-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
20-Aug-2026
ସମ୍ବଲପୁର: (ସଂଜୀବ ପାଣିଗ୍ରାହୀ )ସମ୍ବଲପୁର ଜିଲ୍ଲାରେ ଚାଲିଥିବା ଦୁଇଚକିଆ ଯାନ ଚୋରି ନେଟୱର୍କ ବିରୋଧରେ ରେଙ୍ଗାଲି ପୁଲିସକୁ ବଡ଼ ସଫଳତା ମିଳିଛି। ରାତ୍ରି ପାଟ୍ରୋଲିଂ ସମୟରେ ସନ୍ଦେହଜନକ ଭାବେ ଦୁଇଟି ଚୋରି ବାଇକ୍ ସହ ତିନିଜଣଙ୍କୁ ଧରିବା ପରେ ତଦନ୍ତ ଆଗକୁ ବଢ଼ାଇ ପୁଲିସ ବିଭିନ୍ନ ସ୍ଥାନରୁ ମୋଟ ୧୩ଟି ଚୋରି ଦୁଇଚକିଆ ଯାନ ଉଦ୍ଧାର କରିଛି।
ରେଙ୍ଗାଲି ପୁଲିସ ରାତ୍ରି ପାଟ୍ରୋଲିଂ ସମୟରେ ନୀରନ ସୁନା (୨୩), ରାଜୁ ନାଗ (୨୬) ଓ ପ୍ରମୋଦ ତାଣ୍ଡିଆ (୩୦)ଙ୍କୁ ଦୁଇଟି ସନ୍ଦେହଜନକ ଚୋରି ବାଇକ୍ ସହ ଅଟକ ରଖିଥିଲା। ତେବେ ସେମାନଙ୍କ ସହଯୋଗୀ ଅଜୟ କୁମ୍ଭାର ଘଟଣାସ୍ଥଳରୁ ଖସି ପଳାଇଥିଲା। ଯାନଗୁଡ଼ିକର ଯାଞ୍ଚ ପରେ ଏହା ରେଙ୍ଗାଲି ଥାନାରେ ରୁଜୁ ହୋଇଥିବା ଯାନ ଚୋରି ମାମଲା ସହ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା।
ପୁଲିସର ପଚରାଉଚରା ଓ ପରବର୍ତ୍ତୀ ତଦନ୍ତରୁ ଅଭିଯୁକ୍ତମାନେ ସମ୍ବଲପୁର ଅଞ୍ଚଳରେ ଘଟିଥିବା ଏକାଧିକ ଦୁଇଚକିଆ ଯାନ ଚୋରିରେ ସମ୍ପୃକ୍ତ ଥିବା ତଥ୍ୟ ସାମ୍ନାକୁ ଆସିଥିଲା। ଏହା ଆଧାରରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୁଲିସ ୧୩ଟି ଚୋରି ବାଇକ୍ ଉଦ୍ଧାର କରିଛି।
ଉଦ୍ଧାର ହୋଇଥିବା ଯାନ ମଧ୍ୟରେ ରେଙ୍ଗାଲି ଥାନା କେସ୍ ନମ୍ବର ୧୭୬/୨୦୨୬ର ରୟାଲ ଏନଫିଲ୍ଡ ବୁଲେଟ୍ ୩୫୦, ଐଁଠାପାଲି ଥାନା କେସ୍ ନମ୍ବର ୨୧୯/୨୦୨୬ର ବଜାଜ ପଲସର ୧୫୦, ରେଙ୍ଗାଲି ଥାନା କେସ୍ ନମ୍ବର ୧୨୮/୨୦୨୬ର ଟିଭିଏସ୍ ଆପାଚି, କେସ୍ ନମ୍ବର ୧୬୭/୨୦୨୬ର ୟାମାହା ସାଇଗ୍ନସ୍ ରେ ଜେଡ୍ଆର୍, କେସ୍ ନମ୍ବର ୧୭୧/୨୦୨୬ର ଟିଭିଏସ୍ ଆପାଚି, କେସ୍ ନମ୍ବର ୧୩୯/୨୦୨୬ର ବଜାଜ ପଲସର ଏନଏସ୍ ୧୬୦, କେସ୍ ନମ୍ବର ୨୫୧/୨୦୨୫ର ସୁଜୁକି ଜିକ୍ସର ଏସ୍ଏଫ୍, କେସ୍ ନମ୍ବର ୧୬୬/୨୦୨୬ର ରୟାଲ ଏନଫିଲ୍ଡ ବୁଲେଟ୍ କ୍ଲାସିକ୍ ୩୫୦ ଏବଂ କେସ୍ ନମ୍ବର ୧୦୮/୨୦୨୬ର ହିରୋ ସ୍ପ୍ଲେଣ୍ଡର ପ୍ଲସ୍ ରହିଛି। ଅନ୍ୟ କେତେକ ଯାନର ମାମଲା ସମ୍ପର୍କରେ ଯାଞ୍ଚ ଜାରି ରହିଛି।
ଗିରଫ ଅଭିଯୁକ୍ତମାନେ ହେଲେ ବୁର୍ଲା ଥାନା ଜର୍ମୁଣ୍ଡା ଗୋଶାଳାର ନୀରନ ସୁନା, ଗୋଶାଳା ପଦମପଡ଼ାର ରାଜୁ ନାଗ ଏବଂ ବରଗଡ଼ ଜିଲ୍ଲା ବେଦେନ ଥାନା ଅନ୍ତର୍ଗତ ସଙ୍କିର୍ଡାର ପ୍ରମୋଦ ତାଣ୍ଡିଆ। ସେମାନଙ୍କୁ ଗିରଫ କରାଯାଇ ମାନ୍ୟବର ଅଦାଲତକୁ ଫରୱାର୍ଡ କରାଯାଇଛି।
ତଦନ୍ତରୁ ମିଳିଥିବା ତଥ୍ୟ ଆଧାରରେ ଧମା ଥାନା ଭୈରୋପାଲିର ରାଜେଶ ସାଗର ଓ ଟେଣ୍ଟୁଲିକୁର୍ଲାର କୈଳାସ ବାଗଙ୍କ ବିରୋଧରେ ମଧ୍ୟ ପୃଥକ ମାମଲା ରୁଜୁ କରାଯାଇଛି।
ଏହି ଘଟଣା ସମ୍ପର୍କରେ ରେଙ୍ଗାଲି ଥାନାରେ ୧୭୧/୨୦୨୬, ୧୭୬/୨୦୨୬, ୧୨୮/୨୦୨୬, ୧୬୭/୨୦୨୬, ୧୩୯/୨୦୨୬, ୨୫୧/୨୦୨୫, ୧୬୬/୨୦୨୬ ଓ ୧୦୮/୨୦୨୬ ସମେତ ଐଁଠାପାଲି ଥାନାରେ ୨୧୯/୨୦୨୬ ନମ୍ବରରେ ମାମଲା ରହିଛି। ୧୭୧/୨୦୨୬ ମାମଲାର ଧାରାରେ ପରିବର୍ତ୍ତନ କରାଯାଇ ୧୧୨(୨)/୩୦୩(୨)/୩(୫) ବିଏନଏସ୍ ଅନୁଯାୟୀ ମାମଲା ଚାଲୁଥିବା ସୂଚନା ମିଳିଛି।
ତେବେ ଏହି ଯାନ ଚୋରି ନେଟୱର୍କରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଆହୁରି କେତେ ଚୋରି ଯାନ ଉଦ୍ଧାର ହୋଇପାରିବ, ସେନେଇ ପୁଲିସର ତଦନ୍ତ ଜାରି ରହିଛି।