-+91-9937148622 |
prerana_bgr@rediffmail.com |
Sunday 23rd August 2026 |
R.N.I. Regd No. ODIODI/2010/46693
Breaking News
23-Aug-2026
ସମ୍ବଲପୁର. ୨୩. ୦୮(ସଂଜୀବ ପାଣିଗ୍ରାହୀ ):
ରଣଭୂମି କୁଦୋପାଲି ସହୀଦ ବିହାର ପରିସରରେ ଶନିବାର ସନ୍ଧ୍ୟା ୫ଟାରେ ବୀର ଛବିଳ ସାଏ ସ୍ମୃତି କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରେଙ୍ଗାଲିର ପୂର୍ବତନ ବିଧାୟକ ତଥା କମିଟି ସଭାପତି ନାଉରି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ କମିଟିର ବରିଷ୍ଠ ମାର୍ଗଦର୍ଶକ ତଥା ଉପସଭାପତି ଲକ୍ଷ୍ମଣ ଦେହୁରୀ, କୋଷାଧ୍ୟକ୍ଷ ସନୁର୍ଜ୍ୟୟ ଦଣ୍ଡସେନା, ସମ୍ପାଦକ କିଶୋର ମହାକୁର, ମୁଖ୍ୟ ସଂଯୋଜକ ଜୟବ୍ରତ ଦେଙ୍କ ସମେତ ବହୁ ସଦସ୍ୟ ଓ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।
ବୈଠକରେ ଆସନ୍ତା ୩୦ ଡିସେମ୍ବରରେ ବୀର ଛବିଳ ସାଏଙ୍କ ସମେତ ୫୭ ଜଣ ସହୀଦଙ୍କ ପବିତ୍ର ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାକୁ ପୂର୍ବାପେକ୍ଷା ଅଧିକ ଗରିମାମୟ, ଶୃଙ୍ଖଳିତ ଓ ସୁସଂଗଠିତ ଭାବରେ ଆୟୋଜନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା। ଏହି ଐତିହାସିକ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ସହ ଆବଶ୍ୟକ ସମନ୍ୱୟ ରଖିବା ଉପରେ କମିଟି ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା।
ବୈଠକରେ କୁଦୋପାଲି ରଣଭୂମିର ଐତିହାସିକ ମହତ୍ତ୍ୱକୁ ରାଜ୍ୟ ତଥା ଦେଶବ୍ୟାପୀ ପ୍ରଚାର କରିବା ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ଇଂ. ପ୍ରଶାନ୍ତ ପଣ୍ଡା ବୁର୍ଲା, ହୀରାକୁଦ ଓ ଅଇଁଠାପାଲି ଅଞ୍ଚଳରେ ବିଜ୍ଞାପନ ଓ ବିଭିନ୍ନ ପ୍ରଚାର ମାଧ୍ୟମରେ କୁଦୋପାଲିର ଗୌରବମୟ ଇତିହାସକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଏହାକୁ ଏକ ପ୍ରମୁଖ ଐତିହାସିକ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବାକୁ ପ୍ରସ୍ତାବ ରଖିଥିଲେ।ଜିଲ୍ଲା ବିଜେପି ସଭାପତି ରାମଚନ୍ଦ୍ର ମେହେର ଚଳିତ ବର୍ଷର ଶ୍ରଦ୍ଧାଞ୍ଜଳି ସଭାକୁ ସମସ୍ତଙ୍କ ସହଯୋଗରେ ସଫଳ କରିବା ସହ ସ୍କୁଲ ଓ କଲେଜ ସ୍ତରରେ ବକ୍ତୃତା, ଚିତ୍ରାଙ୍କନ, ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରସ୍ତାବ ରଖିଥିଲେ। ଏହା ମାଧ୍ୟମରେ ନୂଆ ପିଢ଼ି କୁଦୋପାଲିର ଗୌରବମୟ ଇତିହାସ ଓ ସହୀଦମାନଙ୍କ ଅମର ବଳିଦାନ ସମ୍ପର୍କରେ ଅବଗତ ହୋଇପାରିବେ ବୋଲି ମତ ପ୍ରକାଶ ପାଇଥିଲା।
ବୈଠକରେ କୁଦୋପାଲି ସହୀଦ ବିହାର ପରିସରରେ ନିର୍ମାଣାଧୀନ ମନ୍ଦିରର କାର୍ଯ୍ୟ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଆସନ୍ତା ୩୦ ଡିସେମ୍ବର ପୂର୍ବରୁ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ସଭାପତି ନାଉରି ନାୟକ ସମସ୍ତଙ୍କ ସହଯୋଗ କାମନା କରିଥିଲେ।କୁଦୋପାଲି ସହୀଦ ବିହାରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ସହ ସମନ୍ୱୟ କରିବାର ଦାୟିତ୍ୱ ସଭାପତି ନିଜେ ନେଇଥିଲେ। ଏଥିସହ କମିଟିକୁ ଆହୁରି ସକ୍ରିୟ କରିବା ସହ ଅଧିକ ସଂଗ୍ରାମୀ, ଇତିହାସପ୍ରେମୀ ଓ ସାମାଜିକ କର୍ମୀଙ୍କୁ କମିଟି ସହ ଯୋଡ଼ିବା ପାଇଁ ନିୟମିତ ବୈଠକ ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।ବୈଠକର ସଞ୍ଚାଳନ ମୁଖ୍ୟ ସଂଯୋଜକ ଜୟବ୍ରତ ଦେ କରିଥିବା ବେଳେ ଶେଷରେ ସେ ଉପସ୍ଥିତ ସମସ୍ତ ସଦସ୍ୟ ଓ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ।