-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
18-May-2026
କାଲିମେଳା:(ସନ୍ତୋଷ କୁମାର ପଣ୍ଡା):ଗତ କିଛି ଦିନ ଧରି ଏମଭି-୭୯ ସହ ପାଖପାଖି ଥିବା ଗ୍ରାମ ଗୁଡିକ ସହ ଏମଭି-୮୧, ଏମଭି-୭୬ ଓ କୁନାଲପାଲି ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲ ସଙ୍କଟ ଦେଖାଦେଇଛି। ଅନେକ ପେଟ୍ରୋଲ ପମ୍ପରେ ସପ୍ତାହେକ ଧରି ତେଲ ନଥିବା କୁହାଯାଉଥିବା ବେଳେ ସାଧାରଣ ଲୋକ ଭାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏହାର ମଧ୍ୟରେ କିଛି ଖୁଚୁରା ଦୋକାନରେ ଲିଟର ପିଛା ପ୍ରାୟ ୧୪୦ ଟଙ୍କା ଦରରେ ପେଟ୍ରୋଲ ବିକ୍ରି ହେଉଥିବା ଦେଖି ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି। ପେଟ୍ରୋଲ ପମ୍ପରେ ତେଲ ନଥିବା ବେଳେ ଖୁଚୁରା ବ୍ୟବସାୟୀଙ୍କ ପାଖକୁ କିପରି ପେଟ୍ରୋଲ ପହଞ୍ଚୁଛି, ତାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।ସେପଟେ ଜିଲ୍ଲା ସଦରର କିଛି ପେଟ୍ରୋଲ ପମ୍ପରେ ତେଲ ଉପଲବ୍ଧ ଥିବା ସତ୍ତ୍ୱେ ବୋତଲ କିମ୍ବା ଜାରିକେନରେ ତେଲ ଦିଆଯାଉନଥିବା ଅଭିଯୋଗ ହେଉଛି। କେବଳ ଗାଡିକୁ ସୀମିତ ଭାବେ ୨୦୦ ଟଙ୍କାର ପେଟ୍ରୋଲ ଦିଆଯାଉଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଲୋକମାନେ ଅଧିକ ହେରାଣ ହେଉଛନ୍ତି।ଏହି ପରିସ୍ଥିତିରେ କିଛି ଖୁଚୁରା ବ୍ୟବସାୟୀ ନାମ ଗୋପନ ରଖି କହିଛନ୍ତି ଯେ, ସେମାନେ ଅଧିକ ଦାମରେ ତେଲ କିଣି ଗାଁ ଗହଳିର ଲୋକଙ୍କ ସୁବିଧା ପାଇଁ ତେଲ ଯୋଗାଉଛନ୍ତି। “ଆମେ ଅଧିକ ଲାଭ ଆଶାରେ ନୁହେଁ, ଲୋକେ ଅସୁବିଧାରେ ନ ପଡନ୍ତୁ ବୋଲି କଷ୍ଟ କରି ତେଲ ଆଣି ବିକ୍ରି କରୁଛୁ,” ବୋଲି ସେମାନେ କହିଛନ୍ତି।ତେବେ ପ୍ରକୃତରେ ତେଲ ସଙ୍କଟ କାହିଁକି ସୃଷ୍ଟି ହୋଇଛି ଏବଂ ଖୁଚୁରା ବ୍ୟବସାୟୀଙ୍କ ପାଖକୁ କିପରି ତେଲ ପହଞ୍ଚୁଛି, ତାହାର ନିରପେକ୍ଷ ତଦନ୍ତ କରିବାକୁ ସାଧାରଣ ଲୋକ ଦାବି କରିଛନ୍ତି।