-+91-9937148622 |
prerana_bgr@rediffmail.com |
Friday 11th September 2026 |
R.N.I. Regd No. ODIODI/2010/46693
Breaking News
11-Sep-2026
ବଲାଙ୍ଗୀର(୧୧/୦୯): ବଲାଙ୍ଗୀର ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଲୋଇସିଂହା ବିଧାନସଭା ମଣ୍ଡଳୀର ସର୍ବାଙ୍ଗୀନ ବିକାଶ, ସାମାଜିକ କଲ୍ୟାଣ ଓ ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଲକ୍ଷ୍ୟରେ ଆଜି ବିଧାନସଭା ମଣ୍ଡଳୀ ବିକାଶ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି. ମନ୍ତ୍ରୀ ତଥା ଲୋଇସିଂହା ବିଧାୟକ ଏବଂ ବିଧାନସଭା ମଣ୍ଡଳୀ ବିକାଶ କମିଟିର ଅଧ୍ୟକ୍ଷ ଡ. ମୁକେଶ ମହାଲିଙ୍ଗ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ଲୋଇସିଂହା ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଭୌତିକ ଓ ଆର୍ଥିକ ପ୍ରଗତିର ସମୀକ୍ଷା କରାଯାଇଥିଲା।ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ବୈଠକରେ କୃଷି, ସ୍ୱାସ୍ଥ୍ୟ,
ଭିତ୍ତିଭୂମି, ଜନକଲ୍ୟାଣ, ଗ୍ରାମ୍ୟ ଉନ୍ନୟନ, ବିଭିନ୍ନ ପ୍ରକଳ୍ପର ପ୍ରଗତି ଓ ଜମି ସମସ୍ୟା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ମାନ୍ୟବର ମନ୍ତ୍ରୀ ଆଲୋଚନା ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିକାଶ ଶିଖର ଛୁଇଁବ ବୋଲି କହିଛନ୍ତି | ଏହା ସହ ପ୍ରତ୍ୟେକ କ୍ଷେତ୍ରରେ ଆଗାମୀ ଦିନରେ ଯେପରି ଲୋଇସିଂହାର ନାଁ ହେବ ସେ ବିଷୟରେ ଗୁରୁତ୍ୱାରୋପ କରିଛନ୍ତି |
ବୈଠକର ପ୍ରଥମ ପର୍ଯ୍ୟାୟରେ କୃଷି, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଓ ଜନକଲ୍ୟାଣକାରୀ ଯୋଜନା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷ କରି ବନ୍ୟା ପରିସ୍ଥିତି, ଜଳସେଚନ କ୍ଷମତା ବୃଦ୍ଧି, ଲୋୟର ସୁକତେଲ ପ୍ରକଳ୍ପ, କ୍ଷୁଦ୍ର ଓ ଉଠା ଜଳସେଚନ ପ୍ରକଳ୍ପ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପିଏମ୍-କିଷାନ, ଚାଷୀ ପଞ୍ଜୀକରଣ ଏବଂ ସାର ଓ କୀଟନାଶକ ଯୋଗାଣ ସମ୍ପର୍କରେ ମନ୍ତ୍ରୀ ସମୀକ୍ଷା କରିଥିଲେ। ଏହାସହିତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA), ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (SFSS) ଏବଂ ‘ୱାନ୍ ନେସନ୍, ୱାନ୍ ରାସନ୍ କାର୍ଡ’ ଯୋଜନାର କାର୍ଯ୍ୟକାରିତା ମଧ୍ୟ ସମୀକ୍ଷା କରାଯାଇଥିଲା। ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଭିତ୍ତିଭୂମି ବିକାଶ ନେଇ PMGSY ରାସ୍ତା, ରାସ୍ତା ଓ କୋଠାବାଡ଼ି (R&B), ବିଦ୍ୟାଳୟ ରୂପାନ୍ତରଣ, ବିଦ୍ୟାଳୟ ଗୃହ ନିର୍ମାଣ ଓ ମରାମତି ଏବଂ ସରକାରୀ କୋଠାଗୁଡ଼ିକର ରକ୍ଷଣାବେକ୍ଷଣ ଆଦି ପ୍ରସଙ୍ଗରେ ମଧ୍ୟ ଅଧିକାରୀମାନଙ୍କଠାରୁ ତଥ୍ୟ ନିଆଯାଇଥିଲା।
ସାମାଜିକ ସୁରକ୍ଷା କ୍ଷେତ୍ରରେ ସ୍ୱାସ୍ଥ୍ୟସେବା, ଆଙ୍ଗନବାଡ଼ି କାର୍ଯ୍ୟକ୍ରମ, ‘ସୁଭଦ୍ରା ଯୋଜନା’, ଏସ୍ସି/ଏସ୍ଟି ସ୍କୁଲ ଓ ହଷ୍ଟେଲର ପରିଚାଳନା, ବୃତ୍ତି ପ୍ରଦାନ, ଦାଦନ ଶ୍ରମିକଙ୍କ ସମସ୍ୟା, ହସ୍ତଶିଳ୍ପୀ ଓ ବୁଣାକାରଙ୍କ ଉନ୍ନତି, କଳାକାର ଭତ୍ତା, ଭାଗବତ ଟୁଙ୍ଗି ଏବଂ ଗ୍ରାମାଞ୍ଚଳରେ ଖେଳପଡ଼ିଆ ଓ କ୍ରୀଡ଼ାବିତ୍ମାନଙ୍କ ପାଇଁ ସୁଯୋଗ ଆଦି ବିଷୟରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।
ବୈଠକର ଦ୍ୱିତୀୟ ପର୍ଯ୍ୟାୟରେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ, ଆର୍ଥିକ ଅନୁଦାନର ବିନିଯୋଗ ଓ ଜମି ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଭିବିଜି-ରାମ-ଜି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣର ଅସମ୍ପୂର୍ଣ୍ଣ ଗୃହ, ଲୋଇସିଂହା ଏନଏସିର ବିକାଶମୂଳକ କାର୍ଯ୍ୟ ଏବଂ ଲୋକପାଳ (OMBUDSMAN)ଙ୍କ ଅଭିଯୋଗ ଶୁଣାଣିର ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା।
ଏହାସହିତ WODC, MLALAD, BGBO ଏବଂ ୨୦୨୫-୨୬ରୁ ୨୦୨୬-୨୭ ମସିହା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମପଞ୍ଚାୟତକୁ ମିଳିଥିବା ପାଣ୍ଠି, ଏହାର ବିନିଯୋଗ ଓ ଅବଶିଷ୍ଟ ରାଶି ସମ୍ପର୍କରେ ହିସାବ ନିଆଯାଇଥିଲା।
ଆଗଲପୁର ବ୍ଲକ ଅନ୍ତର୍ଗତ ଆଡେନଡ଼ୁଙ୍ଗୁରୀ ଗାଁ ଠାରୁ ଲୋଇସିଂହା ବ୍ଲକ କଦଳିପାଲି କୁ ସଂଯୋଗ କରୁଥିବା ରାସ୍ତା କୁ ଯଥାଶୀଘ୍ର ସଂପୂର୍ଣ୍ଣ କରିବା ଏବଂ ଏହାସହିତ ଆଗଲପୁର ବ୍ଲକ ର ବଡ଼ଟିକା ଗାଁ ଠାରୁ ଲୋଇସିଂହା ବ୍ଲକ ଅନ୍ତର୍ଗତ ଦୂମଦୁମି ଗାଁ କୁ ସଂଯୋଗ କରୁଥିବା ରାସ୍ତା କାର୍ଯ୍ୟ ତ୍ବରାନ୍ବିତ ଭାବେ ସଂପୂର୍ଣ୍ଣ କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ଲୋଇସିଂହା, ଆଗଲପୁର ଏବଂ ପୁଇଁତଳା ବ୍ଲକରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ନିମନ୍ତେ ଲୋଇସିଂହାଠାରେ ଏକ ରକ୍ତ ଭଣ୍ଡାର ଓ ଡାଏଲିସିସ୍ ୟୁନିଟ୍ ଏବଂ ଆଗଲପୁରଠାରେ ଏକ୍ସ-ରେ ମେସିନ୍ ସ୍ଥାପନ କରାଯିବ। ଏହାସହିତ ଭାରତୀୟ ଜନସ୍ୱାସ୍ଥ୍ୟ ମାନକ (IPHS) ଅନୁସାରେ ଲୋଇସିଂହା, ଆଗଲପୁର ଓ ପୁଇଁତଳା ଚିକିତ୍ସାଳୟଗୁଡ଼ିକରେ ୩୦-ଶଯ୍ୟା ବିଶିଷ୍ଟ ନୂତନ କୋଠା ନିର୍ମାଣ କରାଯିବ।
ସାମାଜିକ ସୁରକ୍ଷା ଯୋଜନାରେ ନୂତନ ପେନସନ୍ ମଞ୍ଜୁରୀ, ଜମିହୀନ ହିତାଧିକାରୀଙ୍କୁ ପଟ୍ଟା (ROR) ସହ ଜମି ହସ୍ତାନ୍ତର ଏବଂ ନୂତନ ଜମିହୀନ ହିତାଧିକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଉପରେ ମଧ୍ୟ ମନ୍ତ୍ରୀ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।
ଲୋଇସିଂହା ଅଞ୍ଚଳରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତି ଓ ମୁକାବିଲା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟପନ୍ଥା (Action Plan) ପ୍ରସ୍ତୁତ କରିବାକୁ ମାନ୍ୟବର ମନ୍ତ୍ରୀ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜନସାଧାରଣ, ଚାଷୀ ଓ ଜମିହୀନ ହିତାଧିକାରୀଙ୍କ ସମସ୍ୟାକୁ ସର୍ବାଧିକ ପ୍ରାଥମିକତା ଦେଇ ସରକାରୀ ଯୋଜନାର ସୁଫଳ ତୃଣମୂଳସ୍ତରରେ ପହଞ୍ଚାଇବା ସହ ବିକାଶମୂଳକ କାର୍ଯ୍ୟଗୁଡ଼ିକୁ ଧାର୍ଯ୍ୟ ସମୟରେ ସମ୍ପାଦନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ବିଭିନ୍ନ ସଡ଼କ ଓ ସେତୁ ପ୍ରକଳ୍ପ ପାଇଁ ରାଜ୍ୟ ଯୋଜନା (ସାଧାରଣ) ଅଧୀନରେ ପ୍ରଶାସନିକ ଅନୁମୋଦନ ମିଳିଛି । ବଲାଙ୍ଗୀର–ଚନ୍ଦନଭାଟି ରାସ୍ତାରୁ କରକଚିଆ ଛକ, ଲୋଇସିଂହା–ଭରସୁଜା ରାସ୍ତା, ସାଲେଭଟା–ଆଗଲପୁର ରାସ୍ତା, ଯୋଗୀସରଡ଼ା–ପାଣ୍ଡିରିଡୁଙ୍ଗୁରୀ ଭାୟା ଖୁଣ୍ଟୁଲିମୁଣ୍ଡା ରାସ୍ତା, ଆଗଲପୁର–ନଅଗାଁ ଭାୟା ଘୁଚେପାଲି ରାସ୍ତା, ଶଙ୍କରଭୋଜି–ଜାମଗାଁ ରାସ୍ତା, ଫଟାବାହାଲ ରୁ ଫାସଡ଼ ରାସ୍ତା ଉନ୍ନତିକରଣ କାମ ଯଥା ଶୀଘ୍ର ଆରମ୍ଭ ହେବ ।
ସେହିପରି ସାଲେଭଟା–ଆଗଲପୁର ରାସ୍ତା ଉନ୍ନତିକରଣ, ଆଗଲପୁର– ନଅଗାଁ ରାସ୍ତା, ଲୋଇସିଂହା–ଭରସୁଜା ରାସ୍ତା, ସାଲେଭଟା–କୁଟାସିଂହା ରାସ୍ତା, ବୁର୍ଡା – ଅର୍ଜୁନପୁର ରାସ୍ତା, ଲୋଇସିଂହା–ଭରସୁଜା ରାସ୍ତା (ଭରସୁଜା ଛକଠାରୁ ୟୁପି ସ୍କୁଲ୍, ଦର୍ଲିପାଲି) ଉନ୍ନତିକରଣ, ଲୋଇସିଂହା–ଭରସୁଜା ରାସ୍ତା (ODR) – ଲୋଇସିଂହା ବଜାର ଲୁପ୍ ଅଂଶର ଉନ୍ନତିକରଣ, ଏବଂ ଲୋଇସିଂହା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଉନ୍ନତିକରଣ କୁ ଯଥା ଶୀଘ୍ର ପ୍ରଶାସନିକ ମଞ୍ଜୁରୀ ମିଳିବ ବୋଲି କହିଛନ୍ତି ଏବଂ ଏହା ପରେ କାମ ଆରମ୍ଭ ହେବ ।
ବୈଠକରେ ବିଭିନ୍ନ ବିଭାଗ ପକ୍ଷରୁ ଉପସ୍ଥାପିତ ତଥ୍ୟ ଓ
ପ୍ରଗତିର ସମୀକ୍ଷା କରି ମାନ୍ୟବର ମନ୍ତ୍ରୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ସାରିବା ଏବଂ ଲୋକଙ୍କ ଅଭିଯୋଗ ଓ ସମସ୍ୟାର ତ୍ୱରିତ ସମାଧାନ କରିବାକୁ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ।
ବୈଠକରେ ବଲାଙ୍ଗୀର ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର, ଅତିରିକ୍ତ ଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ମୁଖ୍ୟ ନିର୍ବାହୀ ଅଧିକାରୀ ତରଣୀ ସୁନା, ଉପଜିଲ୍ଲାପାଳ, ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଲୋଇସିଂହା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।