-+91-9937148622 |
prerana_bgr@rediffmail.com |
Thursday 2nd April 2026 |
R.N.I. Regd No. ODIODI/2010/46693
Breaking News
02-Apr-2026
ବଲାଙ୍ଗୀର : ଅଟିଜମ୍ ସ୍ପେକ୍ଟ୍ରମ୍ ଡିସଅର୍ଡର୍ (ASD) ହେଉଛି ଏକ ମସ୍ତିଷ୍କ ବିକାଶ ସମ୍ବନ୍ଧୀୟ ସମସ୍ୟା, ଯାହାର ପ୍ରଭାବ ମୁଖ୍ୟତଃ ଶିଶୁମାନଙ୍କର ତିନୋଟି କ୍ଷେତ୍ରରେ ପଡ଼େ—ସାମାଜିକ ଭାବ ବିନିମୟ, ଭାଷା ଓ ଆଚରଣ। “ଅଟିଜମ୍” ଶବ୍ଦଟି ଗ୍ରୀକ ଶବ୍ଦ “Auto” ରୁ ଆସିଛି, ଯାହାର ଅର୍ଥ “ନିଜେ”। ଏହି ସମସ୍ୟା ଝିଅମାନଙ୍କ ତୁଳନାରେ ପୁଅମାନଙ୍କ ମଧ୍ୟରେ ଅଧିକ ଦେଖାଯାଏ ଏବଂ ଜନ୍ମର ପ୍ରଥମ ତିନି ବର୍ଷ ମଧ୍ୟରେ ଏହାର ଲକ୍ଷଣ ଦେଖାଯାଏ ।
ଅଟିଜମ୍ ଥିବା ଶିଶୁମାନଙ୍କର କିଛି ସାଧାରଣ ଲକ୍ଷଣ ହେଲା—ନିଜ ନାମ ଡାକିଲେ ପ୍ରତିକ୍ରିୟା ନ କରିବା, ଆଖିରେ ଆଖି ନ ମିଶେଇବା, ଭାବ ବିନିମୟରେ ଅସୁବିଧା, ନିର୍ଦ୍ଦେଶ ଅନୁସରଣ ନ କରିବା ଏବଂ ଏକାକୀ ରହିବାକୁ ପସନ୍ଦ କରିବା। ସେମାନେ ପୁନଃପୁନି ଏକେ କାମ କରିବାକୁ ଭଲପାଆନ୍ତି, ଯେପରିକି ଆଗକୁ ପଛକୁ ହଲିବା, ହାତ ଫ୍ଲାପିଂ କରିବା କିମ୍ବା ଜିନିଷଗୁଡ଼ିକୁ ଏକ ଧାଡ଼ିରେ ସଜେଇ ରଖିବା। ଦୈନନ୍ଦିନ କାର୍ଯ୍ୟରେ କିଛି ପରିବର୍ତ୍ତନ ହେଲେ ସେମାନେ ଅସ୍ଥିର ହୋଇପାରନ୍ତି। ଏହା ସହିତ ଇନ୍ଦ୍ରିୟ ଜନିତ ସମସ୍ୟା l ଯେପରିକି ଶବ୍ଦ, ଆଲୋକ କିମ୍ବା ସ୍ପର୍ଶ ପ୍ରତି ଅତ୍ୟଧିକ କିମ୍ବା କମ ପ୍ରତିକ୍ରିୟା ରଖିବା ଏବଂ କଥା କହିବାରେ ବିଳମ୍ବ ହୁଏ।
ତେଣୁ ଆସନ୍ତୁ, ଡ଼. ରଞ୍ଜିତା ପଣ୍ଡାଙ୍କ ଠାରୁ ଅଟିଜମ୍ ବିଷୟରେ ଜାଣିବା, ବୁଝିବା ଓ ସମାଜରେ ସଚେତନତା ବଢ଼ାଇବା। ଏହି ରୋଗର ନିଷ୍କର୍ଷ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ। ତଥାପି ବୈଜ୍ଞାନିକ ମତାନୁସାରେ ଜନ୍ମଗତ କାରଣ, ପରିବାରରେ ପୂର୍ବ ଇତିହାସ, ମସ୍ତିଷ୍କ ବିକାଶରେ ପରିବର୍ତ୍ତନ, ଗର୍ଭାବସ୍ଥାରେ ମା’ଙ୍କର ଅସୁସ୍ଥତା, ଅପୋଷଣ, ଅତ୍ୟଧିକ ଔଷଧ ବ୍ୟବହାର କିମ୍ବା ନିଶାଦ୍ରବ୍ୟ ସେବନ ଇତ୍ୟାଦି ଏହାର ସମ୍ଭାବ୍ୟ କାରଣ ହୋଇପାରେ। ଏଥିସହିତ ଅପରିପକ୍ୱ ଜନ୍ମ, ଜନ୍ମ ସମୟରେ ଶିଶୁର ସମସ୍ୟା କିମ୍ବା ହାନିକାରକ ପରିବେଶ ସହ ସମ୍ପର୍କ ମଧ୍ୟ ଏହାକୁ ପ୍ରଭାବିତ କରେ।
ଅଟିଜମ୍ର ନିର୍ଣ୍ଣୟ କୌଣସି ଏକକ ଟେଷ୍ଟ ଦ୍ୱାରା ହୁଏ ନାହିଁ। ବିକାଶ ଇତିହାସ, ବ୍ୟବହାର ପର୍ଯ୍ୟବେକ୍ଷଣ ଏବଂ ବିଭିନ୍ନ ସ୍ଟାଣ୍ଡାର୍ଡ ଟେଷ୍ଟ—ଯେପରିକି
Childhood Autism Rating Scale (CARS) ଓ Autism Diagnostic Observation Schedule (ADOS) ଦ୍ୱାରା ଏହାର ମୂଲ୍ୟାଙ୍କନ କରାଯାଏ। ଏଥିରେ ବିଭିନ୍ନ ବିଶେଷଜ୍ଞଙ୍କ ଏକ ଟିମ୍ ମିଶିକରି ନିଷ୍ପତ୍ତି ନେଇଥାନ୍ତି।
ଅଟିଜମ୍ର ପୂର୍ଣ୍ଣ ଚିକିତ୍ସା ପାଇଁ କୌଣସି ଔଷଧ ନଥିଲେ ମଧ୍ୟ ଶୀଘ୍ର ଚିହ୍ନଟ ଓ ପ୍ରାରମ୍ଭିକ ହସ୍ତକ୍ଷେପ ଅତ୍ୟନ୍ତ ଜରୁରୀ। ଏଥିରେ ବିଭିନ୍ନ ଥେରାପି— ମୁଖ୍ୟତଃ Occupational Therapy ଯାହାକି ଦୈନନ୍ଦିନ କାର୍ଯ୍ୟ ଓ ଇନ୍ଦ୍ରିୟ ସମସ୍ୟା ସମାଧାନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l
Sensory Integration therapy ଯେଉଁଥିରେ ଶିଶୁମାନେ ଧ୍ୱନି, ଆଲୋକ, ସ୍ପର୍ଶ ପ୍ରତି ଅତ୍ୟଧିକ ବା କମ ପ୍ରତିକ୍ରିୟା କରନ୍ତି l ସେମାନଙ୍କୁ Sensory Input ମାଧ୍ୟମରେ ପରିବେଶ ସହିତ ଖାପ ଖୁଆଇ ଚାଲିବା ଏବଂ ମାନସିକ ବିକାଶ କରାଯାଇଥାଏ l
ଏହାସହିତ Speech Therapy, Behavior Therapy ଓ Special Education ମଧ୍ୟ ଜରୁରୀ
ଏହି ସମସ୍ୟାରେ ପିତାମାତା ଓ ପରିବାରର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଶିଶୁମାନଙ୍କୁ ତାଙ୍କ ଅସମର୍ଥତା ନୁହେଁ, ବରଂ ସମର୍ଥତା ଆଧାରରେ ମୂଲ୍ୟାୟନ କରିବା ଆବଶ୍ୟକ। ସ୍ନେହ, କରୁଣା, ଧୈର୍ୟ ଓ ଉତ୍ସାହ ଦ୍ୱାରା ସେମାନଙ୍କ ଛୋଟ ଛୋଟ ସଫଳତାକୁ ପ୍ରୋତ୍ସାହନ ଦେଲେ, ସେମାନେ ମଧ୍ୟ ଶିକ୍ଷା, କଳା, ଖେଳ ଓ ସାମାଜିକ କ୍ଷେତ୍ରରେ ଆଗକୁ ବଢ଼ିପାରିବେ।
ପ୍ରତିବର୍ଷ ଏପ୍ରିଲ ୨ ତାରିଖକୁ ବିଶ୍ୱ ଅଟିଜମ୍ ସଚେତନତା ଦିବସ ଭାବେ ପାଳନ କରାଯାଏ। ଏହାର ଲକ୍ଷ୍ୟ ହେଉଛି ସମାଜରେ ସଚେତନତା ବୃଦ୍ଧି କରିବା ଓ ଅଟିଜମ୍ ଥିବା ଶିଶୁମାନଙ୍କୁ ସମାନ ଅଧିକାର ଓ ସମ୍ମାନ ଦେବା। ଏହି ବର୍ଷର ଥିମ୍ “Autism and Humanity: Every Life is Valuable” ରହିଛି, ଯାହା ଆମକୁ ସୂଚାଏ ଯେ ପ୍ରତ୍ୟେକ ଶିଶୁ ଅନନ୍ୟ ଓ ସମ୍ମାନର ଯୋଗ୍ୟ।