-+91-9937148622 |
prerana_bgr@rediffmail.com |
Thursday 10th September 2026 |
R.N.I. Regd No. ODIODI/2010/46693
Breaking News
10-Sep-2026
ବଲାଙ୍ଗୀର(ପ୍ରେରଣା ଖବର): ବିଶ୍ୱାତ୍ମ ବିଦ୍ୟାମନ୍ଦିର, ଆନନ୍ଦ ନିକେତନ, ଖୁଜେନପାଲି ପରିସରରେ ଆଜି ପୂଜ୍ୟପାଦ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ବିଶ୍ୱାତ୍ମ ବିଦ୍ୟାମନ୍ଦିରର ୩୧ତମ ପ୍ରତିଷ୍ଠା ଦିବସ ଶ୍ରଦ୍ଧା, ଭକ୍ତି ଓ ଆଧ୍ୟାତ୍ମିକ ଉଲ୍ଲାସର ସହ ପାଳିତ ହୋଇଯାଇଛି।ପୂଜ୍ୟପାଦ ସଦ୍ଗୁରୁଦେବ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ଗରିମାମୟ ଉପସ୍ଥିତି ସମଗ୍ର ପରିବେଶକୁ
ଆଧ୍ୟାତ୍ମିକ ଚେତନା ଓ ଗୁରୁକୃପାରେ ଭରିଦେଇଥିଲା। ଏଥିସହ ବିଭିନ୍ନ ସାଧୁସନ୍ଥ ଓ ମହାତ୍ମାଙ୍କ ଉପସ୍ଥିତି କାର୍ଯ୍ୟକ୍ରମର ଗରିମାକୁ ଆହୁରି ବଢ଼ାଇଥିଲା।
ଭଜନ ଓ ସଂକୀର୍ତ୍ତନରୁ ଆରମ୍ଭ ହୋଇଥିବା ଏହି ପବିତ୍ର ସମାରୋହରେ ଦୀପ ପ୍ରଜ୍ୱଳନ, ମାଲ୍ୟାର୍ପଣ ଓ ସ୍ୱାଗତ ସଙ୍ଗୀତ ମାଧ୍ୟମରେ ସଦ୍ଗୁରୁଦେବଙ୍କୁ ଅଭିନନ୍ଦନ ଜଣାଯାଇଥିଲା। ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ପ୍ରେରଣାଦାୟୀ ବକ୍ତବ୍ୟ ରଖି ନିଜର ଭାବନା ଓ ଚିନ୍ତାଧାରା ପ୍ରକାଶ କରିଥିଲେ।
ଏହି ଅବସରରେ ବିଶ୍ୱାତ୍ମ ଚେତନା ପରିଷଦ ପକ୍ଷରୁ ଆୟୋଜିତ ଶ୍ଲୋକ ଆବୃତ୍ତି ଓ ବକ୍ତୃତା ପ୍ରତିଯୋଗିତା ରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ‘ପ୍ରଜ୍ଞା ପୁରସ୍କାର’ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହି ଅବସରରେ ବିଶ୍ବାତ୍ମ ଚେତନା ପରିଷଦର ସାଧାରଣ ସମ୍ପାଦକ ପୂଜ୍ୟ ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ୱତୀଜୀଙ୍କ ପ୍ରେରଣାଦାୟୀ ଉଦ୍ବୋଧନରେ ଜ୍ଞାନ, ସଂସ୍କାର, ସେବା ଓ ଆଧ୍ୟାତ୍ମିକ ଜୀବନର ମହତ୍ତ୍ୱ ଉପରେ ଆଲୋକପାତ କରାଯାଇଥିଲା। ପୂଜ୍ୟ ସ୍ୱାମୀ ତେଜୋମୟାନନ୍ଦ ସରସ୍ୱତୀଜୀ ମହାରାଜ, ପୂଜ୍ୟ ସ୍ୱାମୀ ପରମାନନ୍ଦ ସରସ୍ୱତୀଜୀ ମହାରାଜ, ପୂଜ୍ୟ ସ୍ୱାମୀ ନିତ୍ୟବୁଦ୍ଧାନନ୍ଦଜୀ ମହାରାଜ ଏବଂ ପୂଜ୍ୟ ବାବା ଶ୍ୟାମାନନ୍ଦ ଦାସଜୀଙ୍କ ଗରିମାମୟ ଉପସ୍ଥିତି ଓ ଆଶୀର୍ବଚନ ଅବସରକୁ ଅଧିକ ମଙ୍ଗଳମୟ କରିଥିଲା।
ପୂଜ୍ୟପାଦ ସଦ୍ଗୁରୁଦେବ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜ ତାଙ୍କ ପବିତ୍ର ଆଶୀର୍ବଚନରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଉପସ୍ଥିତ ଭକ୍ତମାନଙ୍କୁ ଜୀବନରେ ଜ୍ଞାନ, ଚରିତ୍ର, ଶୃଙ୍ଖଳା, ସେବା ଓ ସଦାଚାରକୁ ଆପଣାଇ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥିଲେ।
ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ସମାରୋହର ମୁଖ୍ୟ ଆକର୍ଷଣ ପାଲଟିଥିଲା। ଛାତ୍ରଛାତ୍ରୀଙ୍କ କଳାତ୍ମକ ପ୍ରତିଭା ଓ ଉତ୍ସାହକୁ ଉପସ୍ଥିତ ଦର୍ଶକମାନେ ଭୂୟସୀ ପ୍ରଶଂସା କରିଥିଲେ।
ଶେଷରେ ଶାନ୍ତିପାଠ ଓ ଭଣ୍ଡାରା ସହ ଏହି ପବିତ୍ର ସମାରୋହର ସମାପନ ହୋଇଥିଲା। ଗୁରୁଭକ୍ତି, ଆଧ୍ୟାତ୍ମିକତା, ସଂସ୍କାର, ପ୍ରତିଭା ସମ୍ମାନ ଓ ଗୁରୁକୃପାରେ ପରିପୂର୍ଣ୍ଣ ଆଜିର ଦିବସ ବିଶ୍ୱାତ୍ମ ଚେତନା ପରିବାର ପାଇଁ ଏକ ଅବିସ୍ମରଣୀୟ ଅବସର ହୋଇ ରହିଛି।