-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
15-Aug-2025
ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ କୁରସୁଡ ପଞ୍ଚାୟତ ଅନ୍ତର୍ଗତ କଣ୍ଡରା ଗ୍ରାମର ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ। ମୃତ ଚାଷୀ ଜଣକ କଣ୍ଡରା ଗ୍ରାମର ପରମେଶ୍ବର ଭୋଇ ଙ୍କ ପୁଅ ଦୁର୍ଗା ଚରଣ ଭୋଇ।
ଅଭିଯୋଗ ଅନୁଯାଇ ଦୁର୍ଗା କିଛି ମାସ ତଳେ ବିଜୟନଗରମ ଏୟାରପୋର୍ଟ କୁ କୌଣସି କମ୍ପାନୀ ତରଫରୁ କାମ କରିବାକୁ ଯାଇଥିଲେ। କିନ୍ତୁ ତାଙ୍କୁ ତଥା ତାଙ୍କ ସାଙ୍ଗରେ ଯାଇଥିବା ଅଜୟ କୁମାର ଭୋଇ (୪୫) , ଉତ୍ତର ପରାଭୋଇ (୩୨) ଓ ଚକ୍ର ଭୋଇ ଙ୍କ କହିବାନୁଯାୟୀ କାମ କଲା ସତ୍ୱେ ତାଙ୍କ ପାରିଶ୍ରମିକ ନ ପାଇବାରୁ ସେଠାରୁ ଘରକୁ ଫେରିଆସିଥିଲେ। ମୃତ ଦୁର୍ଗା ଓ ତାଙ୍କ ସ୍ତ୍ରୀ ଆଶିର୍ବାଦ ମାଇକ୍ରୋ ଫାଇନାନ୍ସ , ସ୍ବତନ୍ତ୍ର ମାଇକ୍ରୋ ଫାଇନାନ୍ସ, ପିଏନବି ତଥା ଏସଏଚଜି ଗ୍ରୁପ୍ ରୁ ଋଣ କରିଥିଲେ। ତେବେ ପ୍ରତିମାସ ଋଣ କିସ୍ତି ନେବା ପାଇଁ ଫାଇନାନ୍ସ କମ୍ପାନୀର କର୍ମଚାରୀ ମାନେ ବାରମ୍ବାର ଘରକୁ ଆସୁଥିବାରୁ ସେ ମାନସିକ ଚାପ ଗ୍ରସ୍ତ ଥିଲେ ବୋଲି ପରିବାର
ବର୍ଗ କହିଛନ୍ତି। ଏପଟେ ନିଜ ଚାଷ ଜମିରେ କରିଥିବା ଧାନ ଏବଂ କପା ଚାଷ ମଧ୍ୟ ଭଲ ହୋଇନଥିବାରୁ ବେଶ୍ ମାନସିକ ଚାପ ଗ୍ରସ୍ତ ହୋଇ ସେ ଆତ୍ମହତ୍ୟା ଭଲି ଚରମ ପଦକ୍ଷେପ ନେଇଥିବା ପରିବାର ବର୍ଗ ଏବଂ ଗ୍ରାମବାସୀ କହିଛନ୍ତି।
ଘଟଣାର ଗୁରୁତ୍ୱକୁ ଦେଖି କୃଷୀ ଜିଲ୍ଲା ଅଧିକାରୀ ଧବଳେଶ୍ଵର ପ୍ରଧାନ, ଟିଟିଲାଗଡ଼ ତହସିଲଦାର ଶିବାଶିଷ ସତପଥି, ବ୍ଲକ କୃଷୀ ଅଧିକାରୀ ଭକ୍ତ ଚରଣ ଛତ୍ରୀଆ, ସହକାରୀ ଉଦ୍ୟାନ କୃଷୀ ଅଧିକାରୀ ପ୍ରଶାନ୍ତ ମେହେର, ରାଜସ୍ବ ପରିଦର୍ଶକ ନନ୍ଦ କିଶୋର ମଲ୍ଲିକ,ଦିଗସିରା ରାଜସ୍ବ ନିରୀକ୍ଷକ ଖୁସି ଶଙ୍କର ସାହୁ ପ୍ରମୁଖ ପହଞ୍ଚି ସ୍ଥିତ ଗ୍ରାମବାସୀ ଏବଂ ଅଧିକାରୀ ମାନେ କପା ଏବଂ ଧାନଚାଷ ହୋଇଥିବା ଚାଷଜମି କୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାକୁ ନେଇ କୃଷୀ ଜିଲ୍ଲା ଅଧିକାରୀ ଙ୍କ ମତାମତ ନେବାରୁ ସେ ବର୍ଷା ଜନିତ କିମ୍ବା ମରୁଡି ଆଶଙ୍କା ଭଲି କୌଣସି ସ୍ଥିତି ନାହିଁ ସେ ଅନ୍ୟ କୋୖଣସି କାରଣ ପାଇଁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି କହିଥିଲେ।
ଶବ ବ୍ୟବଚ୍ଛେଦ ହେବାପରେ ଭବାନୀପାଟଣା ରୁ ଗାଁ କୁ ମରଶରୀର ଧରି ପରିବାର ବର୍ଗ ଆସୁଥିବା ବେଳେ ୧୬ ନମ୍ବର ରାଜ୍ୟ ରାଜପଥ ରେ ପଡୁଥିବା କଣ୍ଡରା ଗାଁ ଛକ ରାସ୍ତା ଉପରେ ଶବ ରଖି କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ। ପରେ ସ୍ଥାନୀୟ ପୋଲିସ ପହଞ୍ଚି ବୁଝାସୁଝା କରିଥିଲେ। ପରେ ଟିଟିଲାଗଡ଼ ତହସିଲଦାର ପହଞ୍ଚି ରେଡକ୍ରସ ରୁ ୨୦ ହଜାର ଟଙ୍କା ଏବଂ ହରିଶ୍ଚନ୍ଦ୍ର ଯୋଜନାରୁ ୩ ହଜାର ଦେବାପରେ ରାସ୍ତାରୋକ ହଟିଥିଲା। ଏହି ସମୟରେ ରାସ୍ତାର ଦୁଇ ପାର୍ଶ୍ବରେ ବହୁ ସଂଖ୍ୟକ ଗାଡ଼ି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା।
ଚାଷୀ ଆତ୍ମହତ୍ୟା କୁ ନେଇ ସରଗରମ ହେଲା ରାଜନୀତି ।
ଘଟଣାର ଗୁରୁତ୍ୱକୁ ଦେଖି ବିଜେଡି ଦଳର ଏକ (ଫ୍ୟାକ୍ଟ ଫାଇଣ୍ଡିଙ୍ଗ) ପ୍ରତିନିଧି ମଣ୍ଡଲ ପହଞ୍ଚି ମୃତକ ଚାଷୀ ଙ୍କ ପରିବାର ସହ ଆଲୋଚନା କରିଥିଲେ। ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଗତ ବିଜେଡି ସରକାର ସମୟରେ କୁରସୁଡ ଠାରେ ହେବାକୁଥିବା ବ୍ୟାରେଜ ନିର୍ମାଣ ପାଇଁ ଅର୍ଥ ଅନୁମୋଦନ ହୋଇଥିଲା। ହେଲେ ବିଜେପି ସରକାରର ଅବହେଳା ଯୋଗୁଁ ଏବେ ପୁଣି ଟିଟିଲାଗଡ଼ ବ୍ଲକ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ମେଘା ଜଳସେଚନ ପ୍ରକଳ୍ପ ଗୁଡ଼ିକ ଏକ ବର୍ଷ ହେଲା ଅଚଳ ହୋଇଯାଇଛି। ବର୍ଷାର ଅଭାବ ଯୋଗୁଁ ଚାଷୀ ଆତ୍ମହତ୍ୟା ଭଲି ସ୍ଥିତି ଆଜି ଦେଖିବାକୁ ମିଳିଛି ବୋଲି ପୂର୍ବତନ ମନ୍ତ୍ରୀ ଟୁକୁନୀ ସାହୁ, ସରୋଜ ମେହେର ଅଭିଯୋଗ କରିବାସହ ତୁରନ୍ତ ମୃତକଙ୍କ ପରିବାରକୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଜିଲ୍ଲା ପରିଷଦ ସଦସ୍ୟା ଗୀତା ବିଶି ,ଟିକି ପୋଢ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ସଞ୍ଜିବ ସାହୁ, ସମିତି ସଭ୍ୟ ଜୟ ପ୍ରସାଦ ନାଏକ, ସୁଧିର ପଟ୍ଟନାୟକ , ସୁମନ ନାଏକ, ଚିତମନ ବେହେରା, ପିଙ୍କୁ ସେଳମା, ରୁଦ୍ର ସାହୁ, ବଣ୍ଟୁ ସିଂ ଭୋଇ, ଦେବରାଜ ଭୋଇ, ଖୋଲାନ ସରପଞ୍ଚ ନରେଶ ଅଗ୍ରୱାଲ, କୁସକେଲା ସରପଞ୍ଚ ଙ୍କ ପ୍ରତିନିଧି ପ୍ରକାଶ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
ସେହିଭଲି ଭାବରେ ଚଳିତ ନିର୍ବାଚନରେ କଂଗ୍ରେସର ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ବାଗ ପରିବାର ସହ ଆଲୋଚନା ପରେ ଉଭୟ ବିଜେପି ଓ ୨୪ ବର୍ଷ ଶାସନ କରି ଲୋକଙ୍କୁ ଏଭଲି ସ୍ଥିତିକୁ ଠେଲିଦେଇଥିବା ସରକାର ଉପରେ ବର୍ଷିଥିଲେ ଏବଂ ପରିବାର କୁ ଉଚିତ କ୍ଷତିପୂରଣ ଦେବାକୁ ଦାବି କରିଥିଲେ।
ବର୍ତ୍ତମାନ ସମୟରେ ହାତ ପାରନ୍ତା ରେ ଋଣ। ସରକାରୀ ବ୍ୟାଙ୍କ ର ଚକ୍କର କାଟିବାକୁ ଆଉ ପଡୁନି। ଲୋକେ ଆରାମରେ ନିଜ ଚାହିଦା ମୁତାବକ ଋଣ କରିପାରିବେ। ଏବଂ ଦରକାର ସମୟରେ କାମ ରେ ଲଗାଇପାରିବେ ବୋଲି ସରକାର ପ୍ରାଇଭେଟ୍ କମ୍ପାନୀ ମାନଙ୍କୁ ମାଇକ୍ରୋ ଫାଇନାନ୍ସ ଜରିଆରେ ସୁବିଧା ଯୋଗାଇଦେବା ପାଇଁ ବ୍ୟବସ୍ଥା କରିଛନ୍ତି। ସେଥିପାଇଁ
ଗାଁ ଗାଁ ରେ ମାଇକ୍ରୋ ଫାଇନାନ୍ସ ର ଅଫିସ ଖୋଳାଯାଇଛି। କିଛି କାଗଜପତ୍ର ବିନିମୟରେ ହୋଇଯାଉଛି ଋଣ। ସୁବିଧାରେ ଋଣ ମିଲି ଯାଉଥିବାରୁ ଲୋକେ ବି ବେଶ୍ ଖୁସିରେ ଋଣ କରୁଛନ୍ତି। ହେଲେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ମାନେ ଋଣ ଦେବା ସହ ତାଙ୍କ କିସ୍ତି ସମୟକୁ ସମୟ ଅସୁଲି କରିଥାନ୍ତି। ଏବଂ ତାଙ୍କ ଋଣର ସୁଧ ମଧ୍ୟ ଅଧିକ ରହିଥାଏ । ଦରକାର ପଡିଲେ କର୍ମଚାରୀ ମାନେ ଘର ଆଗରେ ବସିପଡନ୍ତି କିସ୍ତି ଟଙ୍କା ନ ଦେବା ଯାଏଁ। ତଥାପି ଗାଁ ଗାଁ ରେ ଏବେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ମାନଙ୍କ ଅଫିସ ବଢ଼ିବାରେ ଲାଗିଛି।
ଏବେ ସ୍ତ୍ରୀ ମୁଣ୍ଡରେ ଦୁଇ କୁନି ଛୁଆଙ୍କ ଭବିଷ୍ୟତ। ଘଟଣା ଘଟିସାରିଛି ସ୍ବାମୀ ଏବେ ଆର ପାରିରେ। ପଛରେ ଛାଡ଼ି ଯାଇଛନ୍ତି ସ୍ତ୍ରୀ , ଗୋଟିଏ ୬ ବର୍ଷର ଝିଅ ଏବଂ ଗୋଟିଏ ୧୨ ବର୍ଷର ପୁଅ । ଏବେ କାହାକୁ ନେଇ ସଂସାର ଚାଳିବ। ଋଣ ଟଙ୍କା କିପରି ପରିଶୋଧ କରିବେ, ଦୁଇ ଛୁଆକୁ କିପରି ପ୍ରତିପୋଷଣ କରିବେ ଏବେ ଚିନ୍ତାରେ।