-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
15-Mar-2022
ନୂଆଦିଲ୍ଲୀ : ମହାରାଷ୍ଟ୍ର ମନ୍ତ୍ରୀ ଏବଂ ଏନ୍ସିପି ନେତା ନବାବ ମଲିକଙ୍କୁ ଫେବ୍ରୁଆରି ୨୪ରେ ମନି ଲଣ୍ଡରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗିରଫ କରିଥିଲା। ଏବେ ମନ୍ତ୍ରୀ ନବାବ ମଲିକଙ୍କୁ ବମ୍ବେ ହାଇକୋର୍ଟ ଏକ ବଡ଼ ଝଟକା ଦେଇଛନ୍ତି। ଅନ୍ତରୀଣ ଜମିନ ପାଇଁ ନବାବ ମଲିକ୍ କୋର୍ଟରେ ଆବେଦନ କରିଥିବା ବେଳେ ଏବେ ତାଙ୍କ ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ମଲିକ ତାଙ୍କ ଆବେଦନରେ ଇଡି ଦ୍ୱାରା ନିଆଯାଇଥିବା କାର୍ଯ୍ୟକୁ ବେଆଇନ ବୋଲି କହିଥିଲେ।
ତେବେ କୋର୍ଟଙ୍କ ଏହି ନିଷ୍ପତ୍ତି ମହାରାଷ୍ଟ୍ର ସରକାରଙ୍କ ପାଇଁ ଅସୁବିଧାକୁ ବଢ଼ାଇ ଦେଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିରବତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ଏବେ ନବାବଙ୍କୁ ହଟାଇବା ପାଇଁ ବିଜେପିର ଦାବି ଜୋର ଧରିଛି। ବିରୋଧୀ ନେତା ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହା ସ୍ପଷ୍ଟ ହୋଇଛି ଯେ ନବାବ ମଲିକଙ୍କ ଉପରେ ଇଡି ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଠିକ ଅଟେ। ସେ କହିଛନ୍ତି ଯେ ମଲିକଙ୍କୁ କ୍ୟାବିନେଟରୁ ନହଟାଇବା ପଛରେ କ’ଣ ଦାଉଦର ହାତ ରହିଛି କି ବୋଲି ସରକାର ଉତ୍ତର ଦେବା ଉଚିତ୍।
ଉଲ୍ଲେଖଯୋଗ୍ୟ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ ସହ ଜମି କାରବାର ଏବଂ ଅଣ୍ଡରୱାର୍ଲ୍ଡ ସହ ଜଡ଼ିତ କିଛି ବ୍ୟକ୍ତିଙ୍କ ସହ ବେଆଇନ କାରବାର କରିଥିବା ମାମଲାରେ ଇଡି ଫେବ୍ରୁଆରି ୨୪ ସକାଳେ ମଲିକଙ୍କୁ ପ୍ରାୟ ୮ ଘଣ୍ଟା ଧରି ଜେରା କରିଥିଲା। ଇଡି ଅଧିକାରୀମାନେ ସକାଳ ୬ଟାରେ ମଲିକଙ୍କ ବାସଭବନରେ ପହଞ୍ଚିଥିଲେ। ବାସଭବନରେ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ମଲିକଙ୍କୁ ଜେରା କରିବାପରେ ତାଙ୍କୁ ଇଡି ଅଫିସ୍ ନିଆଯାଇ ଜେରା କରାଯାଇଥିଲା। ତାଙ୍କୁ ପ୍ରାୟ ୮ ଘଣ୍ଟା ପର୍ଯ୍ୟନ୍ତ ଜେରା କରାଯିବା ସହ ପିଏମଏଲଏ (ପ୍ରିଭେନସନ୍ ଅଫ୍ ମନି ଲଣ୍ଡ୍ରିଂ ଆକ୍ଟ) ଅଧୀନରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ତେବେ ନବାବ ମଲିକ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିନଥିବାରୁ ତାଙ୍କୁ ପିଏମଏଲ୍ଏର ବ୍ୟବସ୍ଥା ଅଧୀନରେ ଗିରଫ କରାଯାଇଥିଲା।