-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
29-Dec-2020
(ପ୍ରେରଣା ଖବର) ବିଦାୟ ନେବାକୁ ଯାଉଛି ବର୍ଷ ୨୦୨୦ । ଆଉ ମାତ୍ର ଦୁଇଦିନ ପରେ ଆସିବ ୨୦୨୧ । ପ୍ରତି ବର୍ଷ ପରି ୨୦୨୧ ବି କିଛି ସୁଖ ଆଣିବ କିଛି ଦୁଃଖ ବି ଦେବ। ସମୟର ଧାରାରେ ଅନେକ ଅପ୍ ଆଣ୍ଡ ଡାଉନ୍ ଡାଉନ୍ ହେବ। ପ୍ରକୃତରେ ଜୀବନ ଚକ୍ରଟା ଏମିତି। ମଣିଷକୁ ଅନେକ ଉଠାଣି ଗଡ଼ାଣି ଦେଇ ଯିବାକୁ ହୁଏ। ନିଷ୍ଠୁର ସମୟ ଗଲାବେଳେ ତା ସହ ଅନେକ କିଛି ନେଇଯାଏ। ମଣିଷ ଚାହିଁଲେ ବି ସେସବୁ ବଳବାନ ସମୟ ପଞ୍ଚାରୁ ମୁକୁଳାଏ ପାରେନା। ଖାଲି ସ୍ମୃତି ରଖିବାଟା ସାର୍ ହୁଏ। ବର୍ଷ ୨୦୨୦ ଆମ ପାଖରୁ ସେମିତି ଅନେକ କିଛି ଛଡ଼ାଇ ନେଇଛି। ଅନେକ ପ୍ରିୟ ବ୍ୟକ୍ତିତ୍ୱ ଆମଗହଣରୁ ଚାଲିଯାଇଛନ୍ତି ଆରପାରିକୁ। ଯାହାକଙ୍କ ସ୍ମୃତି ସବୁଦିନ ପାଇଁ ଅଲିଭା ହୋଇ ରହିଯିବ।
ସବୁଦିନ ମନେ ରହିବ।
ବିଜୟ ମହାନ୍ତି :-
ଜୁଲାଇ ୨୦ ତାରିଖରେ ଓଡ଼ିଆ ଫିଲ୍ମ ଦୁନିଆରୁ ବିଦାୟ ନେଇ ସବୁଦିନ ପାଇଁ ଆରପାରିକୁ ଚାଲିଯାଇଥିଲେ ଓଲିଉଡ୍ ବିଗମ୍ ମ୍ୟାନ୍ ବିଜୟ ମହାନ୍ତି। ପ୍ରଥମେ ହୃଦ୍ଘାତ, ପରେ ଏକ ମାସ ମରଣ ସହ ଯୁଦ୍ଧ କରିବା ପରେ କୋଟିଏରୁ ଅଧିକ ଦର୍ଶକରେ ଗୋଟିଏ ବିଜୟ ହାରିଯାଇଥିଲେ ମରଣ ପାଖରେ।
ବିଜୟ ହାଇଦ୍ରାବାଦରେ ତାଙ୍କ ଝିଅଙ୍କ ପାଖରେ ରହୁଥିଲା ବେଳେ ମେ ୨୩ ତାରିଖରେ ହଠାତ୍ ତାଙ୍କର ହୃଦ୍ଘାତ ହୋଇଥିଲା। ଏହାପରେ ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ଆଉ ଏପଟେ ବିଜୟଙ୍କର ମଙ୍ଗଳମନାସୀ ଠାକୁରଙ୍କ ପାଖରେ ପ୍ରାର୍ଥନା କରିଥିଲା ସାରା ଓଡ଼ିଶା। ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ପରିବର୍ତ୍ତନ ପରେ ତାଙ୍କୁ ଓଡ଼ିଶା ଆଣି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। କିଛିଦିନର ଚିକିତ୍ସା ପରେ ଶେଷରେ ଦୁନିଆ ରଙ୍ଗଭୂମିରୁ ବିଦାୟ ନେଇଥିଲେ ଓଲିଉଡ୍ ବିଗ୍ ଅଙ୍କଲ୍।
ଅଜିତ ଦାସ :-
ଓଲିଉଡ୍ ବିଗ୍ ମ୍ୟାନ୍ ବିଜୟଙ୍କର ଦେହାନ୍ତର ଦୁଇ ମାସ ପରେ ଓଡ଼ିଆ ଫିଲ୍ମକୁ ଅଲ୍ବିଦା କହିଥିଲେ ବରିଷ୍ଠ ଅଭିନେତା ଅଜିତ୍ ଦାସ। ତାଙ୍କ ବିୟୋଗରେ ଓଡ଼ିଆ ସିନେମା ଜଗତ ଯେମିତି ଗୁରୁ ଶୂନ୍ୟ ହୋଇଗଲା। ଅନେକ କଳାକାରଙ୍କ ସେ ଶିଖାଇଥିଲେ ଅଭିନୟ ମାଧ୍ୟମରେ ହୃଦୟ ଜିଣିବାର କଳା।
ଲକ୍ଡାଉନ୍ ପୂର୍ବରୁ ମୁମ୍ବାଇରେ ରହୁଥିବା ତାଙ୍କ ଝିଅଙ୍କ ପାଖକୁ ଯାଇଥିଲେ ଅଜିତ୍। ପରେ କଟକଣା କୋହଳ ହେବା ପରେ ଓଡ଼ିଶା ଫେରିଥିଲେ ସିନେ ସାଙ୍ଗରେ ନେଇ ଆସିଥିଲେ ମହାମାରୀ କରୋନାକୁ। ସେପ୍ଟମ୍ବର ୧୩ ତାରିଖରେ ହାଠାତ୍ ତାଙ୍କର ରକ୍ତଚାପ ବଢ଼ିଯିବାରୁ ନିଶ୍ୱାସ ନେବାକୁ କଷ୍ଟ ହୋଇଥିଲା। ଏହାପରେ ଡାକ୍ତରଙ୍କ ଶତ ଚେଷ୍ଟା ପରେ ବି ଜୀବନ ଯୁଦ୍ଧରେ ହାରିଯାଇଥିଲେ ଓଲିଉଡ୍ ହାକିମ ବାବୁ ଅଜିତ ଦାସ।
ଦୀପା ସାହୁ :-
ବିଜୟ ଓ ଅଜିତଙ୍କ ପରେ ଆଲ୍ ବମ୍ କୁଇନ୍ ଦୀପା ସାହୁଙ୍କୁ ବି ଆମ ଗହଣରୁ ଛଡ଼ାଇ ନେଇଥିଲା ବର୍ଷ ୨୦୨୦। ଓଡ଼ିଆ ଆଲ୍ବମ୍ ଜଗତରୁ ଆରମ୍ଭ କରି ସିନେମା ଧାରାବାହିକରେ ଚମତ୍କାର ଅଭିନୟ କରିଥିବା ଏହି ଅଭିନେତ୍ରୀ କ୍ୟାନ୍ସର ସହି ଲଢ଼ି ଶେଷରେ ହାରିଯାଇଥିଲେ। ଜୁଲାଇ ୨୮ ତାରିଖରେ ଭୁବନେଶ୍ୱର ସ୍ପର୍ଶ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଦୁନିଆକୁ ବାଏ ବାଏ କହିଥିଲେ ଆଲବମ କୁଇନ ଦୀପା ସାହୁ।
ମନମୋହନ ମହାପାତ୍ର :-
ଜାତୀୟ ଅନ୍ତର୍ଜାତୀୟ କ୍ଷେତ୍ରରେ ଓଡ଼ିଆ ଫିଲ୍ମକୁ ପରିଚୟ ଦେଇଥିବା ଫିଲ୍ମ ନିର୍ମାତା ମନୋଜ ମହାପାତ୍ରଙ୍କୁ ଆମ ଗହଣରୁ ଛଡ଼ାଇନେଇ ରାଜ୍ୟବାସୀଙ୍କୁ ପ୍ରଥମ ବିୟୋଗ ଦୁଃଖ ଦେଇଥିଲା ବର୍ଷ ୨୦୨୦ । ଜାନୁଆରୀ ୧୩ ତାରିଖରେ ଜାତୀୟ ପୁରସ୍କାର ବିଜେତା ଫିଲ୍ମ ନିର୍ଦ୍ଦେଶକ ମନମୋହନ ମହାପାତ୍ର ଦେହାନ୍ତ ହୋଇଥିଲା। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ୬୯ ବର୍ଷୀୟ ମନମୋହନ। ‘ନିରବ ଝଡ଼’ର ନିର୍ଦ୍ଦେଶନା ଦେଇ ଜାତୀୟ ପୁରସ୍କାର ଜିତିଥିବା ମନମୋହନ ଓଡ଼ିଶାବାସୀଙ୍କ ହୃଦୟରେ ସବୁଦିନ ପାଇଁ ଏକ ନିରବ ଝଡ଼ ତୋଳି ମିଶିଗଲେ ଆକାଶ ସେପାଖର ରାଇଜରେ।
ସୁନନ୍ଦା ପଟ୍ଟନାୟକ :-
ମନମୋହନଙ୍କ ବିୟୋଗ ଦୁଃଖ ଭୁଲି ନଥିବା ଉତ୍କଳ ଜନନୀ ପୁଣି ଜାନୁଆରୀରେ ଆଉ ଜଣେ ସୁଯୋଗ୍ୟା କନ୍ୟାଙ୍କୁ ହରାଇଲା। ଜାନୁଆରୀ ୧୯ ତାରିଖରେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଶାସ୍ତ୍ରୀୟ ସଂଗୀତ ଗାୟିକା ସୁନନ୍ଦା ପଟ୍ଟନାୟକଙ୍କ ବିୟୋଗ ହେଲା। କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ୮୫ ବର୍ଷୀୟା ସୁନନ୍ଦାଙ୍କ ପରଲୋକ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ରାଜ୍ୟ ସରକାରଙ୍କର ଉଦାସୀନତାକୁ ନେଇ ପ୍ରଶ୍ନ ଉଠାଇଥିଲେ ସୁନନ୍ଦାଙ୍କ ପରିବାର ଲୋକେ ଓ ତାଙ୍କ ପ୍ରିୟଜନ। ‘ଜୀବନ ପାତ୍ର ମୋ ଭରିଛ କେତେ ମୋତେ’ ତାଙ୍କର ଏକ ବହୁ ଲୋକପ୍ରୀୟ ଗୀତ।
ନାଟ୍ୟକାର ବିଜୟ ମିଶ୍ର :-
ଏପ୍ରିଲ ୨୬ ତାରିଖରେ ଲିଭିଗଲା ଓଡ଼ିଆ ନ୍ୟଟ୍ୟଜଗତର ଉଜ୍ଜ୍ଵଳ ଜ୍ୟୋତି। ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଥିଲେ ନାଟ୍ୟକାର ବିଜୟ ମିଶ୍ର। ୮୩ ବର୍ଷରେ ତାଙ୍କର ପରଲୋକ ହୋଇଥିଲା। ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିବା ବିଜୟ ନାଟକ ଲେଖିବା ସହିତ ୫୦ରୁ ଅଧିକ ଓଡ଼ିଆ ଫିଲ୍ମର ସ୍କ୍ରିନ୍ ପ୍ଲେ ଲେଖିଛନ୍ତି। ତା ସହିତ ଯାଯାବର ଓ ରଜନୀଗନ୍ଧା ଫିଲ୍ମର ନିର୍ଦ୍ଦେଶନା ବି ଦେଇଥିଲେ। ତଟ ନିରଞ୍ଜନା, କ୍ଲାନ୍ତ ପ୍ରଜାପତି, ଯାଯାବର, ଶବ ବାହକମାନେ ଆଦି ଅନେକ ନାଟକ ଲେଖିଛନ୍ତି।
ରତ୍ନାକର ଚଇନି :-
ବିଜୟ ମିଶ୍ରଙ୍କ ପୂର୍ବରୁ ଏପ୍ରିଲ୍ ୧୮ ତାରିଖରେ ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର, ଗାଳ୍ପିକ ଓ ଔପନ୍ୟାସିକ, ଅଧ୍ୟାପକ ତଥା ସମାଲୋଚକ ଓ ଉତ୍କଳ ସାହିତ୍ୟର ସମାଜର ପୂର୍ବତନ ସଭାପତି ଡ. ରତ୍ନାକର ଚଇନିଙ୍କର ପରଲୋକ ହୋଇଥିଲା। କଟକ ସ୍ଥିତ ତାଙ୍କ ବାସ ଭବନ ଶ୍ରୀ ନିକେତନରେ ଶେଷ ନିଶ୍ୱାସ ତ୍ୟାଗ କରିଥଲେ ଓଡ଼ିଆ ସାହିତ୍ୟର ଏହି ଉଜ୍ଜ୍ୱଳ ଜ୍ୟୋତିଷ୍କ। ସେ ଅନେକ ନାଟକ ଲୋକପ୍ରିୟ ନାଟକ ଲେଖିଥିଲେ। ସେଥିମଧ୍ୟରୁ ଅଥଚ ଚାଣକ୍ୟ ତାଙ୍କର ଏକ ବହୁ ଲୋକପ୍ରୀୟ ନାଟକ।
ଶିଳ୍ପୀ ଶିବ ପାଣିଗ୍ରାହୀୀ :-
୨୦୨୦ ନଭେମ୍ବର ୯ ତାରିଖରେ ଓଡ଼ିଶାର ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କର ପରଲୋକ ହୋଇଥିଲା। ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀ ଆଜି ଅପରାହ୍ନରେ କଟକ ସିଡିଏ ସେକ୍ଟର-୬ ସ୍ଥିତ ଘରେ ଖାଉଥିଲେ। ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଏସ୍ସିବି ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ତାଙ୍କର ଉତ୍କୃଷ୍ଟ ଚିତ୍ର କଳା ପାଇଁ ସେ ଅନେକ ପୁରସ୍କାର ମଧ୍ୟ ପାଇଥିଲେ।
ମହେନ୍ଦ୍ର ଦାସ ବା ଭିକୁ ସେଟ୍ :-
ସେପ୍ଟେମ୍ବର ୧୨ ତାରିଖରେ ଦୁନିଆ ରଙ୍ଗମଞ୍ଚରୁ ବିଦାୟ ନେଲେ ଯଲିଉଡ୍ ଦୁର୍ଦ୍ଦାନ୍ତ ଖଳନାୟକ ଭିକୁ ସେଠ୍ ବା ମହେନ୍ଦ୍ର ଦାସ। ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଚୌଦ୍ୱାରରୁ କଟକ ହସ୍ପିଟାଲୁକ ନିଆଯାଇଥିଲା। ହସ୍ପିଟାଲ ଯିବା ବାଟରେ ହିଁ ୫୫ ବର୍ଷୀୟ ଭିକେ ସେଟ୍ଙ୍କର ବିୟୋଗ ହୋଇଥିଲା। ‘ଶାଗୁଣା ବସିଛି ଡେଣା ମେଲାଇ’ ଯାତ୍ରାର ଲୋକପ୍ରିୟ କଳାକାର ଥିଲେ ଭିକୁ ସେଠ୍। ଏହି ଯାତ୍ରାରେ ସେ ଅଭିନୟ କରି ରାତାରାତି ଷ୍ଟାର୍ ହୋଇଯାଇଥିଲେ। ମହେନ୍ଦ୍ର ଦାସ ବଦଳରେ ସେ ଭିକୁ ସେଠ୍ ନାଁରେ ଅଧିକ ପରିଚିତ ଥିଲେ।
ଭବାନୀ ଚରଣ ପଟ୍ଟନାୟକ :-
ମେ ୧୪ ତାରିଖରେ ଓଡ଼ିଶାରୁ ଦେଶର ମୁକ୍ତି ସଂଗ୍ରାମର ସୂର୍ଯ୍ୟ ଅସ୍ତ ହୋଇ ଗଲା। ସମସ୍ତଙ୍କୁ ଏକା ଛାଡ଼ି ଆରପାରିକୁ ଚାଲିଗଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ। ୯୮ ବର୍ଷ ବୟସରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଥିଲେ। ୧୯୨୨ ମସିହା ମେ ୧୧ ତାରିଖରେ ପୁରୀ ଜିଲ୍ଲାର ନିମାପଡ଼ାଠାରେ ଜନ୍ମ ହୋଇଥିବା ଭବାନୀ ଚରଣ ପଟ୍ଟନାୟକ ମହାତ୍ମାଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୪୨ ମସିହାରେ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିଲେ। ଏଥିସହିତ ସେ ତିନିଥର ସାଂସଦ ହୋଇଛନ୍ତି।
ଅର୍ଜୁନ ସେଠିି :-
ଜୁନ ମାସ ୮ ତାରିଖରେ ଓଡ଼ିଶା ରାଜନୀତିର ଟାଣୁଆ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ସେଠୀଙ୍କର ପରଲୋକ ହୋଇଥିଲା। ୭୯ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଭଦ୍ରକରୁ ସେ ଲୋକସଭାକୁ ୮ ଥର ନିର୍ବାଚିତ ହୋଇଥିଲେ। ୯ ଥର ନିର୍ବାଚନ ଲଢ଼ି ୮ ଥର ଜିତିଥିଲେ। ଏଥିସହିତ ବିଜେଡି ସଂସଦୀୟ ଦଳର ନେତା ମଧ୍ୟ ଥିଲେ। ରାଜ୍ୟ ବିଧାନସଭାକୁ ମଧ୍ୟ ୨ ଥର ନିର୍ବାଚିତ ହୋଇଛନ୍ତି।
ବିଷ୍ଣୁ ଦାସ :-
ଅର୍ଜୁନ ସେଠୀଙ୍କ ମାସକ ପରେ ଜୁଲାଇ ୬ ତାରିଖରେ ପୁଣି ଜଣେ ବରିଷ୍ଠ ଟାଣୁ ନେତା ବିଷ୍ଣୁ ଦାସଙ୍କର ବିୟୋଗ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୬ ବର୍ଷର ବିଷ୍ଣୁ ଦୁନିଆରୁ ବିଦାୟ ନେଇଥିଲେ। ସେ ୬ ଥର ବିଧାୟକ, ଥରେ ମନ୍ତ୍ରୀ, ଥରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।ଜଗତସିଂହପୁରରୁ ୫ ଥର, ତିର୍ତ୍ତୋଲରୁ ଥରେ ବିଧାୟକ ଥିଲେ ବିଷ୍ଣୁ। ସ୍ୱଳ୍ପକାଳ ପାଇଁ ସେ ରାଜ୍ୟସଭା ସାଂସଦ ମଧ୍ୟ ହୋଇଥିଲେ। ଏହାସହ ସେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ବି କାର୍ଯ୍ୟ କରିଥିଲେ।
ପ୍ରଦୀପ ମହାରଥୀ :-
ହାରି ନାହିଁ ମହାରଥି ସରି ନାହିଁ ରାଜନୀତି ଡାଇଲଗ୍ କହୁଥିବା ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଶେଷରେ ଜୀବନ, ମରଣର ଛକି ଶୂନ ଖେଳରେ ହାରିଯାଇଥିଲେ। ଆଉ ସବୁଦିନ ପାଇଁ ରାଜନୀତିକୁ ସାରିଦେଇ ଚାଲିଯାଇଥିଲେ ଆରପାରିକୁ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧିନ ଅବସ୍ଥାରେ ଅକ୍ଟୋବର ୪ ତାରିଖରେ ୬୫ ବର୍ଷୀୟ ମହାରଥୀ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।