-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
02-Jan-2021
ଭୁବନେଶ୍ୱର,(ଶୁଭାଶିଷ ନାୟକ): କୋଲକାତାରେ ରହି କିଙ୍ଗ୍ପିନ୍ ସୁନୀଲ ମେହେର ଭୁବନେଶ୍ବରରେ ଚଳାଇଛି ଏହି କାରବାର। ସୁନୀଲ ର ୨୦ ଦଲାଲ୍ ଭୁବନେଶ୍ବରରେ ଦେହ ବଜାର ମଙ୍ଗ ଧରିଛନ୍ତି ।
ରାଜଧାନୀରେ ଦେହ ବଜାରର ଚେରକୁ ପାଉନି ପୋଲିସ । କିନ୍ତୁ କୋଲକାତାରେ ରହି କିଙ୍ଗ୍ପିନ୍ ସୁନୀଲ ମେହେର ଭୁବନେଶ୍ବରରେ ଚଳାଇଛି ଏହି କାରବାର । ସୁନୀଲର ୨୦ ଦଲାଲ୍ ଭୁବନେଶ୍ବରରେ ଦେହ ବଜାର ମଙ୍ଗ ଧରିଛନ୍ତି । ଏମିତି କାଇଦାରେ ଏସବୁ ଚାଲିଛି ଯେ ପୋଲିସ ଟେର୍ ପାଉନି । କିନ୍ତୁ ଏସ୍ଟିଏଫ୍ ପୁରୁଣା ଭୁବନେଶ୍ବରରୁ ଠାବ କରିବାରେ ସଫଳ ହୋଇଛି l
୨୦୧୪ ରୁ ୨୦୧୯ ଏହି ୬ ବର୍ଷ ଭିତରେ ରାଜଧାନୀରେ ୭୭ ସେକ୍ସ ରାକେଟ୍ ମାମଲା ରୁଜୁ ହୋଇଛି । ଏହି ସମୟ ମଧ୍ୟରେ ୨୫୪ଜଣ ଗିରଫ ହୋଇଛନ୍ତି ଏବଂ ୨୦୭ଜଣ ଉଦ୍ଧାର ହୋଇଛନ୍ତି । ସେକ୍ସ ରାକେଟରେ ଲିପ୍ତ ଥିବା ଘଟଣାରେ ଥାଇଲାଣ୍ଡ, ଋଷୀୟ ଯୁବତୀ ମଧ୍ୟ ଉଦ୍ଧାର ହୋଇଛନ୍ତି । କିନ୍ତୁ ଏମିତି କ’ଣ ହେଲା କେଜାଣି, ୨୦୨୦ ରେ ଗୋଟିଏ ବି ସେକ୍ସ ରାକେଟ୍ କମିସନରେଟ ପୋଲିସ ହାତରେ ଧରାପଡ଼ିଲା ନାହିଁ । ଏ କଥା ଆମେ କହୁନୁ, ବରଂ ନିଜେ କମିସନରେଟ୍ ପୋଲିସ ଏଭଳି ତଥ୍ୟ ଦେଇଛି।
ଗତବର୍ଷ ଜାନୁଆରିରେ କ୍ରାଇମ୍ବ୍ରାଞ୍ଚ ଏସଟିଏଫ୍ ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଚଢ଼ଉ କରି ଏକ ବଡ଼ଧରଣର ସେକ୍ସ ରାକେଟ୍ ଧରିଥିଲା । ଏହି ରାକେଟରେ ପ୍ରଥମେ ୬ଜଣ ବାଂଲାଦେଶୀ ଓ ପରେ ଅନ୍ୟ ୧୭ଜଣ ଦେହଜୀବୀ ଉଦ୍ଧାର ହେବା ସହ ୪ଜଣ ଦଲାଲଙ୍କୁ ଗିରଫ କରାଯାଇଥିଲା । ଏହି ତଥ୍ୟ ପରେ ଗୋଟିଏ ପ୍ରଶ୍ନ ସାଧାରଣରେ ସୃଷ୍ଟି ହୋଇଛି । ଭୁବନେଶ୍ବରରେ ଆଉ କ’ଣ ସେକ୍ସ ରାକେଟ୍ ଚାଲୁନି ନା ପୋଲିସ ଧରିପାରୁନି? ଏ ନେଇ ଅନୁସନ୍ଧାନରେ ବହୁ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି । ଗତବର୍ଷ ଲକ୍ଡାଉନରେ ସାମୟିକ ଭାବେ ବନ୍ଦ ରହିଥିଲା ବେପାର । କିନ୍ତୁ ଏହା ପରେ ସାରା ରାଜଧାନୀରେ ଦେହ ବେପାର ମାଡ଼ି ଯାଇଛି । ୨୦ରୁ ଅଧିକ ଦଲାଲ୍ ସେକ୍ସ ବଜାରରେ ସକ୍ରିୟ ରହିଛନ୍ତି । ଏହାକୁ ନେଇ ପୋଲିସ କାର୍ଯ୍ୟଦକ୍ଷତା ଓ ଭୂମିକା ଉପରେ ସନ୍ଦେହ ସୃଷ୍ଟି ହେଉଛି ।
କେତେକ ସ୍ପା’ରେ ଏବେ ବେଧଡ଼କ ବେପାର ଚାଲୁଛି । ଦଲାଲ ଯୋଗାଯୋଗ କରିବା ପରେ ସେଠାରେ ଗ୍ରାହକ ପହଞ୍ଚି ଯାଉଛନ୍ତି । ଖାଲି ସ୍ପା’ ନୁହେଁ, ଲଜ୍, ଭଡ଼ା ଘରେ ମଧ୍ୟ ଚାଲିଛି ଦେହ ବେପାର । ପୂର୍ବ ଅପେକ୍ଷା ବେପାର ତରିକାରେ ଅନେକ ପରିବର୍ତ୍ତନ ହୋଇଛି । ଯେଭଳି ଗୋଟିଏ ଜାଗାରେ ୫ରୁ ୧୦ ଦେହଜୀବୀ ରହୁଥିଲେ, ଏବେ ସେମିତି ଚାଲୁନି । ସନ୍ଦେହ ନହେବା ପାଇଁ ଗୋଟିଏ ଘରେ ଦୁଇ କିମ୍ବା ତିନିଜଣ ଦେହଜୀବୀ ରହୁଛନ୍ତି । ଲଜ୍ରେ ଦେହଜୀବୀ ରୁମ୍ ବୁକ୍ କରୁଛନ୍ତି । ସେଠାକୁ ଗ୍ରାହକ ଯାଉଛନ୍ତି-। ଦେହ ବେପାର ଚାଲିବା ନେଇ ପୋଲିସ ପାଖରେ କେତେକ ଅଭିଯୋଗ ମଧ୍ୟ ପହଞ୍ଚିଛି । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।
ସେକ୍ସ କାରବାର ପାଇଁ ଏବେ ପ୍ରଥମ ପସନ୍ଦ ପାଲଟିଛି ଅନଲାଇନ୍ । ଅନ୍ଲାଇନ୍କୁ ଆଧାର କରି ଗ୍ରାହକ ଯୋଗାଡ଼ କରୁଛନ୍ତି ଦେହଜୀବୀ । ଦଲାଲଙ୍କ ନମ୍ବର ମଧ୍ୟ ରହିଛି ୱେବ୍ସାଇଟ୍ରେ । ଦଲାଲଙ୍କ ସହ ଗ୍ରାହକ ଯୋଗାଯୋଗ କରିବା ପରେ ହ୍ବାଟ୍ସଆପ୍ରେ ଦେହଜୀବୀଙ୍କ ଫଟୋ ଆସିଯାଏ । ଗ୍ରାହକ ଜଣଙ୍କୁ ପସନ୍ଦ କରିବା ପରେ ଦାମ୍, ଜାଗା, ସମୟ ଫାଇନାଲ୍ ହୁଏ । ନିର୍ଦ୍ଧାରିତ ଜାଗାରେ ପହଞ୍ଚି ଯାଆନ୍ତି ଗ୍ରାହକ । ସେଠାରେ ଦେବଜୀବୀ ପ୍ରସ୍ତୁତ ହୋଇ ରହିଥା’ନ୍ତି । ଗତ କିଛି ଦିନ ତଳେ ଦଲାଲର ଏକ ଅଡିଓ କ୍ଲିପ୍ ମଧ୍ୟ ଭାଇରାଲ୍ ହୋଇଥିଲା । କିନ୍ତୁ ପୋଲିସ ସେ ଦିଗରେ ଧ୍ୟାନ ଦେଇନଥିଲା ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସାରା ରାଜଧାନୀରେ ଦେହ ଦଲାଲ୍ ସକ୍ରିୟ ରହିଛନ୍ତି । କ୍ୟାପିଟାଲ ଥାନାଠାରୁ ଆରମ୍ଭ କରି ନନ୍ଦନକାନନ, ତମାଣ୍ଡୋଠାରୁ ଆରମ୍ଭ କରି ବାଲିଅନ୍ତା ଏମିତି କେଉଁ ଥାନା ନାହିଁ, ଯେଉଁଠି ସେକ୍ସ ରାକେଟ୍ ଚାଲୁ ନାହିଁ । ଭଡ଼ା ଘର, ଲଜ୍, ସ୍ପା, ପାର୍ଲର ସବୁଠି ସେକ୍ସ ରାକେଟରେ ଜାଲ ବିଛାଯାଇଛି । ୨୦ରୁ ଅଧିକ ଦଲାଲ୍ ସକ୍ରିୟ ରହି ସେମାନଙ୍କ ଅପରେସନ୍ ଚଳାଉଛନ୍ତି । ଏକାଧିକ ମାମଲାରେ ଜଡ଼ିତ ଥିବା ଜଣେ କୁଖ୍ୟାତ ଦଲାଲ୍ ଭୁବନେଶ୍ବରର ସବୁଠୁ ବଡ଼ ରାକେଟ୍ ଚଲାଇଛି । ଦଲାଲର ଘର ଶିରିପୁର ଅଞ୍ଚଳରେ । ତା’ ନାଁରେ କ୍ୟାପିଟାଲ ଥାନାରେ ଚୋରି ମାମଲା, ଖଣ୍ଡଗିରିରେ ହତ୍ୟା ଉଦ୍ୟମ, ଖାରବେଳନଗରରେ ଗୁଳିକାଣ୍ଡ ସମେତ ୪ଟି ମାମଲା ରହିଛି।
ଗତବର୍ଷ ସେକ୍ସ ରାକେଟ୍ ମାମଲାରେ ଗିରଫ ମଧ୍ୟ ହୋଇଥିଲ। ତା’ ବିରୋଧରେ କମିସନରେଟ ପୋଲିସ ଦଫା-୧୧୦ ମଧ୍ୟ ଲଗାଇଛି । ସେ ଏବେ ଦୁଇଟି ସ୍ବତନ୍ତ୍ର ସଂସ୍ଥାର ସ୍ପାଏ । ତାହାକୁ ଆଧାର କରି ପାଲଟି ଯାଇଛି କୁଖ୍ୟାତ ଦଲାଲ୍ । ଖଣ୍ଡଗିରି, କ୍ୟାପିଟାଲ, ଲକ୍ଷ୍ମୀସାଗର, ବଡ଼ଗଡ଼, ଖାରବେଳନଗର ଆଦି ବିଭିନ୍ନ ଥାନା ଅଞ୍ଚଳରେ ସେକ୍ସ କାରବାର ଜାରି ରଖିଛି । ଲକ୍ଡାଉନ୍ ପରେ ଦେହବେପାର ଆହୁରି ବଢ଼ି ଯାଇଛି ।
ପଶ୍ଚିମବଙ୍ଗ, ବାଂଲାଦେଶରୁ ଦେହଜୀବୀ ଆଣି ଏଠାରେ ରାକେଟ ଚଳାଇଛି । କିନ୍ତୁ ପୁଲିସ ପାଇଁ ଏବେ ସେ ଅପହଞ୍ଚ ହୋଇ ପଡ଼ିଛି । କାହିଁକି ପୁଲିସ ତାକୁ ଗିରଫ କରିପାରୁ ନାହିଁ? ଧରା ନ ପଡ଼ିବା ପଛରେ ଉଦ୍ଦେଶ୍ୟ କ’ଣ? କେବଳ ସେ ଏକା ନୁହେଁ, ଏକାଧିକ ସକ୍ରିୟ ରହିଛନ୍ତି । କୁଖ୍ୟାତ ଦେହ ଦଲାଲ୍ ସୁନୀଲ ମେହେର ରାଜ୍ୟ ବାହାରେ ରହି ଏବେ ବି ସକ୍ରିୟ ଅଛି । ଖବର ଅନୁସାରେ, ସେ କୋଲକାତା, ଉତ୍ତର-ପୂର୍ବ ଏବଂ ଦିଲ୍ଲୀର ରହୁଛି । ଅଧିକାଂଶ ସମୟ କୋଲକାତାରେ ରହୁଛି । ତାର ଜଣେ ମହିଳା ସହଯୋଗୀ ଭୁବନେଶ୍ବରରେ ରହି କାରବାର ବୁଝୁଛି । ସେ ସେଠାରୁ ରହି କାରବାରକୁ କଣ୍ଟ୍ରୋଲ କରୁଛି । ବିଶେଷକରି ଅନଲାଇନ୍ ଓ ହ୍ବାଟସଆପରେ ରାକେଟ୍ ଅପରେଟ୍ କରୁଛି ସୁନୀଲ ।