-+91-9937148622 |
prerana_bgr@rediffmail.com |
Saturday 8th August 2026 |
R.N.I. Regd No. ODIODI/2010/46693
Breaking News
08-Aug-2026
ବଲାଙ୍ଗୀର(ପ୍ରେରଣା ଖବର)-ରାଜ୍ୟରେ ନୂଆ ସରକାର ଆସିଲା ପରେ ଧାନର ଦର ବଢାଇ ଚାଷିଙ୍କୁ ଖୁସି ଆଣିଦେଇଥିଲା । କିନ୍ତୁ ଦ୍ୱିତୀୟବର୍ଷଠାରୁ ଧାନକିଣାରେ ବ୍ୟାପକ ଅନୀୟମିତତା କରାଗଲା ଯାହାକି ଚାଷିଙ୍କୁ ହଇରାଣରେ ପକାଇଲା । ଏବେ ଚଳିତବର୍ଷ ଖରିଫଋତୁର ଧାନବିକ୍ରୀ ପାଇଁ ଚାଷିପଞ୍ଜିକରଣ ଆରମ୍ଭ ହୋଇଛି । ଯଦିଓ ଅନ୍ୟବର୍ଷ ଜୁଲାଇ ୧୫ ତାରିଖରୁ ଚାଷିପଞ୍ଜିକରଣ ଆରମ୍ଭ ହୋଇଥାଏ କିନ୍ତୁ ଚଳିତବର୍ଷ ଅଗଷ୍ଟ ୭ ତାରିଖରୁ ଏହା ଆରମ୍ଭ ହୋଇଛି । ଧାନବିକ୍ରୀ ପାଇଁ ଚାଷିପଞ୍ଜିକରଣ ପାଇଁ ଯେଉଁ ଗାଇଡଲାଇନ ଆସିଛି ସେଥିରେ ଚାଷିମାନେ ବହୁତ ପରିମାଣରେ ହଇରାଣ ହେବେ ବୋଲି ଅଭିଯୋଗ ଉଠିଛି । ଚଳିତବର୍ଷ ଚାଷିଙ୍କ ପାଇଁ ସରକାର ଏଗ୍ରୀଷ୍ଟାକ ବା ସ୍ୱତନ୍ତ୍ର ଚାଷିପଞ୍ଜିକରଣ କୋର୍ଡ ବ୍ୟବହାର କରାଉଛନ୍ତି । ଏଥିରେ ଯେଉଁ ଲୋକଙ୍କ ନିଜନାମରେ ଚାଷଜମିଥିବ ସେ ହିଁ ପଞ୍ଜିକୃତ ହୋଇ ଅଗ୍ରୀଷ୍ଟାକ କୋର୍ଡ ପାଇବ । ତେବେ ଅନେକ ପରିବାରର ଅଜା ଓ ବାପା ମାନଙ୍କ ନାମରେ ଜମି ରେକର୍ଡ ରହିଛି । ବନ୍ଦୋବସ୍ତ ହୋଇନଥିବାରୁ ଅନେକ ପରିବାରର ଜମି ଗୁଡିକ ରେକର୍ଡପତ୍ରରେ ଭାଗ ହୋଇନାହିଁ । ଏହା ସହିତ ଜମିର କିସମ ମଧ୍ୟ ପରିବର୍ତ୍ତନ ହୋଇନାହିଁ । ସେହି କାରଣରୁ ବଲାଙ୍ଗୀର ଜିଲ୍ଲାର ଚାଷିମାନେ ବେଶି ପରିମାଣରେ ପ୍ରଭାବିତ ହେବେ ବୋଲି ଆଶଂକା କରାଯାଉଛି । ବଲାଙ୍ଗୀର ଜିଲ୍ଲାରେ ଗତ ୫୦ବର୍ଷ ହେଲା ଜମିଜମାର ବନ୍ଦୋବସ୍ତ ହୋଇନାହିଁ । ସେଥିପାଇଁ ଅନେକ ପରିବାରରେ ଜମିଭାଗବଣ୍ଟାରେ ସମସ୍ୟା ରହିଛି । ନିଜ ନିଜ ମଧ୍ୟରେ ଜମିଭାଗବଣ୍ଟାକରି ଚାଷ କରୁଥିବା ବେଳେ ରେକର୍ଡପତ୍ରରେ ଭାଗ ହୋଇପାରିନାହିଁ । ଏହା ସହିତ ପୂର୍ବରୁ ଆଟକିସମ ଓ ବେର୍ଣ୍ଣାକିସମ ରହିଥିବା ଜମି ଏବେ ସଜଡା ହୋଇ ମଧ୍ୟମକିସମ ଧାନ ହୋଇପାରୁଛି । କେବଳ ସେତିକି ନୁହେଁ ଡିପବୋରୱେଲ ଓ ଉଠାଜଳସେଚନ ପଏଣ୍ଟ ମାଧ୍ୟମରେ ଉତ୍ତମମାନର ଧାନ ଚାଷ ହୋଇପାରୁଛି । ସରକାର ଉଠାଜଳସେଚନର ସଫଳତାର କଥା କହୁଛନ୍ତି କିନ୍ତୁ ସରକାର କରିଥିବା ଗାଇଡଲାଇନରେ ଆଟ ଓ ବେର୍ଣ୍ଣାଜମିକୁ ଧାନଚାଷରୁ ବାଦଦେବାକୁ ନୀୟମ କରିଛନ୍ତି । ରାଜ୍ୟସରକାର ଘୋଷଣା କରିଥିବା ଏସଓପିର ୫(ଏଫ)ରେ ଆଟ ଓ ବେର୍ଣ୍ଣାକିସମ ଯାହାକି ଧାନଚାଷ ପାଇଁ ଉପଯୋଗୀ ନୁହେଁ ବୋଲି ବିଚାର କରି ଧାନବିକ୍ରୀରେ ପଞ୍ଜିକରଣରୁ ବାଦଦେବାକୁ ନିସ୍ପତ୍ତି କରିଛନ୍ତି । ଯାହାକି ବଲାଙ୍ଗୀର ଜିଲ୍ଲାର ଚାଷିଙ୍କ ପାଇଁ ଅଭିଶାପ ହେବ ବୋଲି ଆଶଂକା କରାଯାଉଛି ।
ବଲାଙ୍ଗୀର ଜିଲ୍ଲାର କୃଷିବିଭାଗର ତଥ୍ୟରୁ ଜଣାପଡିଛି ଯେ,ବଲାଙ୍ଗୀର ଜିଲ୍ଲାର ମୋଟ ଚାଷଜମିର ୩୦% ଜମି ଆଟ ଓ ବେର୍ଣ୍ଣାକିସମ ରହିଛି । ଦକ୍ଷିଣ ଓଡିଶା ସମେତ ପଶ୍ଚିମଓଡିଶାର ପାହାଡିଆ ଅଞ୍ଚଳରେ ଥିବା ଜିଲ୍ଲାଗୁଡିକରେ ପ୍ରାୟତଃ ଏହି କିସମ ଜମି ବେଶି ପରିମାଣରେ ରହିଛି । ଏବେ ସରକାରଙ୍କ ଏହି ନୀତିରେ ଅନେକଗୁଡିଏ ଜିଲ୍ଲାର ଚାଷି ପଞ୍ଜିକରଣରୁ ବାଦ ପଡିବେ । ବଲାଙ୍ଗୀର ଜିଲ୍ଲାରେ ମୋଟ ୩ଲକ୍ଷ ୪୬ ହଜାର ହେକ୍ଟର ଚାଷଜମି ରହିଛି । ଏଥରୁ ୧ଲକ୍ଷ ୭୨ ହଜାର ହେକ୍ଟର ଜମିରେ ଧାନଚାଷ ହେଉଛି । ଏହି ଧାନଚାଷ ଜମିରୁ ପ୍ରାୟ ୫୦ହଜାର ହେକ୍ଟର ଜମି ହେଉଛି ଆଟ ଓ ବେର୍ଣ୍ଣା କିସମ । ଜିଲ୍ଲାରେ ଥିବା ଉଚ୍ଚଜମି ଯଥା-ଆଟଜମିରେ କପାଚାଷ ହେଉଛି । କିନ୍ତୁ ଅନେକ ସ୍ଥାନରେ ଆଟକୁ ସଜଡାଯାଇ ଧାନଚାଷ ଉପଯୋଗୀ କରାଯାଇ ଧାନଚାଷ କରାଯାଉଛି । ଏହି ଜମିରେ ଭଲକିସମର ଧାନ ମଧ୍ୟ ଉତ୍ପାଦନ ହେଉଛି । କିନ୍ତୁ ସରକାରଙ୍କ ତୃଟିପୂର୍ଣ୍ଣ ନୀତିରେ ଚାଷିମାନେ ପଞିକୃତ ହୋଇନପାରି ହଇରାଣ ହେବେ । ଆଟ ଓ ବେର୍ଣ୍ଣାକିସମ ଜମିରେ କୁଆଡେ ସରକାର କୋଳଥ,ମାଣ୍ଡିଆ ଇତ୍ୟାଦି ଚାଷକରାଇବାକୁ ଯୋଜନା କରୁଛନ୍ତି । ଏଭଳି ହେଲେ ଜିଲ୍ଲାରେ ପ୍ରାୟ ୧୫ଲକ୍ଷ କ୍ୱିଣ୍ଟାଲ ଧାନକିଣା କମିଯିବ । ବଲାଙ୍ଗୀର ଜିଲ୍ଲାରେ ଚଳିତବର୍ଷ ଲୋୟରସୁକତେଲ ପ୍ରକଲ୍ପରୁ ଜିଲ୍ଲାର ବଲାଙ୍ଗୀର ସଦର,ଲୋଇସିଂହା ଓ ପୁଇଁତଳା ବ୍ଲକର ୩୦ହଜାର ହେକ୍ଟର ଜମିକୁ ଜଳସେଚିତ କରିବାର ରହିଛି । ଠିକ ସେହିପରି ଲୋୟରଇନ୍ଦ୍ର ଜଳସେଚନ ପ୍ରକଲ୍ପରୁ ଜିଲ୍ଲାର ବଙ୍ଗୋମୁଣ୍ଡା,ମୁରିବାହାଲ ଇତ୍ୟାଦି ବ୍ଲକଅଞ୍ଚଳର ପ୍ରାୟ ୧୬ ହଜାର ହେକ୍ଟର ଜମିକୁ ଖରିଫରେ ଜଳସେଚିତ କରାଯାଉଛି । ଏହି ଜଳସେଚିତ ଅଞ୍ଚଳ ମଧ୍ୟରେ ଆଟ ଓ ବେର୍ଣ୍ଣାକିସମ ଜମି ମଧ୍ୟ ରହିଛି । ତେଣୁ ଏଭଳି ଦେଖିଲେ ଏହି ଦୁଇପ୍ରକଲ୍ପ ସହିତ ଡିପବୋରୱେଲ ଯୋଗେ ହଜାର ହଜାର ହେକ୍ଟରଜମିକୁ ଜଳସେଚିତ କରି ଧାନଚାଷ କରାଯାଉଛି । ସରକାର ଜିଲ୍ଲାରୁ ଚାଉଳ ଉଠାଇବାରେ ବିଫଳ ହୋଇଥିବାରୁ ଧାନକିଣାରେ କାଟତି କରିବାକୁ ଯୋଜନା କରୁଛନ୍ତି । ସରକାର ନିଜର ଦୋଷଢାଙ୍କିବାକୁ ଚାଷିଙ୍କ ଉପରେ ଦାଉ ସାଧିବାକୁ ଚେଷ୍ଟା କରୁଛି ବୋଲି ବିରୋଧି ବିଜେଡିଦଳ ପକ୍ଷରୁ ଅଭିଯୋଗ ଉଠିଛି । ବିଜେଡିଦଳର ରାଜ୍ୟସଂପାଦକ ବରିଷ୍ଠଚାଷିନେତା ଲକ୍ଷ୍ମଣକୁମାର ମେହେର କହିଛନ୍ତି ଯେ,ସରକାର ଚାଷିଙ୍କ ଧାନର ଏମଏସପି ବଢାଇ ଦେଇ ଧାନକିଣିବାକୁ ଅସମର୍ଥ ହେଉଛନ୍ତି । ଡବଲ ଇଞ୍ଜିନ ସରକାର ଥିଲେ ମଧ୍ୟ କେନ୍ଦ୍ରୀୟସଂସ୍ଥା ଚାଉଳ ନେଉନାହିଁ । ତେଣୁ ରାଜ୍ୟସରକାର ଧାନକିଣାରେ ବିଫଳ ହେଉଥିବା ଜାଣି ଚାଷୀ ପଞ୍ଜିକରଣକୁ କଠୋର କରି ବିଭ୍ରାନ୍ତ କରୁଛି । ଚାଷିଙ୍କୁ ହଇରାଣ କରିବା ପାଇଁ ରାଜ୍ୟସରକାର ଏଭଳି ବ୍ୟବସ୍ଥା କରିଛନ୍ତି । ରାଜ୍ୟସରକାର ନିଜର ବିଫଳତା ଲୁଚାଇବା ବଦଳରେ ଚାଷୀ ପଞ୍ଜିକରଣକୁ ସରଳୀକରଣ କରି ଚାଷୀଙ୍କୁ ଉଚିତ ସମୟରେ ପଞ୍ଜିକରଣ କରାଇ ଧାନକିଣାର ବ୍ୟବସ୍ଥା କରନ୍ତୁ ବୋଲି ଶ୍ରୀ ମେହେର ଏକ ପ୍ରେସବିବୃତିରେ କହିଛନ୍ତି ।