-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
29-Jun-2024
ଭୁବନେଶ୍ବର(ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ): ଦୀର୍ଘ ଛଅବର୍ଷ ପରେ ରାଜ୍ୟରେ ହେବକି ଛାତ୍ର ସଂସଦ ନିର୍ବାଚନ? ଏ ବାବଦରେ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି କି ରାଜ୍ୟ ସରକାର? ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ବୟାନକୁ ନେଇ ବଢ଼ିଛି ଆଶା।
ପୁଣି କ୍ୟାଂପସକୁ ଫେରୁଛି କି ଛାତ୍ର ସଂସଦ ନିର୍ବାଚନ? ଛାତ୍ର ସଂସଦ ନିର୍ବାଚନର ଯଥାର୍ଥତା ଥିବା ଏବଂ ସରକାର ଏନେଇ ବିଚାର ବିମର୍ଷ କରୁଥିବା ନେଇ ଆଜି ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବୟାନ ଏ ଦିଗରେ ନୂଆ ଆଶା ସଂଚାର କରିଛି। ବିଭିନ୍ନ ଛାତ୍ର ସଂଗଠନ ସରକାରଙ୍କ ଆଭିମୁଖ୍ୟକୁ ସ୍ୱାଗତ କରିଥିଲା ବେଳେ, ଉଚ୍ଚ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ମଧ୍ୟ ଏଥିପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ଦୀର୍ଘ ଛଅବର୍ଷ ପରେ ରାଜ୍ୟରେ ହେବକି ଛାତ୍ର ସଂସଦ ନିର୍ବାଚନ? ଏ ବାବଦରେ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି କି ରାଜ୍ୟ ସରକାର? ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ବୟାନକୁ ନେଇ ବଢ଼ିଛି ଆଶା। ଯଦିଓ ମନ୍ତ୍ରୀ ଛାତ୍ର ସଂସଦ ନିର୍ବାଚନ କେବେ ହେବ ସେନେଇ ସିଧାସଳଖ କିଛି ସ୍ପଷ୍ଟ କରିନାହାନ୍ତି, ହେଲେ ଛାତ୍ର ସଂସଦ ନିର୍ବାଚନର ଯେ ଯଥାର୍ଥତା ଅଛି, ଏବଂ ସରକାର ଏହା ଉପରେ ବିଚାର କରୁଛନ୍ତି ବୋଲି କହିବା ପରେ ଉତ୍ସାହିତ ଛାତ୍ରଛାତ୍ରୀ ଓ ବିଭିନ୍ନ ଛାତ୍ର ସଂଗଠନ।
କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ସରକାରୀ ବିରୋଧୀ ହାୱାକୁ ଦେଖି ପୂର୍ବର ବିଜେଡି ସରକାର ୨୦୧୮ ମସିହାରୁ କେତେବେଳେ ବାତ୍ୟା, କେତେବେଳେ କୋଭିଡ୍ ତ ପୁଣି କେବେ କ୍ୟାମ୍ପସ ଉତ୍ତେଜନା ବାହାନାରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିଦେଇଥିଲେ। ଆଉ ଏଥିସହିତ ବନ୍ଦ ହୋଇଯାଇଥିଲା ନେତୃତ୍ୱ ବିକାଶର ଏନ୍ତୁଡ଼ିଶାଳ। ପରବର୍ତ୍ତୀ ସମୟରେ ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ବାରମ୍ବାର ଛାତ୍ର ଆନ୍ଦୋଳନ ହୋଇଛି, ରାଜରାସ୍ତାରେ ହୋହଲ୍ଲା ହୋଇଛି, ତତ୍କାଳୀନ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ ବି ହୋଇଛି।
ହେଲେ ପ୍ରତିଥର ଛାତ୍ରଛାତ୍ରୀଙ୍କ ଅଧିକାରକୁ ଅଣଦେଖା କରି ଆସିଥିଲେ ତତ୍କାଳୀନ ବିଜେଡି ସରକାର। ହେଲେ ରାଜ୍ୟରେ ନୂଆ ସରକାର ଆସୁ ଆସୁ ନୂଆ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଏ ବୟାନ, ପୁଣି ଛାତ୍ର ସଂସଦ ନିର୍ବାଚନ ନେଇ ଆଶା ସଂଚାର କରିଥିଲା ବେଳେ ଉଚ୍ଚଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ବି ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି।ଏବେ ଅପେକ୍ଷା, ଛାତ୍ର ସଂସଦ ନିର୍ବାଚନ ନେଇ ସରକାର କି ନିଷ୍ପତ୍ତି ନେଉଛନ୍ତି ଏବଂ କେବେଠୁ ପୁଣି ଛାତ୍ରଛାତ୍ରୀଙ୍କୁ ମିଳୁଛି ସେମାନଙ୍କ ନେତା ବାଛିବାର ଅଧିକାର।