-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
29-Dec-2020
ଭୁବନେଶ୍ୱର,(ଶୁଭାଶିଶଷ ନାୟକ) : ଦେଢ଼ କୋଟି ଟଙ୍କାରେ ୨୪ ଘଣ୍ଟିଆ ପଇଁତରା ଲାଗି କିଣାଯିବ ୧୫ଟି ଅତ୍ୟାଧୁନିକ ଡ୍ରୋନ୍ । ସବୁବେଳେ ଅତିକମରେ ରାଜଧାନୀ ଆକାଶରେ ୩ ଟି ଡ୍ରୋନ୍ ଉଡ଼ିବାକୁ ଯୋଜନା ରହିଛି।
ଡ୍ରୋନ୍ କ୍ୟାମେରା ଲେନ୍ସରେ ରହିବ ରାଜଧାନୀ। ଏହି କ୍ୟାମେରା ଦିନ-ରାତି ରାଜଧାନୀକୁ ଜଗିବ । ଏକକାଳୀନ ୩ଟି ଡ୍ରୋନ୍ ଘୂରିବୁଲିବ । ୨୪ ଘଣ୍ଟିଆ ପଇଁତରା ଲାଗି କିଣାଯିବ ୧୫ଟି ଅତ୍ୟାଧୁନିକ ଡ୍ରୋନ୍ । ଏଥିପାଇଁ ଖର୍ଚ୍ଚ ହେବ ଦେଢକୋଟି। କମିସନରେଟ୍ ପୋଲିସର ମଡର୍ଣ୍ଣ କେଣ୍ଟ୍ରାଲ୍ ରୁମ୍ ଅଧୀନରେ ରହିବ ଏକ ଡ୍ରୋନ୍ ହବ୍ ।୨୪ ଘଣ୍ଟିଆ ପ୍ରହରା ଦେବା ସହ ସବୁବେଳେ ରାଜଧାନୀ ଆକାଶରେ ଅତିକମ୍ରେ ୩ଟି ଡ୍ରୋନ୍ ପଇଁତରା ମାରୁଥିବ ।
କେଣ୍ଟ୍ରାଲ୍ ରୁମ୍ ଅଧୀନରେ ଯେପରି ପିସିଆର୍ ଭ୍ୟାନ୍ କାର୍ଯ୍ୟ କରୁଛି, ସେହିଭଳି ଡ୍ରୋନ୍ ମାଧ୍ୟମରେ ଜନସାଧାରଣଙ୍କୁ ଉତ୍ତମସେବା ପ୍ରଦାନ ଲକ୍ଷ୍ୟ ରଖାଯାଇଛି । କେଣ୍ଟ୍ରାଲ୍ ରୁମ୍କୁ ଡାଏଲ୍-୧୦୦ ମାଧ୍ୟମରେ କୌଣସି ସ୍ଥାନରୁ ସୂଚନା ଆସିବା ମାତ୍ରେ ଯେପରି ପିସିଆର୍ ଭ୍ୟାନ୍ ଉକ୍ତ ଘଟଣାସ୍ଥଳରେ ପହଞ୍ଚିଥାଏ, ସେହିପରି ଡ୍ରୋନ୍ ମଧ୍ୟ ଉକ୍ତ ସ୍ଥାନକୁ ଉଡିଯିବ । ଡ୍ରୋନ୍ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଲାଇଭ୍ ଚିତ୍ର କେଣ୍ଟ୍ରାଲ୍ରୁମ୍କୁ ପଠାଇବ। କୌଣସି ଘଟଣା ବା ଅଘଟଣର ଗୁରୁତ୍ବକୁ ସଙ୍ଗେ ସଙ୍ଗେ ଉପଲବ୍ଧ କରାଯାଇ ଆନୁଷଙ୍ଗିକ ସହାୟତା ସେଠାକୁ ପହଞ୍ଚା ଯାଇପାରିବ । କମିସନରେଟ୍ ପୋଲିସ ପକ୍ଷରୁ ଏଭଳି ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା କହିଛନ୍ତି ପୋଲିସ କମିସନର ଡ. ସୁଧାଂଶୁ ଷଡଙ୍ଗୀ ।
ରାଜଧାନୀର ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ମଜ୍ଭୁତ୍ କରିବା ଲାଗି ଏଭଳି ଏକ ଅତ୍ୟାଧୁନିକ ପଦକ୍ଷେପ ନେବାକୁ କମିସନରେଟ୍ ପୋଲିସ ନିଷ୍ପତ୍ତି ନେଇଛି । ରାଜଧାନୀରେ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ, ଭିଆଇପିଙ୍କ ବାସସ୍ଥାନ ଏବଂ ବହୁ ସମୟରେ ଭିଭିଆଇପି ଆସୁଥିବାରୁ ଏସବୁର ଆବଶ୍ୟକତା ରହିଛି । ସହରର ପ୍ରମୁଖ ଛକ ଗୁଡ଼ିକରେ ସିସିଟିଭି ରହିଛି । ଏହା ସତ୍ତ୍ବେ ଅନେକ ସମ୍ବେଦନଶୀଳ ସ୍ଥାନ ରହିଛି । ସେସବୁ ସ୍ଥାନ ଗୁଡ଼ିକ ଉପରେ ମଧ୍ୟ ଡ୍ରୋନ୍ ମାଧ୍ୟମରେ ନଜର ରଖାଯାଇପାରିବ । ଜାତୀୟ ରାଜପଥର ଓଭରବ୍ରିଜ୍ ଏବଂ ଅନ୍ୟାନ୍ୟ ସ୍ଥାନ ଉପରେ ଡ୍ରୋନ୍ ନଜର ରଖିପାରିବ । ଦୁର୍ଘଟଣାସ୍ଥଳକୁ ଅତ୍ୟନ୍ତ କମ ସମୟରେ ଡ୍ରୋନ୍ ପହଞ୍ଚିପାରିବ । ସବିଶେଷ ତଥ୍ୟ ମିଳିବା ପରେ ପୁଲିସ ସେହି ହିସାବରେ ତ୍ବରିତ୍ କାର୍ଯ୍ୟାନୁଷ୍ଠାନ କରିପାରିବ ।
ଅନେକ ସମୟରେ ରାଜଧାନୀରେ ଅପରାଧୀଙ୍କ ଛିନ୍ତାଇ ବା ରାହାଜାନି ଘଟଣା ସମ୍ପର୍କରେ ଅଭିଯୋଗ ହେଉଛି । ତେବେ କେଣ୍ଟ୍ରାଲ୍ରୁମ୍ ଏଭଳି ଖବର ପାଇବା ପରେ ମଧ୍ୟ ସହଜରେ ଆକାଶ ମାର୍ଗରୁ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖି ପାରିବ । ସଡ଼କ ପଥରେ ଅପରାଧୀଙ୍କୁ ପିଛା କରିବା ତୁଳନାରେ ସେମାନଙ୍କୁ କିଭଳି କୌଶଳରେ ଧରାଯାଇପାରିବ ସେନେଇ ପୋଲିସ ଡ୍ରୋନ୍ ମାଧ୍ୟମରେ ତ୍ବରିତ୍ ପଦକ୍ଷେପ ନେଇ ପାରିବ ବୋଲି ପୋଲିସ କମିଶନର ଡ. ଷଢଙ୍ଗୀ ମତଦେଇଛନ୍ତି ।
ସୂଚନାଯୋଗ୍ୟ, କରୋନା ଲକ୍ଡାଉନ୍ ସମୟରେ ପ୍ରଥମେ ଦ୍ବୖତନଗରୀରେ ସହର ଉପରେ ଡ୍ରୋନ୍ ଉଡି ଭଏସ୍ ରେକର୍ଡିଂ ଜରିଆରେ ସତର୍କ ଓ ସଚେତନ କରାଇଥିଲା । ପ୍ରତିଦିନ ସନ୍ଧ୍ୟାପୂର୍ବରୁ ଅତ୍ୟାବଶ୍ୟକ ଦୋକାନ ବଜାର ବନ୍ଦ କରିବା ଓ ରାତି କର୍ଫ୍ୟୁ ଲାଗୁ ହେଉଥିବା ନେଇ ବରାବର ସୂଚନା ଦେବାରେ ସଫଳ ହୋଇଥିଲା । ଏପରିକି କଟକଣା ଉଲ୍ଲଙ୍ଘନ କରାଯାଉଥିବା ସ୍ଥାନ ଗୁଡିକୁ ମଧ୍ୟ ଚିହ୍ନଟ କରୁଥିଲା ।