-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
21-Aug-2026
ସମ୍ବଲପୁର:(ସଂଜୀବ ପାଣିଗ୍ରାହୀ )
ଫଟୋ କେବଳ ଏକ ଦୃଶ୍ୟର ସ୍ଥିର ପ୍ରତିଛବି ନୁହେଁ, ଏହା ସମୟ, ସ୍ମୃତି, ଅନୁଭବ ଓ ଅନେକ ଅକୁହା କାହାଣୀର ନିରବ ଦଲିଲ l ଏହି ନିରବ ଭାଷାକୁ କବିତାର ଶବ୍ଦ ଦେଇ ଆହୁରି ଜୀବନ୍ତ କରିଥିଲେ ସାମ୍ବାଦିକ ଭବନ ରେ ଆୟୋଜିତ କବି ସମ୍ମିଳନୀ ରେ ଉପସ୍ଥିତ କବିମାନେ l
ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ଆସୋସିଏସନ ପକ୍ଷରୁ ଆୟୋଜିତ ଫଟୋ ପ୍ରଦର୍ଶନୀ ର ପୂର୍ବାହ୍ନ ରେ ଏଭଳି ଏକ ଅଭିନବ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା l
ସାମ୍ବାଦିକଙ୍କ କ୍ୟାମେରାରେ ଧରାପଡ଼ିଥିବା ଜୀବନର ବିଭିନ୍ନ ରଙ୍ଗ, ସମାଜର ଚିତ୍ର, ପ୍ରକୃତିର ଅନନ୍ୟ ରୂପ ଓ ମଣିଷର ଭାବନାକୁ ଆଧାର କରି କବିମାନେ ନିଜ ନିଜ ଶବ୍ଦରେ ତାହାର ଅର୍ଥ ଖୋଜିଥିଲେ l
କବି ସୂର୍ଯ୍ୟ ପାଣିଗ୍ରାହୀ ପରିଚାଳନା ରେ ଆୟୋଜିତ ସାରସ୍ୱତ ସଭାରେ କବିତା ସଂଯୋଜନା କରିଥିଲେ ଡାକ୍ତର ରାଜାରାମ ଷଡ଼ଙ୍ଗୀ l
ଫୋଟୋ ପ୍ରଦର୍ଶନୀ ରେ ସ୍ୱତନ୍ତ୍ର ଭାବେ ଆୟୋଜିତ କବିତା ପାଠୋତ୍ସବରେ କବି ରମାକାନ୍ତ ବିଶ୍ୱାଳ, ଲଳିତ ମୋହନ ବେବର୍ତ୍ତା, ତରଣୀ ସେନ ଡନସେନା, ଜୟକୃଷ୍ଣ ବେହେରା, ଆଭାସ ପଣ୍ଡା, ପ୍ରଭଞ୍ଜନ ପୁରୋହିତ,ପୁତୁଲ ସୁପ୍ରିୟା ଦାଶ, ତପସ୍ୱିନୀ ନେପାକ, କଳ୍ପନା ମହାପାତ୍ର, କମଳଲୋଚନ ପଣ୍ଡା, ମମତା ନାଥ, ମାହେଶ୍ୱରୀ ପ୍ରସାଦ ପାଣିଗ୍ରାହୀ, ଅନୁପମା ବିଶ୍ୱାଳ, ସିଦ୍ଧି ସ୍ୱରୂପା ପାଢ଼ୀ, ଆଭାସ ପଣ୍ଡା ଓ ସବିତା ମିଶ୍ର ପ୍ରମୁଖ କବି ଯୋଗଦେଇ ନିଜସ୍ୱ କବିତା ପାଠ କରିଥିଲେ l
କବିଙ୍କ କବିତାରେ ଥିଲା ମଣିଷର ସଂଘର୍ଷର କାହାଣୀ, ତ କେଉଁଠି ପ୍ରକୃତିର ନିରବ ସୌନ୍ଦର୍ଯ୍ୟ l ଆଉ କେଉଁ କବିଙ୍କ ଦୃଶ୍ୟରେ ଥିଲା ସମାଜ ଓ ସମୟର ଅନେକ ପ୍ରଶ୍ନ l କବିମାନଙ୍କ କଣ୍ଠରେ ସେହି ଦୃଶ୍ୟଗୁଡ଼ିକ ନୂଆ ଅର୍ଥ ପାଇଥିଲା। ଫଟୋଗ୍ରାଫରଙ୍କ ଲେନ୍ସ ଯେଉଁଠି ମୁହୂର୍ତ୍ତକୁ ଅଟକାଇ ଦେଇଥିଲା, କବିତା ସେଠାରେ ସେହି ମୁହୂର୍ତ୍ତକୁ ଭାବନାର ଗତି ଦେଇଥିଲା l
ଏହି କବିତା ଆସରରେ ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ସୁବାଷ ପାଣିଗ୍ରାହୀ କବିଙ୍କୁ ସ୍ୱାଗତ କରିବା ସହ ଫୋଟୋ ଚିତ୍ରରେ କବିଙ୍କ ଭାବନା ର ନିବେଦନ କୁ ଭୁୟସୀ ପ୍ରଶଂସା କରିଥିଲେ l ଶେଷରେ ସାମ୍ବାଦିକ ସଂଘ ର ସାଧାରଣ ସମ୍ପାଦକ ଶଙ୍କର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l