-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
20-Aug-2026
ସମ୍ବଲପୁର: ( ସଂଜୀବ ପାଣିଗ୍ରାହୀ )ସ୍ୱାସ୍ଥ୍ୟ କେବଳ ରୋଗ ହେଲେ ଚିକିତ୍ସା ପାଇବାର ଅଧିକାର ନୁହେଁ, ଏହା ପ୍ରତ୍ୟେକ ମଣିଷର ସମ୍ମାନଜନକ ଜୀବନର ମୌଳିକ ଆଧାର। ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ନିକଟରେ ମଧ୍ୟ ସମାନ, ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚିବା ହିଁ ପ୍ରକୃତ ସ୍ୱାସ୍ଥ୍ୟ ନ୍ୟାୟ। ସ୍ୱାସ୍ଥ୍ୟସେବାର ପାରମ୍ପରିକ ଧାରଣାକୁ ଅତିକ୍ରମ କରି ସ୍ୱାସ୍ଥ୍ୟ ଅଧିକାରକୁ ସାମାଜିକ ନ୍ୟାୟ ସହ ଯୋଡ଼ିବା ଉପରେ ଗୁରୁତ୍ୱାରୋପ କରାଯାଇଛି।
ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଅଡିଟୋରିୟମ୍ (ଏଲଜି-୧)ରେ ଗୁରୁବାର ଓଡ଼ିଶା ମାନବାଧିକାର ଆୟୋଗ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ‘ଉତ୍ସର୍ଗ’ର ମିଳିତ ଆୟୋଜନରେ “ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ : ସ୍ୱାସ୍ଥ୍ୟ ଅଧିକାରର ନୂତନ ପରିକଳ୍ପନା” ଶୀର୍ଷକ ସେମିନାର ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶା ମାନବାଧିକାର ଆୟୋଗର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଶତ୍ରୁଘ୍ନ ପୂଜାହାରୀ ସେମିନାରରେ ସଭାପତିତ୍ୱ କରିବା ସହ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସେମିନାରରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ମୁଖ୍ୟ ଅତିଥି ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପିଜି ଆଇନ ବିଭାଗର ଡ. ପ୍ରୟାସ ଦାନସନା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ଅଧିକାରର ବିଭିନ୍ନ ଦିଗ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ଭୀମସାରର ସହକାରୀ ଅଧ୍ୟାପକ ଡା. ସଞ୍ଜୀବ କୁମାର ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ।
ସେମିନାରରେ ଡ଼ଃ ଡନସେନା କହିଥିଲେ ଯେ କେବଳ ହସ୍ପିଟାଲ, ଡାକ୍ତର, ଔଷଧ, ପରୀକ୍ଷା ଓ ଚିକିତ୍ସା ସୁବିଧା ଯୋଗାଇଦେବା ସ୍ୱାସ୍ଥ୍ୟସେବାର ଚୂଡ଼ାନ୍ତ ଲକ୍ଷ୍ୟ ହୋଇପାରିବ ନାହିଁ। ଜଣେ ଗରିବ, ଗ୍ରାମାଞ୍ଚଳବାସୀ, ଶିଶୁ, ବୃଦ୍ଧ, ଦିବ୍ୟାଙ୍ଗ କିମ୍ବା ସମାଜର ପଛୁଆ ବର୍ଗର ବ୍ୟକ୍ତିଙ୍କୁ ସହଜରେ ଓ ସମାନ ମାନର ସ୍ୱାସ୍ଥ୍ୟସେବା ମିଳୁଛି କି ନାହିଁ, ତାହା ହିଁ ସ୍ୱାସ୍ଥ୍ୟ ନ୍ୟାୟର ପ୍ରମୁଖ ମାପକ।ରୋଗ ହେବା ପରେ ଚିକିତ୍ସା କରିବା ଅପେକ୍ଷା ରୋଗ ପ୍ରତିରୋଧକୁ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ପ୍ରାଥମିକ ସ୍ୱାସ୍ଥ୍ୟସେବା, ଟିକାକରଣ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, କିଶୋର ସ୍ୱାସ୍ଥ୍ୟ, ପୋଷଣ ଓ ସ୍ୱାସ୍ଥ୍ୟ ଶିକ୍ଷାକୁ ସ୍ୱାସ୍ଥ୍ୟ ନୀତିର କେନ୍ଦ୍ରରେ ରଖିବାକୁ ଆହ୍ୱାନ ଦେଇଥିଲେ।ସ୍ୱାଗତ ଭାଷଣ ଦେଇ ନ୍ୟାୟମୂର୍ତ୍ତି ଶ୍ରୀ ପୁଝାରୀ ସୁରକ୍ଷିତ ପାନୀୟ ଜଳ, ପରିମଳ, ପୋଷଣ, ଶିକ୍ଷା, ରୋଜଗାର, ସୁରକ୍ଷିତ ବାସସ୍ଥାନ, ସୁସ୍ଥ ପରିବେଶ ଓ ସାମାଜିକ ସୁରକ୍ଷା ଭଳି ବିଷୟ ସ୍ୱାସ୍ଥ୍ୟ ସହ ଗଭୀର ଭାବେ ଜଡ଼ିତ ବୋଲି କହିଥିଲେ।ଏହି ମୌଳିକ ସୁବିଧାଗୁଡ଼ିକୁ ସୁନିଶ୍ଚିତ ନକରି କେବଳ ଚିକିତ୍ସା ବ୍ୟବସ୍ଥାର ବିସ୍ତାର ଦ୍ୱାରା ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ନ୍ୟାୟ ସମ୍ଭବ ନୁହେଁ ବୋଲି ସେ ମତ ଦେଇଥିଲେ।ରୋଗୀ କେବଳ ଜଣେ ‘କେସ୍’ ନୁହନ୍ତି, ସେ ଜଣେ ମଣିଷ। ତେଣୁ ତାଙ୍କ ମର୍ଯ୍ୟାଦା, ଗୋପନୀୟତା, ସୂଚନା ପାଇବାର ଅଧିକାର ଓ ମାନବିକ ବ୍ୟବହାରକୁ ଚିକିତ୍ସା ବ୍ୟବସ୍ଥାର ଅବିଚ୍ଛିନ୍ନ ଅଂଶ କରିବା ଆବଶ୍ୟକ ବୋଲି ବକ୍ତାମାନେ ମତ ଦେଇଥିଲେ। ଆଧୁନିକ ପ୍ରଯୁକ୍ତି ସହ ଚିକିତ୍ସା ବ୍ୟବସ୍ଥାରେ ମାନବିକତା ଓ ସମ୍ବେଦନଶୀଳତା ମଧ୍ୟ ସମାନ ଗୁରୁତ୍ୱ ବହନ କରେ ବୋଲି ସେମିନାରରେ ମତ ପ୍ରକାଶ ପାଇଥିଲା।
ସ୍ୱାସ୍ଥ୍ୟ ନ୍ୟାୟ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ। ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ ସହାୟକ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ସାମାଜିକ ସଂଗଠନ, ଗଣମାଧ୍ୟମ ଓ ସାଧାରଣ ନାଗରିକଙ୍କ ସମନ୍ୱିତ ଭୂମିକା ମାଧ୍ୟମରେ ହିଁ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ନ୍ୟାୟ ସୁନିଶ୍ଚିତ ହୋଇପାରିବ। ସ୍ୱାସ୍ଥ୍ୟକୁ କେବଳ ଚିକିତ୍ସା ବିଭାଗର ବିଷୟ ନଭାବି ସମଗ୍ର ସମାଜର ଦାୟିତ୍ୱ ଭାବେ ଗ୍ରହଣ କରିବାର ଆବଶ୍ୟକତା ଉପରେ ମତ ପ୍ରକାଶ ପାଇଥିଲା।ସେମିନାରରେ ମହାନଗର ନିଗମର ପୂର୍ବତନ ମୁଖ୍ୟ ଚିକିତ୍ସାଧିକାରୀ ଡା. ମହେନ୍ଦ୍ର କୁମାର ନନ୍ଦ, ଡା. ଶ୍ୟାମସୁନ୍ଦର ଧର, ଜୟଦେବ ବଗର୍ତ୍ତୀ, ପ୍ରଦୀପ କୁମାର ମିଶ୍ର, ସୁଧୀର ପୂଝାରୀ, ପ୍ରଫୁଲ୍ଲ କୁମାର ହୋତା, ଶିବଶଙ୍କର ନନ୍ଦ, ସଞ୍ଜୟ ବାବୁ,ରାଜେନ୍ଦ୍ର କୁମାର ପଣ୍ଡା, ଡା. ରାଜକୁମାର ବଡ଼ପଣ୍ଡା,ବରିଷ୍ଠ ସାମ୍ବାଦିକ ପ୍ରିୟରଞ୍ଜନ ସାହୁ, ଡ଼ଃ, ଡ.ନିରୁପମା ବଡ଼ପଣ୍ଡା,ଡା. ରାଜାରାମ ଷଡ଼ଙ୍ଗୀଙ୍କ ସମେତ ବହୁ ଚିକିତ୍ସକ, ଓକିଲ, ବୁଦ୍ଧିଜୀବୀ, ସାମ୍ବାଦିକଙ୍କ ଭଳି ବିଭିନ୍ନ ବର୍ଗ ତଥା ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଏବଂ ଲଜପତ ରାୟ ଆଇନ କଲେଜର ଛାତ୍ରଛାତ୍ରୀ ଯୋଗଦେଇଥିଲେ।ସେମିନାରରେ ସ୍ୱାସ୍ଥ୍ୟ ଅଧିକାରକୁ ଆହୁରି ସଶକ୍ତ କରିବା, ସ୍ୱାସ୍ଥ୍ୟସେବାରେ ଅସମାନତା ଦୂର କରିବା ଏବଂ ଚିକିତ୍ସା ସହ ପ୍ରତିରୋଧ, ସଚେତନତା ଓ ସାମାଜିକ ସୁରକ୍ଷାକୁ ସମାନ ଗୁରୁତ୍ୱ ଦେବା ନେଇ ମତବିନିମୟ ହୋଇଥିଲା। ଉତ୍ସର୍ଗର କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀମାନେ ସେମିନାରର ପରିଚାଳନାରେ ସହଯୋଗ କରିଥିଲେ।ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ ଦିଗରେ ଯାତ୍ରା କେବଳ ଚିକିତ୍ସା ବ୍ୟବସ୍ଥାର ପରିବର୍ତ୍ତନ ନୁହେଁ, ଏହା ଏକ ସାମାଜିକ ଓ ନୈତିକ ପରିବର୍ତ୍ତନ। ସମାଜର ଶେଷ ଧାଡ଼ିରେ ଥିବା ମଣିଷଟି ଯେତେବେଳେ ଆର୍ଥିକ ସ୍ଥିତି, ବାସସ୍ଥାନ କିମ୍ବା ସାମାଜିକ ପରିଚୟ ନିର୍ବିଶେଷରେ ସମ୍ମାନର ସହ ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇବ, ସେତେବେଳେ ହିଁ ସ୍ୱାସ୍ଥ୍ୟ ଅଧିକାର ପ୍ରକୃତ ଅର୍ଥରେ ସ୍ୱାସ୍ଥ୍ୟ ନ୍ୟାୟରେ ପରିଣତ ହେବ ବୋଲି ସେମିନାରରେ ମତପ୍ରକାଶ ପାଇଥିଲା।ଶେଷରେ ଉତ୍ସର୍ଗର ସଂଯୋଜକ ପ୍ରଶାନ୍ତ ପାଟ୍ଟଯୋଶୀ ଧନ୍ୟବାଦ ଦେଇଥିଲେ।