-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
04-Sep-2026
ଭୁବନେଶ୍ୱର(ମୁରଲୀଧର ମିଶ୍ର): ଓଡ଼ିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି-୩ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବାବୁ ସିଂଙ୍କ ଅଧ୍ୟକ୍ଷତାରେ ତା. ୦୨.୦୯.୨୦୨୬ରିଖଠାରୁ ତା. ୦୭.୦୯.୨୦୨୬ରିଖ ପର୍ଯ୍ୟନ୍ତ କମିଟି ଉତ୍ତର ପ୍ରଦେଶ ରାଜ୍ୟ ଗସ୍ତରେ ଯାଇଛନ୍ତି । ଉକ୍ତ ଗସ୍ତରେ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଶ୍ରୀଯୁକ୍ତ (ଡ.) ବ୍ୟମୋକେଶ ରାୟ, ଶ୍ରୀଯୁକ୍ତ ସୁନିଲ କୁମାର ମହାନ୍ତି, ମାନସ କୁମାର ଦତ୍ତ ଓ ନିଳମାଧବ ହିକ୍କା ଇତ୍ୟାଦି ମାନ୍ୟବର ବିଧାୟକମାନେ କମିଟିଙ୍କ ଗସ୍ତରେ ସାମିଲ ଅଛନ୍ତି ଏବଂ ଉକ୍ତ ଗସ୍ତରେ ବିଧାନସଭା ତରଫରୁ କମିଟି ଅଧିକାରୀ ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକ ଓ ଶ୍ରୀ ନିରଞ୍ଜନ କର, ଓଏସ୍ଡ଼ି ତଥା ଯୁଗ୍ମ ସଚିବ (ରିପୋଟିଂ) ମଧ୍ୟ କମିଟିଙ୍କ ଗସ୍ତରେ ସାମିଲ ହୋଇ ପୂର୍ଣ୍ଣ ସହାୟତା କରୁଛନ୍ତି ।
ତା. ୦୩.୦୯.୨୦୨୬ରିଖ ଦିନ ବାହାର ରାଜ୍ୟ ଗସ୍ତରେ ଥିବା ଷ୍ଟାଣ୍ଡିଂ କମିଟି ଉତ୍ତର ପ୍ରଦେଶ ରାଜ୍ୟ ବିଧାନସଭା ପରିଦର୍ଶନ କରିବା ସହିତ ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀଯୁକ୍ତ ସତିଶ ମାହାନା ଓ ବିଧାନସଭା ସଚିବ ଶ୍ରୀଯୁକ୍ତ ପ୍ରଦିପ କୁମାର ଦୁବେ ତଥା ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ବିଧାନସଭା ପରିଚାଳନା, ସ୍ଥାୟୀ କମିଟି ଗଠନ ଓ ଅନ୍ୟାନ୍ୟ କମିଟିଙ୍କ କାର୍ଯ୍ୟ ପରିଚାଳନା ଏବଂ ଏହାର କ୍ଷମତା, ବିଧାନସଭାରେ କାର୍ଯ୍ୟକାରୀ ହେଉଥିବା ଇ-ବିଧାନ ସିଷ୍ଟମ୍ର ଉପଯୋଗ, ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବା ଓ ପାରିତ କରିବା ପଦ୍ଧତି ଏବଂ ଏଠାରେ ମାନ୍ୟବର ବିଧାୟକମାନଙ୍କୁ ଦିଆଯାଉଥିବା ସୁବିଧାସୁଯୋଗ ସହିତ ନିର୍ମାଣ ବିଭାଗ ଓ ଗୃହ ଓ ନଗର ଉନ୍ନୟନ, ଡ୍ରେନେଜ୍ ସିଷ୍ଟମ୍ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।
ଏତଦ୍ବ୍ୟତୀତ କମିଟି ବିଧାନସଭା ଗ୍ୟାଲେରୀ ପରିଦର୍ଶନ କରିବା ସହିତ ବିଧାନସଭା କାର୍ଯ୍ୟ ପରିଚାଳନା ସମ୍ପର୍କିତ ସମସ୍ତ ସୂଚନା କିପରି ବିଧାୟକ ଓ ସାଧାରଣରେ ଉପଲବ୍ଧ କରାଯାଇପାରୁଛି, ସେ ସମ୍ପର୍କରେ ବିଶେଷ ସୂଚନା ପ୍ରାପ୍ତ କରିଥିଲେ ଏବଂ ବିଧାନସଭା ଚାଲିଥିବାବେଳେ କିପରି ୟୁଟୁ୍ୟବ୍ ଓ ସିଧାପ୍ରସାରଣ କରାଯାଉଛି, ସେ ସମ୍ପର୍କରେ ମଧ୍ୟ ବିଶେଷ ସୂଚନା ପ୍ରାପ୍ତ କରିଥିଲେ । ଉତ୍ତରପ୍ରଦେଶ ପରି ଓଡ଼ିଶା ରାଜ୍ୟ ବିଧାନସଭାରେ ମଧ୍ୟ ଅନୁରୂପ ଭାବରେ କିପରି ସଂସ୍କାର ଅଣାଯାଇପାରିବ ସେ ଦିଗରେ ମଧ୍ୟ ପର୍ଯ୍ୟାଲୋଚନା କରାଯାଇଥିଲା ।