-+91-9937148622 |
prerana_bgr@rediffmail.com |
Sunday 13th September 2026 |
R.N.I. Regd No. ODIODI/2010/46693
Breaking News
13-Sep-2026
ଟିଟିଲାଗଡ(ପ୍ରେରଣା ଖବର): ଆଉ ମାତ୍ର ଗୋଟିଏ ଦିନ ପରେ ହେବ ନୂଆଁଖାଇ। ତେବେ ପଶ୍ଚିମ ଓଡ଼ିଶାର ଗଣପର୍ବ ହେଉଛି ନୂଆଁଖାଇ। ଏହି ପର୍ବ ପାଳନ କରିବାକୁ ନିଜ ଜିଲ୍ଲା, ରାଜ୍ୟ, ଦେଶ, ତଥା ଦେଶ ବାହାରେ ରହୁଥିବା ଲୋକେ ନିଜ ଭିଟା ମାଟିକୁ ଫେରି ଏକଜୁଟ ହୋଇ ନିଜ ପରିବାର ସହିତ ନୂଆଁ ଖାଇଥାନ୍ତି। ଯେଉଁଥି ପାଇଁ କି ଦୀର୍ଘ ଏକ ବର୍ଷର ବ୍ୟବଧାନ ପରେ ଏହି ସୁଯୋଗ ମିଳିଥାଏ। ତେବେ ନିଜର ପରିବାର ସଦସ୍ୟଙ୍କ ସହ ମିଶି ଭାବର ଆଦାନ ପ୍ରଦାନ ସହ ନୂଆଁ ଧାନରେ ପ୍ରସ୍ତୁତ ଭୋଗ ଖାଇ ଗୁରୁଜନ ମାନଙ୍କୁ ମୁଣ୍ଡିଆ ମାରି ଏହି ପର୍ବ ପାଳନ କରାଯାଏ। ଏହା ଏକ କୃଷି ଭିତ୍ତିକ ପର୍ବ ହେଲେ ମଧ୍ୟ ପଶ୍ଚିମ ଓଡ଼ିଶା ବାସିଙ୍କ ଏହି ଦିବସ ସବୁଠାରୁ ବଡ଼ ଖୁସିର ଦିବସ। ଏହି ନୂଆଁଖାଇ ପର୍ବ ପାଳନ କରିବା ପାଇଁ ଦୂର ଦୂରାନ୍ତରୁ ନିଜର ଭିଟା ମାଟି ତଥା ଜନ୍ମ ମାଟିକୁ ଫେରୁଥିବା ବେଳେ ଚାଷୀ ତଥା ଶ୍ରମିକ ଶ୍ରେଣୀର ଲୋକ ଚଳିତ ବର୍ଷ ସେତେ ପରିମାଣରେ ଗ୍ରାମାଞ୍ଚଳକୁ ଫେରୁ ନ ଥିବା ଜଣାପଡ଼ିଛି। ନହେଲେ ନୂଆଁଖାଇ ସମୟର ପୂର୍ବ ଦୁଇ ତିନି ଦିନ ଓ ନୂଆଁଖାଇ ପର ତିନି ଚାରି ଦିନ ଟିଟିଲାଗଡ ସହର ଓ ହାଟପଦା ପଡ଼ା ଦୈନିକ ବଜାରରେ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ କିନ୍ତୁ ଏହି ବର୍ଷ ହାଟପଦା ପଡ଼ା ଦୈନିକ ବଜାର ଖାଁ ଖାଁ ଲାଗୁଛି, ସହର ଭିତରେ କେବଳ ବଡ ବଡ ସପିଙ୍ଗ ମଲ ମାନଙ୍କରେ ସହରିଆ ଲୋକଙ୍କ ଭିଡ ଜମୁଥିବା ବେଳେ ସାଧାରଣ ବ୍ୟବସାୟୀଙ୍କ ବ୍ୟାପାର ସେତେ ଭଲ ନାହିଁ ବୋଲି ବ୍ୟବସାୟୀ ମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଟିଟିଲାଗଡ ସହରର ଆଖପାଖ ଗ୍ରାମାଞ୍ଚଳରେ ରହୁଥିବା ଗ୍ରାମବାସୀ ପ୍ରତିବର୍ଷ ନୂଆଁ ଖାଇସାରିବା ପରେ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ହାଇଦ୍ରାବାଦ ଅଞ୍ଚଳକୁ ରୋଜଗାର ପାଇଁ ଭିଟା ମାଟି ଛାଡ଼ି ଯାଇଥାଆନ୍ତି ଏବଂ ଏହି ନୂଆଁଖାଇ ବେଳକୁ ଘରକୁ ଫେରିଥାନ୍ତି କିନ୍ତୁ ଚଳିତ ବର୍ଷ ସେତେ ଲୋକ ଫେରି ନ ଥିବା ଯୋଗୁଁ ବ୍ୟାପାର ମାନ୍ଦା ହେଉଥିବା କୁହାଯାଉଛି। ଏହାର ଅନ୍ୟ ଏକ କାରଣ ହେଉଛି ଯେ ପଡୋଶି ରାଜ୍ୟ ମାନଙ୍କରେ ନୂଆଁଖାଇ ପାଇଁ ଆମ ଓଡ଼ିଆ ସମ୍ପ୍ରଦାୟର ଲୋକେ ସେଠାରେ ବିରାଟ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରିବା ପରେ ବଡ ବଡ ହଲ ମାନଙ୍କରେ ନୂଆଁଖାଇ ପର୍ବ ପାଳନ କରୁଛନ୍ତି, ଯେଉଁଥିରେ ସେହି ରାଜ୍ୟର ବଡ ବଡ ନେତା ମନ୍ତ୍ରୀ ବି ଯୋଗଦାନ କରୁଛନ୍ତି। ସେଠାରେ ଯେହେତୁ ନୂଆଁଖାଇ ପର୍ବ ପାଳନ କରୁଛନ୍ତି ସେଥିପାଇଁ ନିଜର ଭିଟା ମାଟିକୁ ଫେରୁ ନ ଥିବା ଜଣାପଡ଼ିଛି। ତେବେ ଲୋକ ନ ଫେରିବା ଯୋଗୁଁ ଟିଟିଲାଗଡ ନୂଆଁଖାଇ ବଜାର ଫିକା ପଡିଛି।