-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
28-Dec-2020
ଭୁବନେଶ୍ୱର (ପ୍ରେରଣା ଖବର): ଫିକା ପଡ଼ିବ ଏ ବର୍ଷର ଶେଷ ରାତି, ଏଥର ହେବନି ଜିରୋ ନାଇଟ୍ ସେଲିବ୍ରେସନ୍। ଭୁବନେଶ୍ୱର ମହାନଗର ଅଞ୍ଚଳରେ(ବିଏମ୍ସି) ଜିରୋ ନାଇଟ୍ ସେଲିବ୍ରେସନ୍ ବାରଣ ନେଇ ବିଏମ୍ସି କମିଶନର୍ ନିର୍ଦ୍ଦେଶନାମା ଜାରି କରିଛନ୍ତି। ହୋଟେଲ, କ୍ଲବ, କନଭେନସନ୍ ହଲ୍, କଲ୍ୟାଣ ମଣ୍ଡପରେ ଜିରୋ ନାଇଟ୍ ସେଲିବ୍ରେସନ୍ ହୋଇପାରିବ ନାହିଁ। ଏପରିକି ଅନ୍ୟ କୌଣସି ସ୍ଥାନରେ ଅଧିକ ଲୋକ ସମାଗମ ହେବା ମଧ୍ୟ ବାରଣ ହୋଇଛି। ନିଜ ଘରେ ପରିବାର ସଦସ୍ୟଙ୍କ ସହ ନୂଆବର୍ଷ ପାଳନ କରିବାକୁ ଅନୁରୋଧ କରାଯାଇଛି। ବର୍ତ୍ତମାନର ଗାଇଡଲାଇନ ଅନୁସାରେ ନୂଆବର୍ଷ ପାଳନ ନେଇ ୩୧ ରାତିରେ ଉତ୍ସବ ଆୟୋଜନକୁ ମନା କରାଯାଇଛି। କିଛି ଦିନ ତଳେ ବିଏମ୍ସି କମିଶନର ଏନେଇ ସୂଚନା ଦେଇଥିବା ବେଳେ ଏବେ ଏସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅନ୍ୟପକ୍ଷେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘ ୯ ମାସ ଧରି ବନ୍ଦ ରହିଥିବା ମନ୍ଦିର ଏବେ ଗୋଟିଏ ପରେ ଗୋଟିଏ ଖୋଲୁଛି। ପୂର୍ବରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲିବା ପରେ ଆଜି ଖୋଲିଛି ଭଦ୍ରକ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ୯ ମାସର ପ୍ରତୀକ୍ଷାର ଅନ୍ତ ପରେ ଗତ ୨୭ ତାରିଖରୁ ଖୋଲିଥିଲା ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର। ପ୍ରଥମ ପର୍ଯ୍ୟାୟରେ ସେବାୟତଙ୍କ ପରିବାର ପ୍ରଭୁଙ୍କୁ ଦର୍ଶନ କରିଥିଲେ। ୩୧ ତାରିଖ ଯାଏ ସେବାୟତଙ୍କ ପରିବାର ହିଁ ଦର୍ଶନ କରିବେ ବୋଲି ସୂଚନା ଦିଆଯାଇଥିଲା। ଏଥିପାଇଁ ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରୁ ବାରିକେଡ୍ କରାଯାଇଥିଲା। ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଆସି ପରିଚୟ ପତ୍ର ଦେଖାଇ ମନ୍ଦିରକୁ ପ୍ରବେଶ କରିଥିଲେ। ନୂଆବର୍ଷ ଭିଡ଼ ଏବଂ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଜାନୁଆରୀ ୧ ଓ ୨ ତାରିଖ ମନ୍ଦିର ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି। ତା’ ପରେ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ କେବଳ ଭୁବନେଶ୍ୱର ଲୋକଙ୍କୁ ଦର୍ଶନ ଅନୁମତି ମିଳିବ। ୬ ତାରିଖଠାରୁ ସାଧାରଣ ଲୋକେ ଦର୍ଶନ କରିପାରିବେ।