-+91-9937148622 |
prerana_bgr@rediffmail.com |
Friday 11th September 2026 |
R.N.I. Regd No. ODIODI/2010/46693
Breaking News
11-Sep-2026
ବଲାଙ୍ଗୀର(ପ୍ରେରଣା ଖବର): ସ୍ମୃତି,ସମ୍ପର୍କ ଓ ସେବାର ଏକ ଅନନ୍ୟ ମିଳନର ସାକ୍ଷୀ ହୋଇଛି ବଲାଙ୍ଗିର।ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର, କଦମପଡ଼ା ପରିସରରେ ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଭାବାବେଗପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ଦୀର୍ଘ ବର୍ଷ ପରେ ପୁରୁଣା ସହଯୋଗୀ,ଗୁରୁଭାଇ-ଭଉଣୀ ଓ ସହକର୍ମୀମାନେ ଏକାଠି ହୋଇ ଅତୀତର ସ୍ମୃତିକୁ ମନେ ପକାଇବା ସହ ନିଜ ନିଜ ଅନୁଭୂତି ବଖାଣିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରଥମ ଆଚାର୍ଯ୍ୟ ସହଦେବ ଖମାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲାର ପ୍ରଥମ ଆଚାର୍ଯ୍ୟା କଲ୍ୟାଣୀ ସରାଫ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଯୋଜନାର ଇତିବୃତ୍ତ ଓ ନିଜର ସ୍ମୃତି ଚାରଣ କରିଥିଲେ।
କଦମପଡ଼ା ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରର ପ୍ରଥମ ପ୍ରଧାନ ଆଚାର୍ଯ୍ୟ ଚିନ୍ତାମଣି ମହନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ସମ୍ପାଦକ ଯୋଗୀନ୍ଦ୍ର ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏଭଳି ଏକତ୍ରୀକରଣର ମହତ୍ତ୍ୱ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ।
ପୂର୍ବତନ ଆଚାର୍ଯ୍ୟ ତଥା ଆଶୁକବି ଡ.ହେମନ୍ତ କୁମାର ଦାଶ ନିଜସ୍ୱ କାବ୍ୟିକ ଶୈଳୀରେ କାର୍ଯ୍ୟକ୍ରମ ସଞ୍ଚାଳନ କରି ସଭାକୁ ଅଧିକ ଭାବପ୍ରବଣ କରିଥିଲେ।ଜିଲ୍ଲାର ଶତାଧିକ ପୁରାତନ ପ୍ରଧାନ ଆଚାର୍ଯ୍ୟ,ପ୍ରଧାନ ଆଚାର୍ଯ୍ୟା,ଆଚାର୍ଯ୍ୟ ଓ ଆଚାର୍ଯ୍ୟା ଏଥିରେ ଯୋଗଦେଇ ପୁରୁଣା ଦିନର ଅନୁଭୂତି ଓ ସ୍ମୃତିକୁ ପରସ୍ପର ମଧ୍ୟରେ ବାଣ୍ଟିଥିଲେ।ଅନେକେ ଭାବବିହ୍ୱଳ ହୋଇ ନିଜର ସେବାଜୀବନର ସ୍ମୃତିକୁ ମନେ ପକାଇଥିଲେ।
ସଭାର ପ୍ରାରମ୍ଭରେ ଦୟାନିଧି କରଣଙ୍କ ଶୋକ ପ୍ରସ୍ତାବ ଅନୁସାରେ ଦିବଂଗତ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଦୁଇ ମିନିଟ୍ର ନିରବ ଶୋକସଭା ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ଜବର ସିଂ ବନଛୋର,ଜଗନ୍ନାଥ ମିଶ୍ର,ଦିଲୀପ ପାଢ଼ୀ,ମନମୋହନ ପଟ୍ଟନାୟକ,ବିଶ୍ୱଜିତ ଗୁରୁ,ଆଚାର୍ଯ୍ୟ ଭବାନୀ ଶଙ୍କର ପାଣିଗ୍ରାହୀ, ସୁଶାନ୍ତ ମହାନ୍ତି ପ୍ରମୁଖ ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ମଞ୍ଚାସୀନ ଅତିଥିମାନେ ସମ୍ମାନିତ କରିଥିଲେ।ଏଥିସହ ଦୀର୍ଘ ସମୟ ଧରି ସେବା ପ୍ରଦାନ କରି ଅବସର ଗ୍ରହଣ କରିଥିବା କୈଳାସ ବହିଦାର ଏବଂ ଜିଲ୍ଲାରୁ ପ୍ରଥମେ ଅବସର ଗ୍ରହଣ କରିଥିବା ଦିଲୀପ କୁଅଁରଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଉତ୍ସାହଜନକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ଅଞ୍ଜନ କୁମାର ସାଏ, ଧୀରେନ୍ଦ୍ର ମାହାଣା ଓ ରବୀନ୍ଦ୍ର ସାହୁଙ୍କ ଭୂମିକା ପ୍ରଶଂସନୀୟ ରହିଥିଲା।
ସଭାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଧ୍ୟ ଉଠିଥିଲା।କୌଣସି ପୂର୍ବତନ ଆଚାର୍ଯ୍ୟ କିମ୍ବା ଆଚାର୍ଯ୍ୟା ଗୁରୁତର ସ୍ୱାସ୍ଥ୍ୟଗତ ସମସ୍ୟା ରେ ପଡ଼ିଲେ ପରିଷଦ ପକ୍ଷରୁ ସମ୍ପୃକ୍ତ ଭାଇ କିମ୍ବା ଭଉଣୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ନେଇ ଉପସ୍ଥିତ ସମସ୍ତଙ୍କ ପକ୍ଷରୁ ପ୍ରସ୍ତାବ ଆସିଥିଲା।
ବକ୍ତାମାନେ କହିଥିଲେ,ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ଆୟୋଜନ ଏକ ଅଭିନବ ପଦକ୍ଷେପ।ଏହା କେବଳ ପୁରୁଣା ସ୍ମୃତିକୁ ତାଜା କରିନାହିଁ,ବରଂ ପରସ୍ପର ମଧ୍ୟରେ ଭାବଗତ ସମ୍ପର୍କକୁ ଆହୁରି ଦୃଢ଼ କରିଛି।ଏହି ଆୟୋଜନ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ମଧ୍ୟ ପ୍ରେରଣାର ଉତ୍ସ ହେବ ବୋଲି ସେମାନେ ମତ ପ୍ରକାଶ କରିଥିଲେ।
ଶେଷରେ ସତ୍ୟ ନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।