-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
16-Aug-2026
ବରଗଡ଼/ସୋହେଲା(ତୁଳସୀ ଚରଣ ଦାଶ): ସାର୍ବଜନୀନ ଦୂର୍ଗାପୂଜା କମିଟି, ସୋହେଲା ପକ୍ଷରୁ ଏବଂ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟି ଆନୁକୂଲ୍ୟରେ ସୋହେଲା ସ୍ଥିତ ସାଂସ୍କୃତିକ ଭବନରେ ଶବ୍ଦନୃତ୍ୟର ପ୍ରଣେତା, ମହାନ ସ୍ରଷ୍ଟା ସ୍ୱର୍ଗତ ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ ମହୋତ୍ସବ ପୁଜା କମିଟି ସଂପାଦକ ପ୍ରମୋଦ ଚନ୍ଦ୍ର ଦେବତା ଙ୍କ ଆବାହକତ୍ୱରେ ଅତ୍ୟନ୍ତ ଭକ୍ତିପୂତ ଓ ଉତ୍ସାହଜନକ ପରିବେଶରେ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ସଭାପତି ପ୍ରକାଶ ଚନ୍ଦ୍ର ଦେବତା ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ଅଭିନେତା ଡଃ ତୁଷାର କାନ୍ତ ସାହୁ ଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ଜଗଦାନନ୍ଦ ମିଶ୍ର ଯୋଗଦେଇଥିଲେ। ଏଥିସହିତ ବଳବୀର ସିଂ ଠାକୁର, ଗୋବିନ୍ଦ ସାହୁ, ପୁର୍ବତନ ଅଧ୍ୟକ୍ଷ ସାହିତ୍ୟିକ ତଥା ଗୁରୁ ଭଗବାନ ସାହୁ ଙ୍କ ପ୍ରଚାରକ ଟେକଚାନ୍ଦ ଦୁଆନ ଏବଂ ଅଗସ୍ତି ଭୋଇ ପ୍ରମୁଖ ମଞ୍ଚାସୀନ ରହି ସ୍ୱର୍ଗତ ସାହୁଙ୍କ ପ୍ରତିକୃତିରେ ମାଲ୍ୟାର୍ପଣପୂର୍ବକ ସ୍ମୃତିଚାରଣ କରିଥିଲେ।
ଓଡ଼ିଶାର କଳା, ସଂସ୍କୃତି, ବିଶେଷ କରି ଶବ୍ଦନୃତ୍ୟ ଏବଂ ଲୋକକଳାର ପ୍ରଚାର ଓ ପ୍ରସାରରେ ଗୁରୁ ଭଗବାନ ସାହୁଙ୍କ ଅବଦାନ ଅତୁଳନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଆଜିର ଏହି ସ୍ମୃତିସଭାରେ ତାଙ୍କର ଆଦର୍ଶ ଓ କାର୍ଯ୍ୟାବଳୀକୁ ମନେ ପକାଇବା ସହ ଆଗାମୀ ଦିନରେ ଏହି ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଯୁବପିଢ଼ିଙ୍କୁ ପ୍ରେରଣା ଦିଆଯାଇଥିଲା। ଏହି ଜୟନ୍ତୀ ଉତ୍ସବରେ ସୋହେଲା ଅଞ୍ଚଳର ବହୁ ଗଣମାନ୍ୟ ବ୍ୟକ୍ତି ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସଭା ପରିଚାଳନାରେ ଡଃ ତୁଷାରକାନ୍ତ ସାହୁ, କିଶୋର ଗଡତିଆ ଓ ଗୋପାଲ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସଂପାଦକ ତଥା ଗୁରୁ ଭଗବାନ ସାହୁ ରାଜ୍ୟ ସ୍ତରୀୟ ସ୍ମୃତି କମିଟି ର ପରାମର୍ଶ ଦାତା ଶ୍ରୀ ପ୍ରମୋଦ ଚନ୍ଦ୍ର ଦେବତା ଧନ୍ୟବାଦ ଅର୍ପଣ କରିଥିଲେ ।
---------×××---------