ଷ୍ୟ ହାସଲ ହୋଇଛି ଏବଂ ମ୍ୟାଲେରିଆ ଜନିତ ମୃତ୍ୟୁକୁ ଶୂନରେ ରଖିବାରେ ଜିଲ୍ଲା ଉଲ୍ଲେଖନୀୟ ସଫଳତା ପାଇଛି। ହେପାଟାଇଟିସ୍ ଚିହ୍ନଟ ଏବଂ ଚିକିତ୍ସା କ୍ଷେତ୍ରରେ ସମ୍ବଲପୁର ରାଜ୍ୟରେ ପ୍ରଥମ ପୁରସ୍କାର ଲାଭ କରିବା ସହ ଯୋଜନା ଓ ସଂଯୋଜନ ବିଭାଗ ଦ୍ୱାରା ପରିସଂଖ୍ୟାନ କାର୍ଯ୍ୟକଳାପରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରି ୨୦ତମ ଜାତୀୟ ପରିସଂଖ୍ୟାନ ଦିବସରେ ସମ୍ବର୍ଦ୍ଧିତ ହୋଇଛି।
କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶ ଦିଗରେ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରି ମନ୍ତ୍ରୀ ଜଣାଇଛନ୍ତି ଯେ ଗତ ଖରିଫ ଋତୁରେ ଜିଲ୍ଲାର ପ୍ରାୟ ୬୩ ହଜାର ଚାଷୀଙ୍କଠାରୁ ୩୨ ଲକ୍ଷ ୭୨ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇ ସେମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ପ୍ରାୟ ଏକ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ମାଛ ଚାଷ ନିମନ୍ତେ ୨୦୨୫-୨୬ ବର୍ଷରେ ୩୫୪ଟି ନୂଆ ପୋଖରୀ ଖୋଳାଯାଇଛି ଏବଂ ଜିଲ୍ଲାରେ ମାଛ ଉତ୍ପାଦନ ୧୧ ପ୍ରତିଶତ ବୃଦ୍ଧି ପାଇ ୫୩ ହଜାର ମେଟ୍ରିକ ଟନରେ ପହଞ୍ଚିଛି।
ସମ୍ବଲପୁରର ଐତିହ୍ୟ ତଥା ପର୍ଯ୍ୟଟନର ବ୍ୟାପକ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଖିଣ୍ଡାଠାରେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠର ୬ କୋଟି ୩୮ ଲକ୍ଷ ଟଙ୍କାର ବିକାଶ ପ୍ରକଳ୍ପ ଏବଂ ୨ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ସଂଗ୍ରହାଳୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ରାଜ୍ୟ ସରକାରଙ୍କ ନୂତନ 'ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା'ର ପ୍ରଥମ ପର୍ଯ୍ୟାୟରେ ବୀର ସୁରେନ୍ଦ୍ର ସାଏଙ୍କ ଗ୍ରାମକୁ ସାମିଲ କରାଯାଇଛି। ଏହା ସହିତ ହୀରାକୁଦ ଜଳଭଣ୍ଡାରର ସମନ୍ୱିତ ବିକାଶ ପାଇଁ ୧୦୦ କୋଟି ଟଙ୍କାର ପ୍ରକଳ୍ପ ଆଗେଇ ଚାଲିଥିବା ବେଳେ କର୍ଡୋଲାଠାରେ ବୟନ ଗ୍ରାମ ଓ କ୍ରାଫ୍ଟ ସେଣ୍ଟର ବିକାଶ ପାଇଁ ୧୫.୭୦ କୋଟି ଟଙ୍କାର କାର୍ଯ୍ୟ ଜାରି ରହିଛି। ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଚଳିତ ବର୍ଷ ଜିଲ୍ଲାରେ ମାଛ ଚାଷ ନିମନ୍ତେ ୩୫୪ଟି ନୂଆ ପୋଖରୀ ଖନନ କରାଯାଉଛି ବୋଲି ସୂଚନା ଦେଇଥିଲେ।
ଏହାବ୍ୟତୀତ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ 'ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା', 'ସୁଭଦ୍ରା ଯୋଜନା', ଓ 'ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା' ସମ୍ପର୍କରେ ସେ ଜନସାଧାରଣଙ୍କୁ ଅବଗତ କରାଇଥିଲେ।ପରିଶେଷରେ, ସାମ୍ପ୍ରତିକ ବନ୍ୟା ସ୍ଥିତିର ମୁକାବିଲା ଓ ଥଇଥାନ କାର୍ଯ୍ୟକୁ ସରକାର ତ୍ୱରାନ୍ୱିତ କରୁଛନ୍ତି ଏବଂ ଏହି ସଙ୍କଟ ସମୟରେ ପ୍ରଶାସନ ଲୋକଙ୍କ ସାଥୀରେ ଅଛି ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଥିଲେ। ଆଗାମୀ ଦିନରେ 'ଓଡ଼ିଶା ଭିଜନ୍ ୨୦୩୬' ଏବଂ 'ବିକଶିତ ଭାରତ ୨୦୪୭' ସ୍ୱପ୍ନକୁ ସାକାର କରିବା ତଥା ସମ୍ବଲପୁରର ଭାଷା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା କରି ଏକ ସମୃଦ୍ଧ ଓଡ଼ିଶା ଗଠନରେ ନିଜକୁ ସମର୍ପିତ କରିବାକୁ ମାନ୍ୟବର ମନ୍ତ୍ରୀ ସମସ୍ତ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି।
ମୁଖ୍ୟ ଅତିଥିଙ୍କ ର ପ୍ୟାରେଡ ରେ ଅଭିବାଦନ ଗ୍ରହଣ କଲା ପରେ ପ୍ରଜ୍ଞାପନ ମେଢ ପଦର୍ଶନ ,ସାଂସ୍କୃତିକକ କାର୍ଯ୍ୟକ୍ରମ ଆଦିର ଆୟୋଜନ କରଯାଇଥିଲା।
। ଏହି ଦିବସ ପାଳନ ଅବସରରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା କରାଯାଇ କୃତି ଛତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରିବା ସହିତ ପ୍ରଜ୍ଞାପନ ମେଢ ଏବଂ ସାଙ୍କୃତିକ କାର୍ଯ୍ୟ କ୍ରମ ପରିବେଷଣ କରିଥିବା ଦଳ ଙ୍କୁ ପୁରସ୍କୃତ କରଯାଇଥିଲା। ସୂଚନା ଅନୁଯାୟୀ ଆଜିର ପରେଡ ରେ ସମୁଦାୟ ୨୯ ଟି ପାରେଡ ଟୃପ ଅଂଶ ଗ୍ରହଣ କରିଥିଲେ।
ପ୍ରଜ୍ଞାପନ ମେଢ଼ ରେ ପ୍ରଥମ ସ୍ଥାନ ଆର.ଟି.ଓ (RTO), ସମ୍ବଲପୁର, ଦ୍ୱିତୀୟ ସ୍ଥାନ ଡି.ପି.ସି, ସମଗ୍ର ଶିକ୍ଷା (DPC, Samagra Shiksha), ସମ୍ବଲପୁର, ତୃତୀୟ ସ୍ଥାନ ଏସ.ଏମ.ସି (SMC), ସମ୍ବଲପୁର ଙ୍କୁ ପୁରସ୍କୃତ କରାଯାଇଥିଲା।
ପରେଡ୍ ପ୍ରତିଯୋଗିତା ରେ ସିନିୟର ଡିଭିଜନ୍ ଏନ.ସି.ସି: ରେ ସରକାରୀ ମହିଳା ମହାବିଦ୍ୟାଳୟ, ସମ୍ବଲପୁର
ଜୁନିୟର ଡିଭିଜନ୍ ଏନ.ସି.ସି: ପ୍ରଥମ- ସୈନିକ ସ୍କୁଲ, ସମ୍ବଲପୁର ଓ ଦ୍ୱିତୀୟ- ସେଣ୍ଟ ଜନ୍ସ ସ୍କୁଲ, ସମ୍ବଲପୁର
ସାଧାରଣ ବର୍ଗ (Civilian)ରେ ପ୍ରଥମ- ଦୟାନନ୍ଦ ପବ୍ଲିକ୍ ସ୍କୁଲ, ସମ୍ବଲପୁର , ଦ୍ୱିତୀୟ- ସିଭିଲ୍ ହିନ୍ଦୀ ହାଇସ୍କୁଲ, ସମ୍ବଲପୁର , ତୃତୀୟ- ସିଭିଲ୍ (ବାଳକ) ସେଣ୍ଟ ଆର୍ନୋଲ୍ଡ ସ୍କୁଲ, ରେମେଡ ଏବଂ ସ୍ୱତନ୍ତ୍ର ସାନ୍ତ୍ୱନା ମୂଳକ ପୁରସ୍କାର ରେ ସ୍କାଉଟ୍/ଗାଇଡ୍, ହିନ୍ଦୀ ହାଇସ୍କୁଲ, ସମ୍ବଲପୁରକୁ ପୁରସ୍କୃତ କରାଯାଇଥିଲା।
ସାଂସ୍କୃତିକ କାର୍ଯ୍ୟକ୍ରମ ରେ
ପ୍ରଥମ ସ୍ଥାନ ସେଣ୍ଟ ଜନ୍ସ ସ୍କୁଲ, ସମ୍ବଲପୁର, ଦ୍ୱିତୀୟ ସ୍ଥାନ ରେ ଓ.ଏ.ଭି (OAV), ଧନକଉଡା ଓ
ତୃତୀୟ ସ୍ଥାନ ସି.ଏସ.ବି ଜିଲ୍ଲା ସ୍କୁଲ (CSB Zilla School), ସମ୍ବଲପୁର କୁ ପୁରସ୍କୃତ କରାଯାଇଥିଲା।
ଶେଷରେ ଜାତୀୟ ସଂଗୀତ ଗାନ ସହ କାର୍ଯ୍ୟକ୍ରମ ସାଙ୍ଗ ହୋଇଥିଲା। ଏହି ଜାତୀୟ ପର୍ବରେ ପ୍ରଶାସନିକ ଅଧିକାରୀ, ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ସାଧାରଣ ଜନତା ବିପୁଳ ସଂଖ୍ୟାରେ ଅଂଶଗ୍ରହଣ କରି ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ।
ଏହା ପରେ ମୁଖ୍ୟ ଅତିଥି ସମ୍ବଲପୁର ମଣ୍ଡଳ କାରାଗାର,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଦୁର୍ଗାପାଲି ସ୍ଥିତ ଦୟାମଣି ଜରା ନିବାସର ଅନ୍ତେବାସୀ ମାନଙ୍କୁ ମିଷ୍ଠାନ୍ନ ଓ ଫଳ ବଣ୍ଟନ କରିବା ସହିତ ଓଡିଶା ସାଂସ୍କୃତିକ ସମାଜ ସଭାଗୃହରେ ଉତ୍ସର୍ଗ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆନୁକୁଲ୍ୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ରେ ଯୋଗ ଦେଇଥିଲେ।
ଏହି ପରିପ୍ରେକ୍ଷୀ ରେ ପ୍ରତ୍ୟୁଷ ୫.୩୦ ଘଟିକା ସମୟରେ ସହର ର ମୁଖ୍ୟ ରାସ୍ତା ରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାମଧୂନ ପ୍ରଚାର କରାଯାଇଥିଲା।ଏହା ପରେ ଜିଲ୍ଲାପାଳଙ୍କ ସହ ପ୍ରଶାସନିକ ଅଧିକାରୀ ମାନେ ସହର ର ବିଭିନ୍ନ ସ୍ଥାନ ରେ ଅବସ୍ଥାପିତ ବର ପୁତ୍ର ମାନଙ୍କ ର ପ୍ରତିମୂର୍ତ୍ତି ରେ ମାଲ୍ୟା ଅର୍ପଣ କରିଥିଲେ।