-+91-9937148622 |
prerana_bgr@rediffmail.com |
Monday 15th June 2026 |
R.N.I. Regd No. ODIODI/2010/46693
Breaking News
21-Jan-2024
ସୁବର୍ଣ୍ଣପୁର ( ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁରର ରୟାଲ ପଡିଆ ମୁକ୍ତମଞ୍ଚରେ ଚାଲିଥିବା ପୁରନ୍ଦର ସ୍ମାରକୀ ରାଜ୍ୟସ୍ତରୀୟ ନାଟ ମହୋତ୍ସବର ଦ୍ଵିତୀୟ ଦିନରେ ଆଜି ତିନୋଟି କୋଶଲି-ସମ୍ବଲପୁରୀ ନାଟକ ପରିବେଷିତ ହୋଇଛି । ମିରର ନାଟ୍ୟ ଥିଏଟର,ବେଲପାହାଡ଼ ଝାରସୁଗୁଡାର ନାଟକ ପାଚେନ,ବୀଣାପାଣି ସାହିତ୍ୟ କଳା ସଂସଦ, ବଡ଼କରଲେର ନାଟକ ଟୁକୁ ଏବଂ ସମ୍ବଲପୁରର ଅଦୃଶ୍ୟ ନାଟ୍ୟ ଆଶ୍ରମର କଳାକାରଙ୍କ ଦ୍ବାରା ପରିବେଷିତ ଭାବ ନୁ ଅଭାବ ନାଟକକୁ ନାଟ୍ୟପ୍ରେମୀ ଦର୍ଶକ ଉପଭୋଗ କରିଥିଲେ । ମିରର ଥିଏଟରର ପାଚେନ ନାଟକକୁ ନାଟ୍ୟକାର ଓ ନିର୍ଦ୍ଦେଶକ ସୁବାଷ ପ୍ରଧାନ ନିର୍ଦ୍ଦେଶନା ଦେଇଥିବାବେଳେ ଚାଷକୁ ନେଇ ଦିନକୁ ଦିନ ହୋଇଚାଲିଥିବା ଚାଷୀ ଆତ୍ମହତ୍ୟା ସମାଜ ପାଇଁ ମଙ୍ଗଳକର ନୁହେଁ ବୋଲି ନାଟକରେ ଦର୍ଶାଯାଇଛି । ଆତ୍ମହତ୍ୟା କୌଣସି ସମସ୍ୟାର ଶେଷ ପନ୍ଥା ନୁହେଁ,ବରଂ ଜୀବନ ଜୀବିକାକୁ ସୁରକ୍ଷିତ ରଖିବା ମଣିଷର ପରମ କର୍ତ୍ତବ୍ୟ ହେଉ ବୋଲି ନାଟକରେ ବାର୍ତ୍ତା ରହିଛି
ନାଟ୍ୟକାର ଓ ନିର୍ଦ୍ଦେଶକ ସୁମନ୍ତ ଭୋଇଙ୍କ ନିର୍ଦ୍ଦେଶନାରେ ନାଟକ ଟୁକୁ ଜରିଆରେ ବୟସ୍କ ବୃଦ୍ଧ ବୃଦ୍ଧାଙ୍କ ପରିଣତ ବୟସର ଦୁଃଖଦ ଜୀବନ ଉପରେ ଚିତ୍ରଣ ହୋଇଥିବାବେଳେ ବୃଦ୍ଧାଶ୍ରମର ରହଣି ଅପେକ୍ଷା ନିଃସନ୍ତାନ ହେବା ଶ୍ରେୟସ୍କର ବୋଲି ବାର୍ତ୍ତା ରହିଛି । ଠିକ ସେହିପରି,ଅଦୃଶ୍ୟ ନାଟ୍ୟ ଆଶ୍ରମର ପରିବେଷିତ ନାଟକ ଭାବ ନୁ ଅଭାବକୁ ନାଟ୍ୟକାର ଓ ନିର୍ଦ୍ଦେଶକ ଅତିଶ କୁମାର ଶତପଥି ନିର୍ଦ୍ଦେଶନା ଦେଇଥିବାବେଳେ ନାଟକରେ ଜୀବନ ଜିଜ୍ଞାସାର ଏକ ଭିନ୍ନ ପରିଭାଷାକୁ ନାଟକ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା ।ନାଟକରେ ମୁଖ୍ୟତଃ ମଣିଷ ମଣିଷ ମଧ୍ୟରେ ଥିବା ଭାବ ରେ ଯେତେବେଳେ ଅବିଶ୍ୱାସ ଏବଂ ସ୍ୱାର୍ଥପରତା ଏକ ଅଭାବ ସୃଷ୍ଟି କରେ,ସେତେବେଳେ ମଣିଷ ଭିତରେ ଥିବା ସ୍ନେହ,ବିଶ୍ୱାସ ଓ ଶ୍ରଦ୍ଧା କିପରି ଜୀବନକୁ ସମୃଦ୍ଧ କରିପାରେ ତାହାକୁ ନେଇ ନାଟକଟି ଗତିଶୀଳ ହୋଇଛି ।
ପୁରନ୍ଦର ନାଟ ମହୋତ୍ସବର ସଂଯୋଜକ ନାଟ୍ୟଶ୍ରୀ ଗଦାଧର ବାରିକ ଙ୍କ ସଂଯୋଜନl ରେ ଅନୁଷ୍ଟିତ ଏହି ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ ଯୋଗ ଦେଇ ଦ୍ଵିତୀୟ ସନ୍ଧ୍ୟାର ନାଟକ କୁ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦ୍ଘାଟନ କରିଥିଲେ l ମହୁରୀ କଳାକାର ଫକୀର ପଧାନଙ୍କ ମାଲେଶ୍ରୀ ରାଗ ସହ ମହୁରୀ ବାଦନରେ ସ୍ବର୍ଗତ ପୁରନ୍ଦର ବାରିକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ପୁରନ୍ଦର ସ୍ମୃତି କମିଟିର ଦିଲୀପ ପାତ୍ର,ଅରବିନ୍ଦ ବାରିକ,ସାନନ୍ଦ ବାରିକ,ଅଶୋକ ଜେନା,ନିଶାନ୍ତ ମହାନ୍ତି,ଜଗନ୍ନାଥ ଧରୁଆ,ଦେବାଶିଷ ପଟ୍ଟନାୟକ ଓ ଶିବ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ ।