-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
10-Aug-2026
ବରଗଡ(ପ୍ରେରଣା ଖବର): ଚିର ଅବହେଳିତ ଓ ମରୁଡ଼ି ପ୍ରପୀଡ଼ିତ ବରଗଡ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ଉପଖଣ୍ଡର ସାମଗ୍ରିକ ବିକାଶ ପାଇଁ ସ୍ୱତନ୍ତ୍ର ‘ବିକାଶ ପ୍ୟାକେଜ୍’ ଘୋଷଣା କରିବାକୁ ଜାତୀୟ ସ୍ତରରେ ଦାବି ଉଠିଛି। ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରି ଏକ ବିସ୍ତୃତ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଲିଖିତ ପତ୍ରରେ ପଦ୍ମପୁର ଉପଖଣ୍ଡ ଅଧୀନରେ ଥିବା ପାଇକମାଳ, ପଦ୍ମପୁର, ଝାରବନ୍ଧ, ସୋହେଲା, ବିଜେପୁର, ଗାଇସିଲେଟ ସମେତ ୬ଟି ବ୍ଲକକୁ ସାମିଲ କରି କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜକୁ ନୀତିଗତ ଅନୁମୋଦନ ଦେବା ପାଇଁ ସାଂସଦ ଅନୁରୋଧ କରିଛନ୍ତି। ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ,ପଦ୍ମପୁର ଉପଖଣ୍ଡ ପଶ୍ଚିମ ଓଡ଼ିଶାର ଅନ୍ୟତମ ମରୁଡ଼ିପ୍ରବଣ ଓ ଆର୍ଥିକ ଭାବେ ପଛୁଆ ଅଞ୍ଚଳ। ଏଠାରେ ବିପୁଳ କୃଷି ସମ୍ଭାବନା ଓ ପରିଶ୍ରମୀ ଚାଷୀ ସମାଜ ଥିଲେ ମଧ୍ୟ ଅନିୟମିତ ବର୍ଷା, ବାରମ୍ବାର ମରୁଡ଼ି, ଜଳସେଚନର ଅଭାବ, ପାନୀୟଜଳ ସଙ୍କଟ, ଶିଳ୍ପର ଅଭାବ ଓ ସୀମିତ ରୋଜଗାର ସୁଯୋଗ ଯୋଗୁଁ ଅଞ୍ଚଳବାସୀ ଦୀର୍ଘଦିନ ଧରି ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି। ପଦ୍ମପୁର ଅଞ୍ଚଳର କୃଷି ପ୍ରାୟତଃ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ। ବର୍ଷାର ଅନିୟମିତତା ଯୋଗୁଁ ଚାଷୀମାନେ ପ୍ରାୟ ମରୁଡ଼ି ଓ ଫସଲ ନଷ୍ଟର ସମ୍ମୁଖୀନ ହେଉଛନ୍ତି । ତେଣୁ ବ୍ୟାପକ ଜଳସେଚନ ବ୍ୟବସ୍ଥାର ସମ୍ପ୍ରସାରଣକୁ ସାଂସଦ ଗୁରୁତ୍ୱ ଦେଇଛନ୍ତି। ଏଥିସହିତ ଗ୍ରୀଷ୍ମ ଋତୁରେ ଅନେକ ଗାଁରେ ପାନୀୟଜଳ ଓ ଜଳସେଚନର ଘୋର ଅଭାବ ଦେଖାଦେଉଥିବା ପତ୍ରରେ ଉଲ୍ଲେଖ କରାଯାଇଛି। ପୋଖରୀ, ନାଳ ଓ ପାରମ୍ପରିକ ଜଳଉତ୍ସ ଶୁଖିଯିବା ସହ ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଉଛି। ଏହାର ସ୍ଥାୟୀ ସମାଧାନ ପାଇଁ ବର୍ଷାଜଳ ସଂରକ୍ଷଣ, ଭୂତଳ ଜଳ ପୁନଃଭରଣ ଓ ଜଳସେଚନ ପ୍ରକଳ୍ପ ଉପରେ ବିଶେଷ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆହୁରି ସେ ଉଲ୍ଲେଖ କରିଛନ୍ତି ଯେ ଅଞ୍ଚଳର ଅର୍ଥନୀତି ମୁଖ୍ୟତଃ କୃଷି ଓ କୃଷି ଶ୍ରମିକଙ୍କ ଉପରେ ନିର୍ଭରଶୀଳ। ମରୁଡ଼ି ଯୋଗୁଁ ଫସଲ ନଷ୍ଟ ହେଲେ ପରିବାରଗୁଡ଼ିକ ଋଣଗ୍ରସ୍ତ ହେବା ସହ ଅନେକ ଲୋକ ଜୀବିକା ସନ୍ଧାନରେ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଜଳସେଚନ ସୁଦୃଢ଼ କରିବା ସହ କୃଷିଭିତ୍ତିକ ଅନ୍ୟାନ୍ୟ କାର୍ଯ୍ୟ, ଉଦ୍ୟାନ କୃଷି, ଦୁଗ୍ଧ ଉତ୍ପାଦନ, ମତ୍ସ୍ୟଚାଷ ଓ ଅନ୍ୟାନ୍ୟ ସହଯୋଗୀ କ୍ଷେତ୍ରକୁ ପ୍ରୋତ୍ସାହନ ଦେବାକୁ ଦାବି ହୋଇଛି।ସେହିପରି ପଦ୍ମପୁର ଉପଖଣ୍ଡରେ ଶିଳ୍ପ ବିକାଶ ଅତ୍ୟନ୍ତ ସୀମିତ ଥିବାରୁ ଯୁବବର୍ଗଙ୍କ ପାଇଁ ରୋଜଗାରର ସୁଯୋଗ ମଧ୍ୟ କମ୍ ରହିଛି। ଆଗ୍ରୋ-ପ୍ରୋସେସିଂ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍, ଏମ୍ଏସ୍ଏମ୍ଇ କ୍ଲଷ୍ଟର ଓ ଶିଳ୍ପ ଭିତ୍ତିଭୂମି ପ୍ରତିଷ୍ଠା ହେଲେ ସ୍ଥାନୀୟ ଯୁବକ-ଯୁବତୀଙ୍କ ପାଇଁ ରୋଜଗାର ସହ କୃଷିଜାତ ଉତ୍ପାଦର ମୂଲ୍ୟବୃଦ୍ଧି ସମ୍ଭବ ହେବ ବୋଲି ପତ୍ରରେ ଉଲ୍ଲେଖ ରହିଛି । ଛତିଶଗଡ଼ ସୀମା ସଂଲଗ୍ନ ଉକ୍ତ ସୀମାନ୍ତ ଅଞ୍ଚଳରେ ଭଲ ସଡ଼କ ଓ ଯୋଗାଯୋଗ ବ୍ୟବସ୍ଥା, ସାଧାରଣ ସେବାର ବିକାଶ ଓ ନୂତନ ଆର୍ଥିକ ସୁଯୋଗ ସୃଷ୍ଟି ମାଧ୍ୟମରେ ସନ୍ତୁଳିତ ବିକାଶ ସମ୍ଭବ ବୋଲି ସେ ମତ ଦେଇଛନ୍ତି। ତେଣୁ ସାଂସଦ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ପଦ୍ମପୁର ଉପଖଣ୍ଡ ପାଇଁ ନୀତିଗତ ଅନୁମୋଦନ ପ୍ରଦାନ, ଆଗାମୀ କେନ୍ଦ୍ର ବଜେଟ୍ କିମ୍ବା ଅତିରିକ୍ତ ଅନୁଦାନ ଦାବି ମାଧ୍ୟମରେ ଆବଶ୍ୟକ ବଜେଟ୍ ବ୍ୟବସ୍ଥା କରିବା ଏବଂ ବରଗଡ଼ ଜିଲ୍ଲା ପ୍ରଶାସନ ମାଧ୍ୟମରେ ବିକାଶ ପ୍ରସ୍ତାବ ଓ ଆର୍ଥିକ ଆକଳନ ସହ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ବିଚାର ପାଇଁ ପଠାଇବାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି। ଏହି ପ୍ୟାକେଜ୍ କାର୍ଯ୍ୟକାରୀ ହେଲେ ପଦ୍ମପୁର ଉପଖଣ୍ଡର ସାମଗ୍ରିକ ସାମାଜିକ-ଆର୍ଥିକ ଉନ୍ନତି ତ୍ୱରାନ୍ୱିତ ହେବା ସହିତ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବ ବୋଲି ସାଂସଦ ଶ୍ରୀ ପୁରୋହିତ ମତ ପ୍ରକାଶ କରିଛନ୍ତି ।