-+91-9937148622 |
prerana_bgr@rediffmail.com |
Sunday 13th September 2026 |
R.N.I. Regd No. ODIODI/2010/46693
Breaking News
13-Sep-2026
ବଲାଙ୍ଗୀର(ପ୍ରେରଣା ଖବର): ଜ୍ଞାନର ଆଲୋକ, ସୃଜନଶୀଳତାର ସ୍ପନ୍ଦନ ଓ ଛାତ୍ରଛାତ୍ରୀଙ୍କ ଅନନ୍ୟ ପ୍ରତିଭାରେ ମୁଖରିତ ହୋଇଉଠିଲା ପଥରଚେପା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର। ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ଗତ ଦିନ ଉତ୍ସାହ, ଉଦ୍ଦୀପନା ଓ ଗରିମାମୟ ପରିବେଶରେ ପାଳିତ ହୋଇଯାଇଛି। ଦୀପ ପ୍ରଜ୍ଜ୍ୱଳନ ସହ ଉତ୍ସବର ଶୁଭାରମ୍ଭ ହୋଇଥିବାବେଳେ ସ୍ୱାଗତ ସଙ୍ଗୀତ ଓ ଶାସ୍ତ୍ରୀୟ ନୃତ୍ୟର ମନୋମୁଗ୍ଧକର ପରିବେଷଣ ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ମନ ମୋହିଥିଲା।
ବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କରଙ୍କ ସ୍ୱାଗତ ଅଭିଭାଷଣ ପରେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ମଞ୍ଚାସୀନ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା। ଏଥିସହ ପରିବେଶ ସୁରକ୍ଷାର ଏକ ସୁନ୍ଦର ଓ ସଚେତନତାମୂଳକ ବାର୍ତ୍ତା ମଧ୍ୟ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପିତ ହୋଇଥିଲା। ଶିକ୍ଷା, ଭାଷା ଓ ସାହିତ୍ୟ, କ୍ରୀଡ଼ା, ସାଂସ୍କୃତିକ ତଥା ସହଶିକ୍ଷା କ୍ଷେତ୍ରରେ ବିଦ୍ୟାଳୟର ବର୍ଷବ୍ୟାପୀ ସଫଳତାର ଚିତ୍ର ଏଥିରେ ପ୍ରତିଫଳିତ ହୋଇଥିଲା।
ସମାରୋହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବଲାଙ୍ଗୀର ଶ୍ରୀ ଦିଲୀପ ଯୋଷୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରେରଣାଦାୟକ ବାର୍ତ୍ତା ପ୍ରଦାନ କରିଥିଲେ।
ଏହି ଅବସରରେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୀଳମଣି ପଟେଲ ଓ ଅବସରପ୍ରାପ୍ତ ବଲାଙ୍ଗୀର ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଶ୍ରୀ ଜୟ ବିହାରୀ ଗୁରୁଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରି ନିମ୍ନଲିଖିତ ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରିବା ସହ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ଉନ୍ନୀତ ହୋଇଛନ୍ତି। କନିଷ୍ଠ ବିଭାଗରେ ନିର୍ଲିପ୍ତା ଦର୍ଜୀ ବିତର୍କ, କବିତା ଆବୃତ୍ତି ଓ ବକ୍ତୃତା; ଅଭିଜ୍ଞାନ ପ୍ରଧାନ ପ୍ରବନ୍ଧ ଲିଖନ; ଶୁଭ୍ରବଚରଣ ହୋତା
ଏକକ ସଙ୍ଗୀତ; ଶଗୁନ ସାହୁ ଏକକ ଲୋକନୃତ୍ୟ; ପ୍ରସିଦ୍ଧି ବରାଡ ଏକକ ଶାସ୍ତ୍ରୀୟ ନୃତ୍ୟ; ଏବଂ ଶ୍ରେୟାଂଶ ଅଗସ୍ତି ଚିତ୍ରାଙ୍କନ, ଚିତ୍ରକଳା ଓ ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
ବରିଷ୍ଠ ବିଭାଗରେ ଦୁର୍ଲଭ ପୁହାନ ବିତର୍କ ଓ ପ୍ରଶ୍ନୋତ୍ତର; ଅନିକେତ ତ୍ରିପାଠୀ ପ୍ରବନ୍ଧ ଲିଖନ ଓ ବକ୍ତୃତା; ଶ୍ରେୟାଂଶୀ ଝାଙ୍କର କବିତା ଆବୃତ୍ତି; ରୋଶ୍ନି ଛତ୍ରିଆ ଏକକ ସଙ୍ଗୀତ; ଆଦ୍ୟାଶା ଏ. ମେହେର ଏକକ ଲୋକନୃତ୍ୟ; ଜ୍ୟୋତିମୟୀ ବେହେରା ଏକକ ଶାସ୍ତ୍ରୀୟ ନୃତ୍ୟ; ଏବଂ ଏସ୍. ମୃଣାଳ ନନ୍ଦ ଚିତ୍ରାଙ୍କନ ଓ ଚିତ୍ରକଳା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
ଏହି ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କ ସଫଳତା ବିଦ୍ୟାଳୟ ପାଇଁ ଗୌରବର ବିଷୟ ପାଲଟିଥିବାବେଳେ, ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ସେମାନଙ୍କ ଉନ୍ନୀତି ବିଦ୍ୟାଳୟର ଶିକ୍ଷା ଓ ସହଶିକ୍ଷା କ୍ଷେତ୍ରରେ ଅଗ୍ରଗତିର ପ୍ରମାଣ ବହନ କରିଛି।
ସମଗ୍ର ଆୟୋଜନଟି ଶିକ୍ଷା, ସଂସ୍କାର, ସୃଜନଶୀଳତା ଓ ପ୍ରତିଭାର ଏକ ମନୋରମ ସମାଗମରେ ପରିଣତ ହୋଇଥିଲା। ‘ସ୍ପାର୍କ’ର ଏହି ଉତ୍ସବ ବିଦ୍ୟାଳୟର ଗୌରବମୟ ଯାତ୍ରାର ଏକ ଉଜ୍ଜ୍ୱଳ ଅଧ୍ୟାୟ ଭାବେ ସ୍ମରଣୀୟ ହୋଇରହିଛି। ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସମିଳିତ ପ୍ରୟାସରେ ସମଗ୍ର କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।