-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
04-Jan-2021
ସମ୍ବଲପୁର (ପ୍ରେରଣା ଖବର): ଚଳିତ ବର୍ଷ ଧାନ କିଣାକୁ ନେଇ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଚାଷୀ ଦୁର୍ଦଶାର ସମ୍ମୁଖୀନ ହୋଇଛନ୍ତି। ବର୍ତ୍ତମାନ ମଧ୍ୟ ଏହି ଉପଖଣ୍ଡରେ ୧ ଲକ୍ଷ ୭୦ ହଜାର ପ୍ୟାକେଟ, ରେଢାଖୋଲରେ ୧୪ ହଜାର ୨୩୬ ପ୍ୟାକେଟ ଧାନ ପଡ଼ିରହିଛି। ବାରମ୍ବାର ଟାର୍ଗେଟ ସରିଯାଉଥିବାରୁ ଏହିଭଳି ଅବସ୍ଥା ସୃଷ୍ଟି ହୋଇଥିବା କହିଛନ୍ତି ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚାଷୀ। ଏହି କାରଣରୁ ଚାଷୀଙ୍କ ଟୋକନ ମଧ୍ୟ ଲାପ୍ସ କଲାଣି।ଭୁବନେଶ୍ବରରୁ ଜାରି ଅନଲାଇନ ଟୋକନ ଯୋଗୁଁ ଧାନ ସଂଗ୍ରହ ଆହୁରି ଜଟିଳ ହେଉଥିବା ଅଭିଯୋଗ କହିଛନ୍ତି ଜମନକିରା ଚାଷୀ ସୁଶୀଲ ପଟେଲ। ଗତବର୍ଷ ମଣ୍ଡି ଖୋଲି ଯାଇଥିଲେ ମଧ୍ୟ ଟୋକନ ଆସୁନଥିବାରୁ ଚାଷୀ ଧାନ ବିକ୍ରି କରିପାରୁନଥିଲା, ଚଳିତ ବର୍ଷ ମଣ୍ଡିରେ ଟାର୍ଗେଟ ସରିଯାଇଥିବାରୁ ଟୋକନ ଲାପ୍ସ କରିଯାଉଛି। ଉଭୟ ସ୍ଥିତିରେ ଚାଷୀହିଁ କ୍ଷତିଗ୍ରସ୍ତ ହୋଇଛି। ପୂର୍ବରୁ ସର୍ବାଧିକ ୧ରୁ ଦେଢ ଲକ୍ଷ ପ୍ୟାକେଟ ପର୍ଯ୍ୟନ୍ତ ଧାନ ପଡ଼ୁରହୁଥିଲା। ଚଳିତ ବର୍ଷ ୩ ଲକ୍ଷ ପ୍ୟାକେଟ ପର୍ଯ୍ୟନ୍ତ ଧାନ ପଡ଼ି ରହିବା ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି। ହାତୀ ଉପଦ୍ରବ, ଦୁବୃର୍ତ୍ତଙ୍କ ଭୟ ଯୋଗୁଁ କାକର ରାତିରେ ଚାଷୀ ମଣ୍ଡି ଗୁଡ଼ିକରେ ଧାନ ଜଗି ରହୁଛନ୍ତି। ଖୋଲା ପଡ଼ିଆରେ ଧାନ ରହୁଥିବାରୁ ଚିନ୍ତାବି ଲାଗି ରହୁଛି। କୁଚିଣ୍ଡାର ଚାଷୀଙ୍କ ଅନୁସାରେ, ଟୋକନ ଅନୁସାରେ, ସବୁ ମଣ୍ଡିରେ ପର୍ଯ୍ୟାପ୍ତ ଟାର୍ଗେଟ ଥିଲେ ସପ୍ତାହ ମଧ୍ୟରେ ଧାନ ସଂଗ୍ରହ ସରିସାରନ୍ତାଣି। କିନ୍ତୁ ଟାର୍ଗେଟକୁ ଅପେକ୍ଷା କରିବାକୁ ପଡ଼ୁଥିବାରୁ କେବେ ଧାନ ସଂଗ୍ରହ ସରିବ ଏହାକୁ ନେଇ ଅନିଶ୍ଚିତତା ରହିଛି। ଏହି ଉପଖଣ୍ଡର ଜମନକିରା ମଣ୍ଡିରେ ୪୮ ହଜାର ୩୮୨ ପ୍ୟାକେଟ, ଭୋଜପୁରରେ ୯୫୩୩ ପ୍ୟାକେଟ, ଡିମିରିମୁଣ୍ଡାରେ ୮୮୮୩ ପ୍ୟାକେଟ, ଟିକଲିଦଦାରେ ୧୮ ହଜାର୦୫୮ ପ୍ୟାକେଟ, ମହଦାରେ ୧୩୯୯ ପ୍ୟାକେଟ୍, ସିରିଡରେ ୧୪ ହଜାର ୦୧୭ ପ୍ୟାକେଟ, ଗୁଣ୍ଡରୁଚୁଆଁରେ ୧୦ ହଜାର ୬୬୫ ପ୍ୟାକେଟ, ଫାଶୀମାଲରେ ୯୯୧୩ ପ୍ୟାକେଟ, କୁସୁମିରେ ୮୩୮୮ ପ୍ୟାକେଟ, ସାଲେଭାଡିରେ ୪୪୦୨ ପ୍ୟାକେଟ ଧାନ ପଡ଼ିରହିଛି। ଏହା କେବଳ ଉଦାହରଣ ମାତ୍ର ଏହି ଉପଖଣ୍ଡର ୨୭ଟି ମଣ୍ଡି ଏବଂ କ୍ରୟ କେନ୍ଦ୍ରରେ ଏହିଭଳି ସ୍ଥିତି। ସେଥିରୁ ପୁଣି ହାରାହାରି ୭୦ ଚାଷୀଙ୍କ ୪୦ ହଜାର କ୍ବିଣ୍ଟାଲ ଧାନର ଟୋକନ ଲାପ୍ସ କରିଯାଇଛି। କୁଚିଣ୍ଡାରେ ବର୍ତ୍ତମାନ ସୁଦ୍ଧା ୨୦ ହଜାର ୧୩୯ ଚାଷୀଙ୍କ ୨୧ ଲକ୍ଷ ୮୯ ହଜାର ୬୧୭ ପ୍ୟାକେଟ ଧାନ ସଂଗ୍ରହ ହୋଇସାରିଛି। ରେଢାଖୋଲର ବଂଶାଜାଲରେ ୬୪୮ ପ୍ୟାକେଟ, ବଡ଼ମାଲରେ ୩୩୬୭ ପ୍ୟାକେଟ, ଡଇଁଚାରେ ୫୦୧୮ ପ୍ୟାକେଟ, ଘୁସରାମାଲରେ ୪୫୮୬ ପ୍ୟାକେଟ, ବାଟଗାଁରେ ୬୧୭ ପ୍ୟାକେଟ ଧାନ ପଡ଼ିଛି। ଏଠାରେ ବର୍ତ୍ତମାନ ସୁଦ୍ଧା ୬୫୩୧ ଚାଷୀଙ୍କ ୬ ଲକ୍ଷ ୪୭ ହଜାର ୨୭୯ ପ୍ୟାକେଟ ଧାନ ସଂଗ୍ରହ ହୋଇଛି। ସମ୍ବଲପୁର ଉପଖଣ୍ଡରେ ଧାନ ସଂଗ୍ରହ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଆସନ୍ତା ସପ୍ତାହ ସୁଦ୍ଧା ଏଠାରେ ଧାନ ସଂଗ୍ରହ ଏକପ୍ରକାର ବନ୍ଦ ହୋଇଯିବ। ଆରଏମସିର ରିପୋର୍ଟ ଅନୁସାରେ, ଏଠାରେ କୌଣସି ମଣ୍ଡିରେ ଧାନ ପଡ଼ି ନାହିଁ। ଏହି ଉପଖଣ୍ଡରେ ୩୨୭୨୨ ଚାଷୀଙ୍କ ୪୧ ଲକ୍ଷ ୨୫ ହଜାର ୮୬୪ ପ୍ୟାକେଟ ଧାନ ସଂଗ୍ରହ ହୋଇଛି। ଯାହାକି ଗତବର୍ଷ ଠାରୁ ଅଧିକ ଅଟେ।