-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
03-Jan-2021
ବ୍ରହ୍ମପୁର (ପ୍ରେରଣା ଖବର): ବ୍ରହ୍ମପୁରରୁ ଛତ୍ରପୁର ରେଳ ଷ୍ଟେସନ୍ ମଝିରେ ଥିବା ଜଗନ୍ନାଥପୁର ରେଳ ଫାଟକରେ ଏକ ଟ୍ରକ୍ ରହିଯିବାରୁ କୋଣାର୍କ ଏକ୍ସପ୍ରେସ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକି ରହିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ପ୍ରାୟ ୧ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଟ୍ରେନ୍ଟି ସେଠାରେ ଛିଡ଼ା ହୋଇ ରହିଛି। ଫଳରେ ଯାତ୍ରୀମାନେ ନାନା ହଇରାଣ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଆର୍ପିଏଫ୍, ରେଳ କର୍ମଚାରୀ ଓ ଗୋପାଳପୁର ଥାନା ପୁଲିସ ପହଞ୍ଚି ଟ୍ରକ୍କୁ ହଟାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସୂଚନା ଅନୁସାରେ ମୁମ୍ବାଇରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା କୋଣାର୍କ ସ୍ବତନ୍ତ୍ର ଏକ୍ସପ୍ରେସ୍ ବ୍ରହ୍ମପୁରରେ ରାତି ୮ଟା ୫ମିନିଟ୍ରେ ପହଞ୍ଚିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। କିନ୍ତୁ ଆଜି ଏହି ଟ୍ରେନ୍ ପ୍ରାୟ ୧ଘଣ୍ଟା ବିଳମ୍ବରେ ଆସି ରାତି ୯ଟା ୫ମିନିଟ୍ରେ ବ୍ରହ୍ମପୁର ଷ୍ଟେସନ୍ରେ ପହଞ୍ଚିଥିଲା। ୧୦ମିନିଟ୍ ପରେ ରାତି ୯ଟା ୧୫ରେ ଟ୍ରେନ୍ ବ୍ରହ୍ମପୁର ରେଳ ଷ୍ଟେସନ୍ ଛାଡ଼ି ଭୁବନେଶ୍ବର ଅଭିମୁଖେ ବାହାରିଥିଲା। ଏହି ସମୟରେ ଜଗନ୍ନାଥପୁର ରେଳ ଫାଟକ ଦେଇ ଯାଉଥିବା ଏକ ୨୨ଚକିଆ ଟ୍ରକ୍ର ଷ୍ଟିଅରିଂ ଭାଙ୍ଗି ଯିବାରୁ ଗାଡ଼ିଟି ଡାଉନ୍ ଟ୍ରାକ୍ରେ ରହି ଯାଇଥିଲା। ଗାଡ଼ିରେ ମାଲ୍ ବୋଝେଇ ରହିଥିବାରୁ ତାହାକୁ ହଟାଇବା ସମ୍ଭବ ହୋଇ ନଥିଲା। ରେଳ ଧାରଣା ଉପରେ ଟ୍ରକ୍ ଛିଡ଼ା ରହିଥିବାରୁ କୋଣାର୍କ ଏକ୍ସପ୍ରେସ୍ ମଧ୍ୟ ସେଠାରେ ଅଟକ ରହିଥିଲା। ଖବର ଲେଖାଯିବା ପର୍ଯ୍ୟନ୍ତ ଟ୍ରକ୍କୁ ସେଠାରୁ ହଟାଇବା ପାଇଁ ଉଦ୍ୟମ ଜାରି ରହିଛି।