-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
30-Jul-2026
ଦେବଗଡ଼, ତା. ୩୦/୦୭(ପ୍ରେରଣା ଖବର ) : ଓଡ଼ିଶା ରାଜ୍ୟ ଜୁନିଅର ରେଡକ୍ରସ, ଦେବଗଡ଼ ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ଅଣତାଲିମପ୍ରାପ୍ତ ଜୁନିଅର ରେଡକ୍ରସ କାଉନସେଲର ତାଲିମ ଶିବିର ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହରେ ଦେବଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରିଣୀ ପଦ୍ମିନୀ ମହାପାତ୍ର, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷିକା ଶ ଇପ୍ସିତା ପଟ୍ଟନାୟକ, ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ଶ୍ରୀ ରଶ୍ମିନ କୁମାର ଦାସ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ମହିମା ହେମ୍ବ୍ରମ, ଦେବଗଡ଼ ମହିଳା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶ୍ରୀ ଚିତ୍ତରଞ୍ଜନ ଦାସ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶ୍ରୀ ସୁଶାନ୍ତ କୁମାର ନନ୍ଦ ଏବଂ ମ୍ୟୁନିସିପାଲିଟିର ସାଧନ ସଂଯୋଜକ ଶ୍ରୀ ଚୂଡ଼ାମଣି ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ରେଡକ୍ରସର ରାଜ୍ୟସ୍ତରୀୟ ପ୍ରଶିକ୍ଷକ ଡ. ରବି ଚନ୍ଦ୍ର ପଶାୟତ, ଶ୍ରୀ ରାମନାରାୟଣ ଦାଶ, ଶ୍ରୀ ସର୍ବବିଦ୍ୟ ଶକ୍ତିମୟ ପ୍ରଧାନ ଓ ଶ୍ରୀ ଅମିତ କୁମାର ସାହୁ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ।
ଉଦ୍ଯାପନୀ ଅଭିଭାଷଣରେ ମୁଖ୍ୟ ଅତିଥି ଶ୍ରୀ କୁଜୁର କହିଥିଲେ ଯେ, ରକ୍ତଦାନ ହେଉଛି ସର୍ବଶ୍ରେଷ୍ଠ ମାନବ ସେବା। ପ୍ରତ୍ୟେକ ସୁସ୍ଥ ବ୍ୟକ୍ତି ନିୟମିତ ରକ୍ତଦାନ କରି ସମାଜ ପ୍ରତି ନିଜର ଦାୟିତ୍ୱ ପାଳନ କରିବା ଉଚିତ। ସେ ଜୁନିଅର ରେଡକ୍ରସର ସ୍ୱେଚ୍ଛାସେବା, ମାନବିକତା ଓ ସାମାଜିକ ସଚେତନତାମୂଳକ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ତାଲିମପ୍ରାପ୍ତ କାଉନସେଲରମାନେ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା, ଶୃଙ୍ଖଳା ଓ ସାମାଜିକ ଦାୟିତ୍ୱବୋଧର ବିକାଶ କରିବାକୁ ଆହ୍ୱାନ ଦେଇଥିଲେ। ଏହି ତ୍ରିଦିବସୀୟ ତାଲିମ ଶିବିରରେ ଦେବଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୬୦ ଜଣ ଅଣତାଲିମପ୍ରାପ୍ତ ଜୁନିଅର ରେଡକ୍ରସ କାଉନସେଲର ଅଂଶଗ୍ରହଣ କରିଥିଲେ। ତିନି ଦିନ ଧରି ଜୁନିଅର ରେଡକ୍ରସର ବିଭିନ୍ନ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ସଚେତନତା, ପ୍ରାଥମିକ ଚିକିତ୍ସା, ବିପର୍ଯ୍ୟୟ ପରିଚାଳନା, ରକ୍ତଦାନର ଗୁରୁତ୍ୱ ଓ ସମାଜସେବା ଆଦି ବିଷୟରେ ବିଶେଷଜ୍ଞମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଉଦ୍ଯାପନୀ ସମାରୋହରେ ଅତିଥିମାନଙ୍କ ଦ୍ୱାରା ତାଲିମପ୍ରାପ୍ତ ସମସ୍ତ କାଉନସେଲରଙ୍କୁ ଜୁନିଅର ରେଡକ୍ରସ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରିଣୀ ଶ ପଦ୍ମିନୀ ମହାପାତ୍ର ସମସ୍ତ ଅତିଥି, ପ୍ରଶିକ୍ଷକ, ରକ୍ତଦାତା ଓ ପ୍ରଶିକ୍ଷଣାର୍ଥୀଙ୍କୁ ଧନ୍ୟବାଦ ଜଣାଇବା ପରେ କାର୍ଯ୍ୟକ୍ରମର ସମାପନ ହୋଇଥିଲା।