-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
03-Jan-2021
ସମ୍ବଲପୁର (ପ୍ରେରଣା ଖବର): ରବିବାରରୁ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। ଏହି କ୍ରମରେ ୯ ମାସରୁ ଅଧିକ ବ୍ୟବଧାନ ପରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ’ ସମଲେଶ୍ବରୀଙ୍କ ମନ୍ଦିରର ଦ୍ବାର ବି ଭକ୍ତଙ୍କ ପାଇଁ ଉନ୍ମୁକ୍ତ ହେବାକୁ ଯାଉଛି। ପ୍ରଥମ ୫ ଦିନ ଅର୍ଥାତ୍ ରବିବାରରୁ ଗୁରୁବାର (ଜାନୁଆରି ୩ରୁ ୭ ତାରିଖ) ପର୍ଯ୍ୟନ୍ତ କେବଳ ସମ୍ବଲପୁର ଜିଲ୍ଲାବାସୀ ଓ ସମ୍ବଲପୁରରେ କାର୍ଯ୍ୟରତ କର୍ମଚାରୀମାନେ ମାଁ’ଙ୍କ ଦର୍ଶନର ସୁଯୋଗ ପାଇବେ। ନିଜ ପରିଚୟ ପତ୍ର ଦେଖାଇ ସେମାନେ ମନ୍ଦିର ପ୍ରବେଶ ଅନୁମତି ପାଇବେ। ସକାଳ ୬ଟାରୁ ଦିନ ୧୧.୩୦ ଓ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ। ତେବେ ୮ ତାରିଖରୁ ସମସ୍ତେ ମା’ଙ୍କ ଦର୍ଶନ ପାଇ ପାରିବେ। ଭକ୍ତଙ୍କ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ, ପୁଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସାମାଜିକ ଦୂରତାକୁ ନଜରରେ ରଖି ମନ୍ଦିର ଭିତରେ ଗୋଲ୍ ଚିହ୍ନ ଦିଆଯାଇଛି। ଭକ୍ତମାନେ ବ୍ୟାରିକେଡ୍ ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କରିବେ। ଶନିବାର ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା, ସମ୍ବଲପୁର ଏସ୍ପି ବି ଗଙ୍ଗାଧର ମନ୍ଦିର ପରିସରକୁ ଯାଇ ସବୁ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଟାଉନ୍ ଏସ୍ଡିପିଓ ତପନ ମହାନ୍ତି, ସମ୍ବଲପୁର ତହସିଲଦାର ଲକ୍ଷ୍ମଣ ଅମାତ, ମାଁ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ, ସଦସ୍ୟ ପ୍ରଫୁଲ୍ଲ ହୋତା ପ୍ରମୁଖ ଉପସ୍ଥିତ ଥିଲେ। ଦର୍ଶନ ସଂପର୍କରେ ଅଧିକ ସୂଚନା ଦେଇ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ କହିଛନ୍ତି, ମନ୍ଦିର ପରିସରକୁ ଯେଉଁମାନେ ଆସିବେ ସେମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ସମସ୍ତଙ୍କ ଥର୍ମାଲ ସ୍କାନିଂ ଓ ହାତ ବିଶୋଧନ କରାଯିବ। ଗେଟ୍ ସାମ୍ନାରେ ପରିଚୟ ପତ୍ର ଯାଞ୍ଚ ହେବ। ସାମାଜିକ ଦୂରତା ପାଳନ ପାଇଁ ମନ୍ଦିର ପରସରରେ ବୃତ୍ତ ଚିହ୍ନ ଅଙ୍କା ଯାଇଛି। ତେବେ କରୋନା ସଂକ୍ରମଣ ଭୟ ରହିଥିବାରୁ ୬୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଓ ୧୦ ବର୍ଷରୁ କମ୍ ଶିଶୁ ମନ୍ଦିର ନ ଆସିବାକୁ ଶ୍ରୀ ବାବୁ ଅନୁରୋଧ କରିଛନ୍ତି।