-+91-9937148622 |
prerana_bgr@rediffmail.com |
Thursday 10th September 2026 |
R.N.I. Regd No. ODIODI/2010/46693
Breaking News
10-Sep-2026
ବଲାଙ୍ଗୀର: ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର କନଫରେନ୍ସ ହଲ୍ରେ ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି।ଚଳିତ ବର୍ଷର ଆଲୋଚନାଚକ୍ର ବିଷୟ ‘ଭାରତର ଶକ୍ତି ସମ୍ପଦ ୨୦୪୭: ସମ୍ଭାବନା ଓ ଆହ୍ୱାନ’ ରହିଥିବା ବେଳେ ଜିଲ୍ଲାର ୧୪ଟି ବ୍ଲକରୁ ମନୋନୀତ ଛାତ୍ରଛାତ୍ରୀମାନେ ଏଥିରେ ଯୋଗଦେଇ ନିଜର ତଥ୍ୟଭିତ୍ତିକ ଓ ଚିନ୍ତନଶୀଳ ବକ୍ତବ୍ୟ ଉପସ୍ଥାପନ କରିଥିଲେ।ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ
ବିଜ୍ଞାନ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନ ରହି ଚିନ୍ତା,ଅନୁସନ୍ଧାନ ଓ ଦୈନନ୍ଦିନ ଜୀବନ ସହ ଜଡ଼ିତ ହେବା ଆବଶ୍ୟକ।ଭାରତକୁ ୨୦୪୭ ସୁଦ୍ଧା ଏକ ବିକଶିତ ଓ ଆତ୍ମନିର୍ଭର ରାଷ୍ଟ୍ରରେ ପରିଣତ କରିବାରେ ଶକ୍ତି ସମ୍ପଦର ସୁବିଚାରିତ ବ୍ୟବହାର,ନବୀକରଣୀୟ ଶକ୍ତିର ବିକାଶ ଓ ଶକ୍ତି ସଂରକ୍ଷଣରେ ଯୁବପିଢ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ।ଏଭଳି ବିଜ୍ଞାନଭିତ୍ତିକ ଆଲୋଚନା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯୁକ୍ତିଶୀଳ ଚିନ୍ତନ ଓ ସମସ୍ୟା ସମାଧାନର ଦକ୍ଷତା ବିକଶିତ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା,ରୀନା କୁମାରୀ ବେହେରା ଓ ସେବାଶ୍ରୀ ଭୋଇ ନିଜ ବକ୍ତବ୍ୟରେ ଏଭଳି ଆଲୋଚନାଚକ୍ର ମାଧ୍ୟମରେ
ପିଲାମାନଙ୍କ ପ୍ରତିଭାକୁ ଚିହ୍ନଟ କରି ତାହାକୁ ଆହୁରି ବିକଶିତ କରିବାର ସୁଯୋଗ ମିଳୁଛି ବୋଲି କହିଥିଲେ।ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠୀ,ବିଜ୍ଞାନ ଶିକ୍ଷକ କୃଷ୍ଣଚନ୍ଦ୍ର ଶତପଥୀ,ଜଗଦୀଶ ମିଶ୍ର ଏବଂ ପଞ୍ଚସଖା ଶିକ୍ଷା ସେତୁର ଆବାହକ ଦୁର୍ଗା ପ୍ରସାଦ ପାଣିଗ୍ରାହୀ ମଞ୍ଚାସୀନ ଥିଲେ।ପ୍ରତିଯୋଗିତାରେ ନିଜର ଦକ୍ଷତା,ତଥ୍ୟ ଓ ଯୁକ୍ତିପୂର୍ଣ୍ଣ ଉପସ୍ଥାପନ ମାଧ୍ୟମରେ ଲୋଇସିଂହା ବ୍ଲକର ଓଏଭି ଝାରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ରୀ ସୌମ୍ୟାଶ୍ରୀ ଥନାପତି ପ୍ରଥମ ସ୍ଥାନ ଅଧିକାର କରିଥିଲେ।ବଙ୍ଗୋମୁଣ୍ଡା ବ୍ଲକ ଓଏଭି ଭାଲୁମୁଣ୍ଡାର ନବମ ଶ୍ରେଣୀ ଛାତ୍ରୀ ଲିପି ସଗରିଆ ଦ୍ୱିତୀୟ ଏବଂ ବଲାଙ୍ଗୀର ସଦର ବ୍ଲକର ଧୋବା ହାଇସ୍କୁଲ,ହର୍ଡାଟାଲର ଦଶମ ଶ୍ରେଣୀ ଛାତ୍ରୀ ଶିବାନ୍ୟା ଭୋଇ ତୃତୀୟ ସ୍ଥାନ ଅଧିକାର କରିଥିଲେ।ବିଜୟୀ ପ୍ରତିଯୋଗୀମାନେ ଅତିଥିମାନଙ୍କ ଠାରୁ ଟ୍ରଫି ଓ ପ୍ରମାଣପତ୍ର ଗ୍ରହଣ କରିଥିଲେ।ବିଚାରକ ଭାବେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ରିଡର୍ ଡ. ଜଗଜିତ କାମିଲା ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ ନାୟକ ଯୋଗଦେଇ ପ୍ରତିଯୋଗୀମାନଙ୍କ ବକ୍ତବ୍ୟର ମୂଲ୍ୟାୟନ କରିଥିଲେ।ଜିଲ୍ଲାସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଓଏଭି ଝାରମୁଣ୍ଡାର ଛାତ୍ରୀ ସୌମ୍ୟାଶ୍ରୀ ଥନାପତି ଆସନ୍ତା ସେପ୍ଟେମ୍ବର ୨୫ ତାରିଖରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ରରେ ବଲାଙ୍ଗୀର ଜିଲ୍ଲାର ପ୍ରତିନିଧିତ୍ୱ କରିବେ।