-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
11-Apr-2022
କଣ୍ଟାବାଞ୍ଜି (ବସନ୍ତ ମେହେର): ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷିତ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ସକାଳେ ବିଳମ୍ୱରେ ଆସିବାରୁ ପିଲାଙ୍କୁ ଉଠବସ୍ କରାଯାଇଛି। ତେବେ ଉଠବସ୍ ବେଳେ ଦୁଇ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଆଜି ସକାଳେ ଏପରି ଘଟଣା ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ଦେବଙ୍ଗ ଇନ୍ଦିରା ଗାନ୍ଧୀ ହାଇସ୍କୁଲରେ ଘଟିଛି।ଗ୍ରୀଷ୍ମ ପ୍ରବାହ ଯୋଗୁ ସାରା ରାଜ୍ୟରେ ସକାଳୁଆ ସ୍କୁଲ୍ ଚାଲିଛି। ହେଲେ ଆଜି ସକାଳେ ଦେବଙ୍ଗ ଇନ୍ଦିରା ଗାନ୍ଧୀ ହାଇସ୍କୁଲର ୩୦ ଛାତ୍ରଛାତ୍ରୀଙ୍କୁ ଆସିବାରେ
ବିଳମ୍ବ କରିଥିଲେ। ତେଣୁ ସ୍କୁଲର ପ୍ରଧାନଶିକ୍ଷକ ସନାତନ ସାହୁ ଓ ସ୍କୁଲ୍ ଷ୍ଟାଫ୍ ମିଶି ୩୦ ଜଣ ଛାତ୍ରଛାତ୍ରୀଙ୍କୁ ୫୦ ଥର କାନ ଧରି ଉଠବସ୍ ହେବାକୁ କହିଥିଲେ।ପିଲାମାନେ ଉଠବସ୍ ହେବା ସମୟରେ ଦୁଇ ଜଣ ଛାତ୍ରୀ ଚେତା ହରାଇ ପଡ଼ିଥିଲେ। ସେମାନଙ୍କୁ ଶୀଘ୍ର ମୁରିବାହାଲ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଦୁଇ ଛାତ୍ରୀଙ୍କୁ ଘରକୁ ଫେରାଇ ଦେଇଥିଲେ ସ୍କୁଲ କର୍ତ୍ତୃପକ୍ଷ। ଚେତା ହରାଇଥିବା ଛାତ୍ରୀମାନେ ହେଲେ ପତ୍ରପାଲି ଗାଁର ସୁନ୍ଦର ମଣି ସାହୁଙ୍କ ଝିଅ ଲିପିରାଣୀ ସାହୁ(ନବମ ଶ୍ରେଣୀ) ଓ ଅନ୍ୟ ଜଣେ ହେଲେ ତେତେଲଖୁଣ୍ଟି ଗାଁର କରିସ୍ମା କୁମ୍ଭାର।