-+91-9937148622 |
prerana_bgr@rediffmail.com |
Friday 11th September 2026 |
R.N.I. Regd No. ODIODI/2010/46693
Breaking News
11-Sep-2026
ସମ୍ବଲପୁର:(ସଂଜୀବ ପାଣିଗ୍ରାହୀ )-
ଆଜି ପୂର୍ବାହ୍ନରେ ସମ୍ବଲପୁର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଏକାଦଶ ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ମାନ୍ୟବର ବିଧାୟକ ସମ୍ବଲପୁର ଶ୍ରୀ ଜୟନାରାୟଣ ମିଶ୍ର, ଜିଲ୍ଳାପରିଷଦ ଅଧ୍ୟକ୍ଷା ଶ୍ରୀମତୀ କୁମୁଦିନି ନାୟକ, ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଭା.ପ୍ର.ସେ), ଜିଲ୍ଲା ଉନ୍ନୟନ ଅଧିକାରୀ (ସିଡ଼ିଓ-କମ-ଇଓ) ଶ୍ରୀ ପ୍ରସନ୍ନ କୁମାର ପାତ୍ରଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଉକ୍ତ ବୈଠକରେ କୃଷି ବିଭାଗର ବିହନ ଯୋଗାଣ, ରାସାୟନିକ ସାର, ପିଏମ-କିସାନ, ସିଏମ-କିସାନ, ଖରିଫ୍ ଓ ରବି ଋତୁର ଚାଷକାର୍ଯ୍ୟ, ଜଳସେଚନ ବିଭାଗର ବିଭିନ୍ନ ପ୍ରକଳ୍ପ, ଉଦ୍ୟାନ ବିଭାଗର ଅଗ୍ରଗତି ଓ ବିଭିନ୍ନ କାର୍ଯ୍ୟକ୍ରମ, ମତ୍ସ୍ୟ ବିଭାଗର ଅଗ୍ରଗତି ଓ କାର୍ଯ୍ୟକ୍ରମ ଅତ୍ୟାବଶ୍ୟକୀୟ ସାମଗ୍ରୀର ସୁଷମ ବଣ୍ଟନ, ସମବାୟ ବିଭାଗର କୃଷି ଋଣ, ଜିଲ୍ଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ କାର୍ଯ୍ୟକ୍ରମ, ପ୍ରାଣୀ ସମ୍ପଦ ବିଭାଗ, ଗ୍ରାମ୍ୟ ନିର୍ମାଣ ବିଭାଗର କାର୍ଯ୍ୟକଳାପ, ଆବାସ ଯୋଜନା ବିଭିନ୍ନ ଯୋଜନାର ଅଗ୍ରଗତି ଆଦି ଉପରେ ବିଭାଗୀୟ ଆଲୋଚନା ହୋଇଥିଲା।
ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତି କୁମୁଦିନି ନାୟକ ଗତ ପାଞ୍ଚ ବର୍ଷ ଧରି ଜିଲ୍ଲାର ୩୮ଟି ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିବାରେ ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧିମାନଙ୍କର ମିଳିତ ସହଯୋଗ ପ୍ରଶଂସନୀୟ ରହିଥିବା ବୈଠକରେ ପ୍ରକାଶ ପାଇଛି। ସମ୍ବୋଧନ ପ୍ରସଙ୍ଗରେ ବକ୍ତାମାନେ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କ ସେବା ମନୋଭାବକୁ ସାଧୁବାଦ ଜଣାଇବା ସହ ସରକାରୀ ପଦପଦବୀର ମର୍ଯ୍ୟାଦା ରକ୍ଷା କରି ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ ରଖିବାକୁ ଆହ୍ୱାନ ଦେଇଛନ୍ତି। ଜନପ୍ରତିନିଧି ଓ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କଲେ ଜନସାଧାରଣଙ୍କ ନିକଟରେ ସରକାରୀ ଯୋଜନାଗୁଡ଼ିକ ସଠିକ୍ ଭାବେ ପହଞ୍ଚିପାରିବ ବୋଲି କହିଥିଲେ।ଏହା ସହିତ ଜିଲ୍ଲାପାଳଙ୍କ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଏବଂ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହଯୋଗ ପାଇଁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି।
ଉକ୍ତ ବୈଠକରେ , ବିଗତ ପାଞ୍ଚ ବର୍ଷ ଧରି ଜିଲ୍ଲା ପରିଷଦର କାର୍ଯ୍ୟକାଳ ଅତ୍ୟନ୍ତ ସଫଳ ଏବଂ ଉତ୍ସର୍ଗୀକୃତ ରହିଥିଲା ବୋଲି ବିଧାୟକ ମହୋଦୟ ଉଲ୍ଲେଖ କରିଛନ୍ତି। ପ୍ରଶାସନିକ ଏବଂ ଆର୍ଥିକ କ୍ଷେତ୍ରରେ ଜିଲ୍ଲା ପରିଷଦକୁ ଆହୁରି ଅଧିକ କ୍ଷମତା ପ୍ରଦାନ କରାଯିବା ଉଚିତ ବୋଲି ସେ ଦୃଢ଼ ମତ ପୋଷଣ କରିଛନ୍ତି।ଗ୍ରାମାଞ୍ଚଳ ବିକାଶର ମୂଳଦୁଆ ପ୍ରକୃତରେ ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲା ପରିଷଦ ଉପରେ ନ୍ୟସ୍ତ ଥାଏ ବୋଲି ସେ ଦର୍ଶାଇଥିଲେ। ଏଣୁ ଏହି ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବାର ଆବଶ୍ୟକତା ରହିଛି। ଆଗାମୀ ଦିନରେ ଜନପ୍ରତିନିଧିମାନେ ପୁନର୍ବାର ନିର୍ବାଚିତ ହୋଇ ସମ୍ବଲପୁର ଜିଲ୍ଲାକୁ ପ୍ରଗତି ପଥରେ ଆହୁରି ଆଗେଇ ନେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।ସମ୍ବଲପୁର ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କ ନିରନ୍ତର ଉଦ୍ୟମ କରିବାକୁ ଆହ୍ଵାନ ଦେଇଥିଲେ।
ଉକ୍ତ ବୈଠକରେ , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ମାଧବ ମିର୍ଦ୍ଧା, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ରୀ ନାଉରୀ ନାୟକ, ମାନ୍ୟବର ରେଙ୍ଗାଲି ବିଧାୟକଙ୍କ ପ୍ରତିନିଧି ଶ୍ରୀ ଗୋପୀ ରଞ୍ଜନ ବେହେରା, ମାନ୍ୟବର ରେଢ଼ାଖୋଲ ବିଧାୟକ ପ୍ରତିନିଧି ଶ୍ରୀ ହୀରାଲାଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।