-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
20-Aug-2026
ବରପାଲି : (ସୁଦାମ ଦୀପ) ଦଶମାଇଲ ଛକସ୍ଥିତ ଅଭିଜିତ୍ ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ ‘ଆଶ୍ରା’ ବୃଦ୍ଧାଶ୍ରମର ପ୍ରତିଷ୍ଠା ଦିବସ ତଥା ପ୍ରଥମ ବାର୍ଷିକୋତ୍ସବ ଧୁମ୍ଧାମରେ ପାଳିତ ହୋଇଯାଇଛି। ସମାଜସେବୀ ତଥା ସାମ୍ବାଦିକ ଅସିତ୍ ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଅବସରପ୍ରାପ୍ତ ପ୍ରଫେସର ଡ. ଟେକଚାନ୍ଦ ଦୁଆନ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବରଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆମ୍ବୁଜାକ୍ଷ ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ଗିରିଜା ଶଙ୍କର ଆଚାର୍ଯ୍ୟ, ଶିକ୍ଷାପ୍ରେମୀ ନରେନ୍ଦ୍ର ହୋତା, ଯୁବନେତା ସୁବ୍ରତ ସିଂ ଓ ସାମ୍ବାଦିକ ରଞ୍ଜନ ଦେବତା ଯୋଗଦେଇଥିଲେ।ସଭା ପ୍ରାରମ୍ଭରେ ରଞ୍ଜନ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ‘ଆଶ୍ରା’ର ଉଦ୍ଦେଶ୍ୟ ଓ କାର୍ଯ୍ୟଧାରା ସମ୍ପର୍କରେ ଅତିଥି ଓ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଅଭିଜିତ୍ ଫାଉଣ୍ଡେସନ୍ର ସମ୍ପାଦକ ଲୀଳାମୟ ବେହେରା ବାର୍ଷିକ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସଂସ୍ଥାର କୋଷାଧ୍ୟକ୍ଷ ତଥା ଶ୍ରୀଗିଡ଼ା ସରପଞ୍ଚ ଲୋକେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କେଦାର ସାହୁ ସଭାକାର୍ଯ୍ୟ ସଂଯୋଜନା କରିଥିଲେ।
ଏହି ଅବସରରେ ‘ଆଶ୍ରା’ ବୃଦ୍ଧାଶ୍ରମ ପାଇଁ ନିଃଶୁଳ୍କରେ ଘର ଯୋଗାଇ ଦେଇଥିବା ସାହିନ୍ ବାନୋଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ପ୍ରକୃତି ବନ୍ଧୁ ତଥା ଶିକ୍ଷକ ବୈଲୋଚାନ ପ୍ରଧାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ବୃଦ୍ଧାଶ୍ରମର କାର୍ଯ୍ୟରେ ସହଯୋଗ ଓ ସମର୍ଥନ ଯୋଗାଇ ଆସୁଥିବା ବିଭିନ୍ନ ଅନୁଷ୍ଠାନକୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସନ୍ଧ୍ୟାରେ ପାଣିମୋରା ସତ୍ୟ ସାଇ ଭଜନ ମଣ୍ଡଳୀ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା। ଭଜନ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି, ଅନ୍ତେବାସୀ ଓ ଅଞ୍ଚଳବାସୀ ଆଧ୍ୟାତ୍ମିକ ପରିବେଶର ଆନନ୍ଦ ଉପଭୋଗ କରିଥିଲେ।